ଭୁବନେଶ୍ବର:ରାଜ୍ୟରେ 2ଟି ପର୍ଯ୍ୟାୟରେ ମତଦାନ ସରିଛି । 9 ଲୋକସଭା ଓ ଏହା ଅନ୍ତର୍ଗତ 63 ବିଧାନସଭା କ୍ଷେତ୍ରରେ ମତଦାନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀରେ କମ ମତଦାନ ହୋଇଛି । ଏହା ଏକତରଫା ନିର୍ବାଚନ ଓ ମତଦାନ ପ୍ରତି ଭୋଟରଙ୍କ ବିତସ୍ପୃହର କାରଣ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ପ୍ରଭୁ କଲ୍ୟାଣ ମହାପାତ୍ର ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଏବଂ ଏବା ଅନ୍ତର୍ଗତ 28 ବିଧାନସଭା କ୍ଷେତ୍ରରେ ନିର୍ବାଚନ ହୋଇଛି । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ 5 ଲୋକସଭା ଓ 35 ବିଧାନସଭା କ୍ଷେତ୍ରରେ ଭୋଟ ପଡିଛି । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାର ଦୁଇ ଲୋକସଭା ବ୍ରହ୍ମପୁର ଓ ଆସ୍କା ଲୋକସଭା କ୍ଷେତ୍ରରେ କମ ମତଦାନ ହୋଇଛି । 2019 ତୁଳନାରେ ସାମାନ୍ୟ ଅଧିକ ହୋଇ 2024 ନିର୍ବାଚନରେ ବ୍ରହ୍ମପୁର ଲୋକସଭାରେ 65.41 ପ୍ରତିଶତ ମତଦାନ ହୋଇଛି । ସେହିପରି ଆସ୍କା ସଂସଦୀୟ କ୍ଷେତ୍ରରେ 2019 ତୁଳନାରେ ଚଳିତ ଥର ମତଦାନ ପ୍ରତିଶତ କପମିଛି । ଏଠାରେ 62.67 ପ୍ରତିଶତ ମତଦାନ ହୋଇଛି । ସେହିପରି ଦୁଇ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ମଧ୍ୟ ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା କମ ଭୋଟିଂ ହୋଇଛି । ସବୁଠାରୁ ରୋଚକ କଥା ହେଉଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମତଦାନ 61.01 ପ୍ରତିଶତ ହୋଇଛି ।