ଓଡିଶା

odisha

ETV Bharat / state

ହତ୍ୟାକାରୀକୁ କୋର୍ଟ ଚାଲାଣ କଲା ପୋଲିସ, ପରିତ୍ୟକ୍ତ ଘରୁ ମିଳିଥିଲା ମହିଳାଙ୍କ ମୃତଦେହ

Murder Case Accused Sentenced to Court: ରାଇରଙ୍ଗପୁର ଟାଉନଥାନା ଅର୍ନ୍ତଗତ ଅଶନବଣୀ ଛକ ନିକଟରେ ଗୋଟିଏ ପରିତ୍ୟକ୍ତ ଘରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ହତ୍ୟାକାରୀକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 5, 2024, 6:55 AM IST

ହତ୍ୟାକାରୀ ଯୁବକଙ୍କୁ କୋର୍ଟ ଚାଲାଣ କଲା ପୋଲିସ, ପରିତ୍ୟକ୍ତ ଘରୁ ମିଳିଥିଲା ମହିଳାଙ୍କ ମୃତଦେହ
ହତ୍ୟାକାରୀ ଯୁବକଙ୍କୁ କୋର୍ଟ ଚାଲାଣ କଲା ପୋଲିସ, ପରିତ୍ୟକ୍ତ ଘରୁ ମିଳିଥିଲା ମହିଳାଙ୍କ ମୃତଦେହ

ରାଇରଙ୍ଗପୁର: ରବିବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅର୍ନ୍ତଗତ ଅଶନବଣୀ ଛକ ନିକଟରେ ଗୋଟିଏ ପରିତ୍ୟକ୍ତ ଘରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ ଉକ୍ତ ପରିତ୍ୟକ୍ତ ଘରୁ ଦୁର୍ଗନ୍ଧ ବାହାରୁ ଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । କିଛି ଲୋକ ଘର ଭିତରକୁ ଯାଇ ଦେଖିଲାବେଳକୁ ଘର ଭିତରେ ଥିବା କୁଟାଗଦା ଉପରେ ଏକ କୁକୁରର ମୃତଦେହ ପଚି ଦୁର୍ଗନ୍ଧ ହେଉଥିବା ଦେଖିବାକୁ ପାଇଥିଲେ । ହେଲେ ଗତକାଲି ରବିବାର ଦିନ ଗଳିତ କୁକୁରକୁ ଘର ଭିତରୁ ବାହାର କରୁଥିବା ବେଳେ କୁଟାଗଦା ତଳେ ଜଣେ ମହିଳାଙ୍କ ଗଳିତ ମୃତଦେହ ଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।

ଏ ସମ୍ପର୍କରେ ସ୍ଥାନୀୟ ଲୋକେ ରାଇରଙ୍ଗପୁର ଟାଉନଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ୍ସ ଟିମକୁ ଡକାଇଥିଲା । ତେବେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ମୃତ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଇ ଦିଆଯାଇଥିଲା । ଏଥି ସହିତ ମୃତ ମହିଳା ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଯୋଡ଼ାମହୁଲ ଗ୍ରାମର ଶ୍ରୀମତୀ ମାହାଲି (୫୨) ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଗତ ୨୨ ଫେବ୍ରୁଆରୀ ଦିନ ଶ୍ରୀମତୀ ମାହାଲି ଖନ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ଆଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ । ତେବେ ପୋଲିସ ଏସବୁ ଘଟଣା ଜାଣିବା ପରେ ସମସ୍ତ ଦିଗରୁ ଅଧିକ ଛାନଭିନ ଜାରି ରଖିଥିଲା ।

ଏହା ମଧ୍ୟ ପଢନ୍ତୁ...ମନିପର୍ସକୁ ନେଇ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ, 2 ଅଟକ

ଶେଷରେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ । ଅଭିଯୁକ୍ତ ଅସନବଣୀ ଗ୍ରାମର ଅନ୍ତ ମାଝୀକୁ ଗିରଫ କରି ଥାନାକୁ ଆଣି ମହିଳାଙ୍କୁ ହତ୍ୟା ଘଟଣା ବିଷୟରେ ପଚରାଉଚରା କରିଥିଲା ପୋଲିସ । ତେବେ ଅନ୍ତ ମାଝୀ ମହିଳାଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା । ସେହି ୨୨ ଫେବୃଆରୀ ଦିନ ଅଭିଯୁକ୍ତ ଅନ୍ତ ମାଝୀ ଶ୍ରୀମତୀ ମାହାଲିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅସନବଣୀ ଛକ ନିକଟରେ ଥିବା ପରିତ୍ୟକ୍ତ ଘରକୁ ଆଣିଥିଲା । ସେଠାରେ ଅନ୍ତ ମାଝୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ମହିଳା ଜଣକ ବିରୋଧ କରିବାରୁ ଏକ ପଥର ସାହାଯ୍ୟରେ ହତ୍ୟା କରିଥିଲା ଅଭିଯୁକ୍ତ । ପରେ ସେଠାରୁ ଅନ୍ତ ମାଝୀ ଖସି ପଳାଇଯାଇଥିଲା । ଏସବୁ କଥା ପଚରାଉଚରା ସମୟରେ ପୋଲିସ ନିକଟରେ ପ୍ରକାଶ କରିଥିଲା ଅନ୍ତ ମାଝୀ । ଯାହାର ସୂଚନା ଦେଇଛନ୍ତି ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ । ତେବେ ଅନ୍ତ ମାଝୀକୁ ଗିରଫ କରି ଆଜି ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details