ଓଡିଶା

odisha

ETV Bharat / state

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଏକ୍ସପ୍ରେସ ଶୁଭାରମ୍ଭ - PRAVASI BHARATIYA DIVAS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିଛନ୍ତି । ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଶୁଭାରମ୍ଭ ସହ ଓଡ଼ିଶାର ଭୁରି ଭୁରି ପ୍ରଶଂସା କଲେ ।

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି
ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି (ETV Bharat Odisha)

By ETV Bharat Odisha Team

Published : Jan 9, 2025, 10:25 AM IST

Updated : Jan 9, 2025, 11:42 AM IST

ଭୁବନେଶ୍ବର:ଜନତା ମୈଦାନରେ ଅଷ୍ଟାଦଶପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ଆନୁଷ୍ଠାନିକ ଭାବେ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ଧାର୍ଯ୍ୟ ସମୟ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାସହ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟମାନେ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି । ବହୁ ସଂଖ୍ୟାରେ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ସମସ୍ତ ପ୍ରବାସୀ ଅତିଥୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

PBD INAUGURATION (ETV Bharat Odisha)

ଓଡ଼ିଶାର ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ:

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି " ଓଡ଼ିଶାର ମହାନ ମାଟି ହେଉଛି ଭାରତର ସମୃଦ୍ଧିର ପ୍ରତୀକ । ଓଡ଼ିଶାରେ ପ୍ରତିଟି ପାଦରେ ଐତିହାସିକ କୀର୍ତ୍ତିମାନ ରହିଛି । ଖଣ୍ଡଗିରି ଉଦୟଗିରି ଗୁମ୍ଫା ହେଉ ଅବା କୋଣାର୍କ ସୂର୍ଯ୍ୟ ମନ୍ଦିର ବା ତାମ୍ର ଲିପି ଦେଖିଲେ ଯେ କେହେବି ଗର୍ବ କରିବ । ପୂର୍ବରୁ ଓଡ଼ିଆମାନେ ଦୂରଦେଶକୁ ବାଣିଜ୍ୟ ପାଇଁ ଯାଉଥିଲେ । ଓଡ଼ିଶାରେ ବାଣିଜ୍ୟ କାରବାର ବାର୍ଲି, ସୁମାତ୍ରା, ଜାଭା ଯାଏଁ ହେଉଥିଲା । ଯାହାର ସମ୍ପୃତିରେ ବାଲିଯାତ୍ରା ଆୟୋଜନ ହେଉଛି । ଓଡିଶାରେ ରହିଛି ଧଉଳୀ ଶାନ୍ତିସ୍ତୁପ । ଯାହା ଶାନ୍ତିର ବଡ଼ ପ୍ରତୀକ । ଦୁନିଆରେ ଯେତେବେଳେ ତଲୱାରର ବଳରେ ସାମ୍ରାଜ୍ୟ ବୃଦ୍ଧି କରାଯାଉଥିଲା, ସେହି ସମୟରେ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ । ଏହିସବୁ ପ୍ରେରଣା ଦ୍ବାରା ଆଜି ଭାରତ ଦୁନିଆକୁ କହିପାରୁଛି ଯେ, ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି । ଓଡ଼ିଶା ମାଟିରେ ଆପଣଙ୍କୁ ସ୍ବାଗତ କରିବା ମୋ ପାଇଁ ଗର୍ବର ବିଷୟ । "

ପ୍ରବାସୀଙ୍କୁ ସ୍ବାଗତ କଲେ ମୋଦି:

ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କଲେ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, "1915 ମସିହାରେ ମହାତ୍ମା ଗାନ୍ଧୀ ଭାରତକୁ ଫେରିଥିଲେ । ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ପ୍ରତିବିମ୍ବ । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଐତିହ୍ୟ ସ୍ଥଳୀ ରହିଛି । ଭାରତୀୟ ପ୍ରବାସୀ ହେଉଛନ୍ତି, ଭାରତର ରାଷ୍ଟ୍ରଦୂତ । ପ୍ରବାସୀମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେବି ଭୁଲି ହେବ ନାହିଁ । ସମସ୍ତ ପ୍ରବାସୀମାନଙ୍କୁ ଧନ୍ୟବାଦ ଦେଲେ ମୋଦି । କାରଣ ଆପଣମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗର୍ବରେ ମୁଣ୍ଡ ଉପରକୁ ରଖି ଚାଲିବାର ସୁଯୋଗ ମିଳେ । ଦୁନିଆର ପ୍ରତ୍ୟେକ ନେତା ଭାରତୀୟ ପ୍ରବାସୀମାନଙ୍କର ପ୍ରଶଂସା କରନ୍ତି ।"

ସେ ଆହୁରି କହିଛନ୍ତି, "ଗଣତନ୍ତ୍ର ଆମ ଜୀବନର ଅଂଶ । ବିବିଧତା ଆମକୁ ଶିଖାଇବାକୁ ପଦେ ନାହିଁ । ଆମ ଜୀବନ ବିବିଧତାରେ ହିଁ ଚାଲେ । ଆମେ ଯେଉଁ ଦେଶକୁ ଯାଆନ୍ତି, ସେହି ଦେଶର ବିକାଶ ପାଇଁ ସହଯୋଗ କରିଥାଆନ୍ତି । ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଗତିରେ ଆଗକୁ ବଢୁଛି, ତାହା ଅପୂର୍ବ ବୋଲି କହିଲେ ମୋଦି । ଭାରତରେ 25 କୋଟି ଲୋକ ଗରିବ ସୀମା ରେଖା ତାକୁ ବାହାରକୁ ଆସୁଛନ୍ତି । 10 ବର୍ଷରେ ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଛି ଭାରତ । ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବା ପାଇଁ ଭାରତକୁ ବେଶୀ ଦିନ ଲାଗିବ ନାହିଁ । ଡିଜିଟାଲ ଟେକ୍ନୋଲୋଜି ପାଇଁ ଭାରତ ଆଜି ସମଗ୍ର ବିଶ୍ବରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛି । ମେଟ୍ରୋ, ବୁଲେଟ ଟ୍ରେନ ପ୍ରକଳ୍ପ ଭଳି ଯୋଜନା ଦ୍ଵାରା ଭାରତ ପ୍ରଗତିର ଗତି ରେକର୍ଡ ଭାଙ୍ଗୁଛି । ମେଡ ଇନ୍ ଇଣ୍ଡିଆ ପ୍ଲେନ୍ ତିଆରି କରୁଛି ଭାରତ । ଭାରତର ବୈଶିକ ଭୂମିକା ବଢୁଛି । ଭାରତର ମତ ସାରା ଦୁନିଆ ଶୁଣିଛି । ଭାରତର ଦକ୍ଷତା ଆଜି ସାରା ବିଶ୍ବ ଦେଖୁଛି ।"

ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂକୁ ଗୁରୁତ୍ବ:
"ଆସନ୍ତାକାଲି ରାଷ୍ଟ୍ରପତି ଅନେକ ପ୍ରବାସୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ବି ଦେବେ । ଆଗାମୀ କିଛି ବର୍ଷ ଭିତରେ ଭାରତ ସବୁଠୁ ଯୁବ ସ୍କିଲଡ ଦେଶରେ ପରିଣତ ହେବ । କୌଣସି ଭାରତୀୟ ବିଦେଶ ଗଲେ ଉନ୍ନତ କୌଶଳ ସହ ଯାଆନ୍ତୁ । ସେଥିପାଇଁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଆଜିର ଭାରତ ବିକାଶ ବି ବିରାସତ ବି ମନ୍ତ୍ର ନେଇ ଆଗକୁ ବଢୁଛି । 1947ରେ ଭାରତ ସ୍ଵାଧିନତାରେ ପ୍ରବାସୀଙ୍କ ବଡ଼ ଅବଦାନ ଥିଲା । ସେମାନେ ବିଦେଶରେ ରହି ଅନେକ ସହଯୋଗ କରିଥିଲେ । 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି । ପ୍ରବାସୀ ମାନେ ଅନ୍ୟ ଦେଶ ସହ ଭାରତରେ ମଧ୍ୟ ନିବେଶ କରୁଛନ୍ତି । ଆପଣଙ୍କ ପ୍ରତିଟି ପ୍ରୟାସ ଭାରତକୁ ବିକଶିତ ଦେଶ ଆଡ଼କୁ ନେଇଯିବ । ଐତିହ୍ୟ ପର୍ଯ୍ୟଟନର ଗୋଟିଏ ଭଲ ସେକ୍ଟର । ଆପଣ ମଧ୍ୟ ନିଜ ପିଲାମାନଙ୍କୁ ଭାରତର ଗାଁ ଗୁଡ଼ିକୁ ନିଅନ୍ତୁ । ସେମାନେ ତାଙ୍କର ଅଭିଜ୍ଞତା ଭାରତୀୟ ପିଲାଙ୍କ ସହ ବାଣ୍ଟନ୍ତୁ । ଭାରତର ପ୍ରକୃତ ଇତିହାସକୁ ବିଦେଶରେ ପହଞ୍ଚାଇବା ପାଇଁ ପ୍ରବାସୀମାନଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ଭାରତ ଆଜି ବିଶ୍ଵ ବନ୍ଧୁ ଭାବେ ଜଣାଯାଏ । ଏହାକୁ ଆହୁରି ଆଦୃତ କରିବା ପାଇଁ ଆହୁରି ପ୍ରୟାସ କରିବାର ଆବଶ୍ୟକ ଅଛି । ନିଜ ନିଜ ଦେଶରେ ପୁରସ୍କାର ବିତରଣ ସମାରୋହ ଆୟୋଜନ କରିବାକୁ ଆହ୍ଵାନ କଲେ ମୋଦି । ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ଲୋକଙ୍କୁ ଡାକି ସେମାନଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ଦିଅନ୍ତୁ । ଏହାଦ୍ବାରା ସେ ଦେଶର ଲୋକଙ୍କ ସହ ଆପଣ ମାନଙ୍କର ସମ୍ପର୍କ ବଢିବ । ବିକଶିତ ଭାରତର ନିର୍ମାଣରେ ଆପଣ ମାନଙ୍କ ବଡ଼ ଅବଦାନ ଚଳୁଛି ଦେଶ" ବୋଲି କହିବା ସହ ମାଆ ପାଇଁ ଗଛଟିଏ ଅଭିଯାନ କରିବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ କଲେ ମୋଦି ।

୩ ଦିନିଆ ସମ୍ମିଳନୀ:

ଗତକାଲି(ବୁଧବାର)ଠାରୁ ତିନିଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ପ୍ରଥମ କାର୍ଯ୍ୟଦିବସ ସମାରୋହରେ ସାମିଲ୍‌ ହୋଇଥିଲେ । ପ୍ରଥମ ଅଧିବେଶନର ଦ୍ବିତୀୟାର୍ଦ୍ଧରେ ‘ଓଡିଶାରେ ନିବେଶ’ ଶୀର୍ଷକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ-ପ୍ରବାସୀ ଭାରତୀୟ ମହାକୁମ୍ଭ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଉପସ୍ଥିତ - PRAVASI BHARATIYA DIVAS

ଏହା ମଧ୍ୟ ପଢ଼ନ୍ତୁ-ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ କରିବେ ସମ୍ବୋଧନ - PM MODI ARRIVES IN BHUBANESWAR

ଏହା ମଧ୍ୟ ପଢ଼ନ୍ତୁ-'ଗାଥା ଓଡ଼ିଶାର:ବନ୍ଦେ ଉତ୍କଳ ଜନନୀ'ରେ ଓଡ଼ିଆ ଅସ୍ମିତାର ଝଲକ, ପ୍ରବାସୀଙ୍କୁ କଲା ମନ୍ତ୍ରମୁଗ୍ଧ - GATHA ODISHARA

Last Updated : Jan 9, 2025, 11:42 AM IST

ABOUT THE AUTHOR

...view details