ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ ଦେବାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଦାବି କରିବା ପ୍ରସଙ୍ଗରେ ବୟାନବାଜୀ ଓ ଚର୍ଚ୍ଚା ଲାଗିରହିଛି । ରାଜ୍ୟରେ ଏହି ପ୍ରସଙ୍ଗରେ ରାଜନୈତିକ ଝଡ଼ ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକଙ୍କୁ ‘ଭାରତରତ୍ନ’ ପ୍ରଦାନ ଲାଗି ଦାବି ହୋଇ ଆସୁଥିବା ବେଳେ ନବୀନଙ୍କୁ ‘ଭାରତରତ୍ନ’ ପ୍ରଦାନ ପାଇଁ ଦାବି କରିବାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ବିଜୁ-ନବୀନ ଭାରତରତ୍ନରୁ ଊର୍ଦ୍ଧ୍ଵରେ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ବିଜେପି ମାପିଚୁପି ଜବାବ ରଖିଥିବା ବେଳେ ରାଜନୈତିକ ଫାଇଦା ପାଇଁ ଗିରିରାଜ ଏହା କହିଛନ୍ତି ବୋଲି କଂଗ୍ରେସ ପ୍ରତିକ୍ରିୟା ରଖିଛି ।
- ନବୀନ ପୁରସ୍କାରରୁ ଊର୍ଦ୍ଧ୍ବରେ: ବିଜେଡି
ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ନବୀନ ପଟ୍ଟନାୟକ ପୁରସ୍କାରରୁ ବହୁତ ଊର୍ଦ୍ଧ୍ବରେ । ସେ କାମରେ ବିଶ୍ୱାସ କରନ୍ତି । ସାଢ଼େ 4 କୋଟି ଲୋକଙ୍କୁ ସେ ପରିବାର ଭାବନ୍ତି । ମୁଖ୍ୟମନ୍ତ୍ରୀ ଥିବାବେଳେ ଓ ଆଉ ଏବେ ବିରୋଧୀ ଦଳର ନେତା ଭାବେ ସେ ସେହି କାର୍ଯ୍ୟ କରୁଛନ୍ତି । କିଛି ଲୋକ ସଜ ମାଛରେ ପୋକ ପକାନ୍ତି । ନବୀନ ବାବୁ ବିଧାନସଭାରେ କହିବା ବେଳେ ମାଇକ କାଟି ଦିଆଯାଉଛି । ବିଜେପିଠାରୁ ଆଶା କିଛି କରାଯାଇପାରିବ ନାହିଁ । ଶାଳୀନତା ଥିବା ଲୋକଠୁ ଭଲ ଆଶା କରାଯାଏ । ବିଜୁ ପଟ୍ଟନାୟକ ଭାରତର ଗର୍ବ ଓ ଗୌରବ । ବିଜୁ ବାବୁଙ୍କୁ କେବଳ ଓଡିଶାରେ ସୀମିତ ରଖାନଯାଉ । ଇଭିଏମକୁ ନେଇ ଅଭିଯୋଗ କରିବା ପରେ ବିଜେଡିକୁ ମାନେଇବାକୁ ଭାରତରତ୍ନ ଥୋପ କୁହାଯାଉନାହିଁ ତ ? ମଣିଷର ହୃଦୟ ଜିତିଥିବା ମୋ ନେତା ନବୀନ ବାବୁ ସବୁ ପୁରସ୍କାରରୁ ଉର୍ଦ୍ଧ୍ବକୁ ଚାଲି ଯାଇଛନ୍ତି ।"
- ଦାବିକୁ ଆମେ ସ୍ବାଗତ କରୁଛୁ: ଅମର ପଟ୍ଟନାୟକ
ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି,"ଗିରିରାଜ ନବୀନଙ୍କୁ ‘ଭାରତରତ୍ନ’ ଦେବା କଥା ଏବେ କାହିଁକି କହିଲେ ଜାଣିପାରୁ ନାହିଁ । ବିଜୁ ବାବୁଙ୍କୁ ‘ଭାରତରତ୍ନ’ ପ୍ରଦାନ କରିବା ପାଇଁ ଆମେ କହି ଆସୁଛୁ । ନବୀନଙ୍କୁ ‘ଭାରତରତ୍ନ’ ଦେବା କଥା କହିବା ଭଲ କଥା । ଆମେ ସ୍ୱାଗତ କରୁଛୁ । ନବୀନ ବାବୁ ଓ ବିଜେଡି ଲୋକଙ୍କ ସହ ଅଛନ୍ତି । ଆଗାମୀ ଦିନରେ ମଧ୍ୟ ରହିବେ । ବିଜେପିର ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଲଢ଼ିବେ । ଭାରତରତ୍ନ ମିଳୁ କି ନମିଳୁ । ଅଟଳ ବିହାରୀ ବାଜପେୟୀଙ୍କୁ ମିଳିବା ପୂର୍ବରୁ ବିଜୁ ବାବୁଙ୍କୁ ଭାରତରତ୍ନ ମିଳିବା କଥା । ଅତୀତର ଭୁଲ ସୁଧାରିବା ଲାଗି ବିଜୁ ବାବୁଙ୍କୁ ଭାରତରତ୍ନ ମିଳିବା କଥା । ବର୍ତ୍ତମାନର କାର୍ଯ୍ୟ ପାଇଁ ନବୀନ ବାବୁଙ୍କୁ ମିଳିବା କଥା । ବିଜୁ-ନବୀନ ବାପ ପୁଅ ହୋଇଥାଇପାରନ୍ତି, କିନ୍ତୁ ଉଭୟ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ । ବର୍ତ୍ତମାନ ଓଡିଶାକୁ ଦେଶ ତଥା ଦେଶ ବାହାରେ ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ ।"
ବିଜେପି ନେତାଙ୍କ ବୟାନକୁ ଏମିତି କହିଲେ ସସ୍ମିତ:-