ଭୁବନେଶ୍ବର: ଶୀତରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ହେବ । ଆଗକୁ ଆହୁରି ଶୀତ ବଢ଼ିବାର ସମ୍ଭାବନା ରହିଛି । ଅନ୍ୟପଟେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଘନ କୁହୁଡ଼ିକୁ ନେଇ ଆଗାମୀ 48 ଘଣ୍ଟା ପାଇଁ 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ରାଜ୍ୟର କିଛି ଅଞ୍ଚଳରେ ପାଗ ମେଘୁଆ ରହିବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
3 ଜିଲ୍ଲାକୁ ୱାର୍ଣ୍ଣିଂ:
ପୁଣି ଓଡି଼ଶାରେ ଶୀତର ପ୍ରକୋପ ବଢ଼ିବ । ଆଗାମୀ 4 ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ ତାପମାତ୍ରା 2ରୁ 4ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଜି ଠାରୁ ଆଗାମୀ 2 ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ଯାହାକୁ ନେଇ କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି:
![Odisha Weather Latest Forecast](https://etvbharatimages.akamaized.net/etvbharat/prod-images/13-01-2025/od-bbs-avb-weather-od10039_13012025152620_1301f_1736762180_158.jpg)
ଆଗାମୀ 24 ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ । ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, କଟକ ଓ ଖୋର୍ଦ୍ଧା । ସେହିପରି ଆସନ୍ତାକାଲି ଓ ଏହା ପରଦିନ ମଧ୍ୟ କିଛି ଜିଲ୍ଲାରେ ହାଲୁକା କୁହୁଡି ଦୃଶ୍ୟମାନ ହେବ । ଜିଲ୍ଲା ଗୁଡ଼ିକ ହେଉଛି ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ଼, କଟକ ଓ ଖୋର୍ଦ୍ଧା ।
ଏହା ମଧ୍ୟ ପଢ଼ନ୍ତୁ...ଦୃଶ୍ଯମାନ ହେବ ଘନ କୁହୁଡ଼ି, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ଏହା ମଧ୍ୟ ପଢ଼ନ୍ତୁ...ବଢ଼ିବ କୁହୁଡ଼ି, ରାତି ୨ରୁ ସକାଳ ୧୦ ପର୍ଯ୍ୟନ୍ତ ସତର୍କ |
ମେଘୁଆ ରହିବ ପାଗ:
![Odisha Weather Latest Forecast](https://etvbharatimages.akamaized.net/etvbharat/prod-images/13-01-2025/od-bbs-avb-weather-od10039_13012025152620_1301f_1736762180_409.jpg)
ଆଗାମୀ କିଛି ଦିନ କେତେକ ଅଞ୍ଚଳରେ ପାଗ ମେଘୁଆ ରହିବାକୁ ଥିବା ବେଳେ ବର୍ଷାର କୌଣସି ସମ୍ଭାବନା ନାହିଁ । ସେପେଟ ଗତ 24 ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 7.3 ଡିଗ୍ରୀ ରେକର୍ଡ କରାଯାଇଛି । ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 10.0 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନ୍ୟପଟେ ନୂଆପଡାରେ ସର୍ବାଧିକ 31.0 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର