ଭୁବନେଶ୍ବର: ଦିନ କେଇଟା ପରେ ନୂଆବର୍ଷ । ଅନ୍ୟ ଦିନ ଅପେକ୍ଷା ନୂଆବର୍ଷ ସମୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟଙ୍କ ଅଧିକ ଭଡ଼ ଜମିଥାଏ । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ବିଶେଷ ଭାବେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି । ଏହାସହ ପ୍ରବେଶ ଟିକେଟ କରିବା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଅନଲାଇନ ଟିକେଟ ବୁକିଂ ବ୍ୟବସ୍ଥା କରାଯାଇଛି ।
ଭିଡ଼ କମାଇବା ପାଇଁ ହ୍ଵାଟ୍ସଆପ୍ରେ ଟିକେଟ ସଂଗ୍ରହ:
ନୂଆବର୍ଷ ପାଇଁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ପ୍ରବଳ ଭଡ଼ ଲାଗିବ । ପର୍ଯ୍ୟଟକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଅନଲାଇନ ମାଧ୍ୟମରେ ଟିକେଟର ବ୍ୟବସ୍ଥା କରାଯାଇଛି । ଲମ୍ବା ଧାଡ଼ିରେ ଛିଡ଼ା ନ ହୋଇ ହ୍ଵାଟ୍ସଆପ୍ରେ ଟିକେଟ ସଂଗ୍ରହ କରିବାର ସୁବିଧା କରାଯାଇଛି । ହ୍ଵାଟ୍ସଆପ୍ ନମ୍ବର ହେଉଛି ୭୬୭୧୮୪୪୪୮୫୬ । ଏହି ନମ୍ବରରେ ହାଏ (Hi) ଲେଖି ମେସେଜ କରିଲେ ଟିକେଟ ପାଇଁ ବିଭିନ୍ନ ପ୍ରକାରର ସୋପାନ ଆସିବ । ଏହାକୁ ସିଲେକ୍ଟ କରି ଟିକେଟ କରିପାରିବେ । ଏହା ସହ କ୍ୟୁଆର କୋଡ୍ (QR Code) ସ୍କାନ କରି ଟିକେଟ ବୁକିଂ କରିପାରିବେ । ପର୍ଯ୍ୟଟକମାନେ ଯେଭଳି ସୁରକ୍ଷିତ ଭାବେ ପ୍ରାଣୀ ଉଦ୍ୟାନ ଭ୍ରମଣ କରିପାରିବେ ସେନେଇ ମଧ୍ୟ ଅଧିକ ଗୁରୁତ୍ଵ ଦିଆଯାଇଛି ।
Nandankanan Zoological Park (@Nandankanan Zoo) ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ବ : ଅଲଗା ଦିନ ଅପେକ୍ଷା ନୂଆବର୍ଷ ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରସ୍ତୁତି ଜୋରଦାର ହୋଇଛି । ପର୍ଯ୍ୟଟନ ଋତୁରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକମାନେ ରୋପୱେର ମଜା ନେବା ସହ ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରୀ ବୁଲିଥାନ୍ତି । ସେହିପରି ବାଘ, ସିଂହ, ଭାଲୁ, ହୁଲକ୍ ଗିବନ, ଜିରାପ୍, ସିମ୍ପାଜୀ, ବିଦେଶୀ ମାଙ୍କଡ଼ ଆଦି ବିଭିନ୍ନ ପ୍ରଜାତିର ୩ ହଜାରରୁ ଅଧିକ ଜୀବଜନ୍ତୁ, ପକ୍ଷୀ, ସରୀସୃପ ଦେଖିବା ସହ ମାନରାଞ୍ଜନ କରିଥାନ୍ତି । ସବୁଠାରୁ ବଡ କଥା ହେଉଛି ପର୍ଯ୍ୟଟକମାନଙ୍କ ସୁରକ୍ଷା । ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଆଜିଠାରୁ ନୂଆବର୍ଷ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଉଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କର୍ମଚାରୀ ଏବଂ ଅଧିକାରୀ ସ୍ଵତନ୍ତ୍ର ଭାବରେ ନିୟୋଜିତ ହେବେ । ପ୍ରାଣୀ ଉଦ୍ୟାନ ମଧ୍ୟରେ ଥିବା ଅଧିକ ଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ସ୍ଵତନ୍ତ୍ର ଭାବେ ପର୍ଯ୍ୟଟକଙ୍କ ଉପରେ ନଜର ରଖିବେ । ସ୍ଥାନୀୟ ପୋଲିସର ଏକ ପ୍ଲାଟୁନ ଫୋର୍ସ ମଧ୍ୟ ନିୟୋଜିତ ରହିଛନ୍ତି । ଏହାସହ ଅଗ୍ନିଶମ ବିଭାଗ, ମେଡିକାଲର ଏକ ଟିମ ମଧ୍ୟ ନିୟୋଜିତ ରହିଛନ୍ତି । ନନ୍ଦନକାନନର ବିଭିନ୍ନ ସ୍ଥାନରେ ଭଲ୍ୟୁଣ୍ଟର ମଧ୍ୟ ରହିଛନ୍ତି । ପ୍ରାଣୀ ଉଦ୍ୟାନ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଵତନ୍ତ୍ର ଭାବରେ ଫୋର୍ସ ନିୟୋଜିତ ହୋଇଛନ୍ତି ।
Nandankanan Zoological Park (@Nandankanan Zoo)
ନନ୍ଦନକାନନ ଭିତରେ ଯିବା ଆସିବା ମନା :
ବିଶେଷ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିକଟବର୍ତ୍ତୀ ଥିବା ଗାଁ ଯଥା (ଦାରୁଠେଙ୍ଗ ଓ ରଘୁନାଥପୁର) ଗାଁର ସ୍ଥାନୀୟ ଲୋକମାନେ ଏହାରି ମଧ୍ୟରେ ଯିବା ଆସିବା କରିଥାନ୍ତି । ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କ ଯିବା ଆସିବା କରିବା ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ଯେହେତୁ ବର୍ତ୍ତମାନ ନନ୍ଦନକାନନରେ କାମ ଚାଲୁ ରହିଛି ଏବଂ ଏହି ସମୟରେ ଅଧିକ ମାତ୍ରାରେ ଭିଡ ଲାଗି ରହିବ ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯଦି କିଏ ଯିବା ଆସିବା କରନ୍ତି ତେବେ ସେମାନଙ୍କ ସଂପୂର୍ଣ୍ଣ ତଥ୍ୟ ରେଜିଷ୍ଟର ମେଣ୍ଟେନର ବ୍ୟବସ୍ଥା କରାଯାଇଛି ।
Nandankanan Zoological Park (@Nandankanan Zoo)
ସ୍କୁଲ ପିଲାଙ୍କ ପାଇଁ କ'ଣ ରହିଛି ବ୍ୟବସ୍ଥା:
ନୂଆବର୍ଷ ସମୟରେ ନନ୍ଦନକାନନକୁ ଅଧିକ ମାତ୍ରାରେ ସ୍କୁଲ ପିଲା ଆସିଥାନ୍ତି । ଫଳରେ ଟିକେଟ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥର ସ୍କୁଲ ପିଲାମାନେ ପ୍ରବେଶ ଟିକେଟ ପାଇଁ ଲାଇନରେ ରହିବେ ନାହିଁ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନନ୍ଦନକାନନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜଣେ ଲୋକ ସମସ୍ତ ପିଲାଙ୍କ ଟିକେଟ କରିବା ସହ ସହଜରେ ପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିପାରିବେ । ଏହାସହ ବୟସ୍କ ଲୋକମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସିସିଟିଭିର ବ୍ୟବସ୍ଥା:
ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସଂପୂର୍ଣ୍ଣ ଭାବରେ ସିସିଟିଭି କଭର କରାଯାଇଛି । ଯେଉଁ ସ୍ଥାନଗୁଡିକ ଗୁରୁତ୍ୱପୂର୍ଣ୍ଣ ରହିଛି ସେହି ସ୍ଥାନରେ ସିସିଟିଭି ମାଧ୍ୟମରେ ଅଧିକ ଭାବେ ନଜର ରଖାଯାଇଛି । ଏହାସହ ଏକ କଣ୍ଟ୍ରୋଲ ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି ।
Nandankanan Zoological Park (@Nandankanan Zoo) ଜୀବଜନ୍ତୁଙ୍କ ସୁରକ୍ଷା ଉପରେ ନଜର: ବିଶେଷ ଭାବେ ଦେଖାଯାଏ ଯେ, ପର୍ଯ୍ୟଟକମାନେ ଜୀବଜନ୍ତୁଙ୍କ ଖୁଆଡକୁ ଖାଇବା ଜିନିଷ ପକାଇଥାନ୍ତି । ଏହା ଉପରେ ନଜର ରଖିବା ସହ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସେମାନଙ୍କ ଏନକ୍ଳୋଜରରେ ନନ୍ଦନକାନନର ଷ୍ଟାଫଙ୍କ ସହିତ ଭଲ୍ୟୁଣ୍ଟର ମଧ୍ୟ ରହିବେ । ସେମାନେ ଲୋକମାନଙ୍କୁ କଣ୍ଟ୍ରୋଲ କରିବେ । ଯାହା ଫଳରେ ଯଦି ଏଭଳି କିଛି ଘଟଣା ଘଟେ ତେବେ ତାହାକୁ ସେମାନେ କଣ୍ଟ୍ରୋଲ କରିବେ । ଏହାସହ ଚୋରୀ ଉପରେ ମଧ୍ୟ ନଜର ରଖାଯାଇଛି । ଯଦି କୌଣସି ପର୍ଯ୍ୟଟକଙ୍କ ଅଭିଯୋଗ ଆସେ ତେବେ ଅଭିଯୋଗ ପାଇଁ ଏକ ଡାଏରୀ ମେଣ୍ଟେନ କରାଯାଉଛି ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। । ଚଳିତ ବର୍ଷ ୩୦ ହଜାର ପର୍ଯ୍ୟଟକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
Nandankanan Zoological Park (@Nandankanan Zoo) ନନ୍ଦନକାନନ ବିଷୟରେ ସମ୍ୟକ ସୂଚନା:
ନନ୍ଦନକାନନରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦୦ ଟଙ୍କା ଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୫୦ ଟଙ୍କା, ୩ ରୁ ୧୨ ବର୍ଷର ପିଲାଙ୍କ ପାଇଁ ୧୦ ଟଙ୍କା ରହିଛି । ଷ୍ଟିଲ ଓ ଡିଜିଟାଲ କ୍ୟାମେରା ନେବା ଲାଗି କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ବଡ଼ କ୍ୟାମେରା ପାଇଁ ୧୦୦ ଟଙ୍କା, ଭିଡିଓ ସୁଟିଂ ପାଇଁ ୫୦୦ ଟଙ୍କା ଓ ଚଳଚ୍ଚିତ୍ର ସୁଟିଂ ପାଇଁ ୪ ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସଫାରୀ ଯିବାକୁ ହେଲେ ଜଣଙ୍କ ପିଛା ୭୦ ଟଙ୍କା ଓ ଏସି ବସ୍ରେ ଗଲେ ଜଣଙ୍କ ପିଛା ୧୧୦ ଟଙ୍କା, ବ୍ୟାଟେରୀ ଚାଳିତ ଗାଡ଼ିରେ ବୁଲିଲେ ୮୦ ଟଙ୍କା ଓ ରୋପୱେ ପାଇଁ ୧୨୦ ଟଙ୍କା ଓ ୩ରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୭୪ ଟଙ୍କା, ସ୍କୁଲ ପିଲାଙ୍କ ପାଇଁ ୬୩ ଟଙ୍କା ଦେବାକୁ ପଡ଼ିଥାଏ ।
ଇଟିଭି ଭାରତ, ଭୁବନେଶ୍ବର