ହାଇଦ୍ରାବାଦ: ଆଜି ଓଡ଼ିଆ ନବବର୍ଷ ବା ମହାବିଷୁବ ପଣା ସଂକ୍ରାନ୍ତି । ପୁରଠୁ ପଲ୍ଲୀ ସବୁଠି ମହକୁଛି ପଣା । ପ୍ରତିଟି ଓଡ଼ିଆ ଘରେ ଛେନା, କ୍ଷୀର, ବେଲ ଓ ଗୁଡି ଆଦି ମିଶ୍ରଣରେ ପ୍ରସ୍ତୁତ ପଣା ଠାକୁରଙ୍କୁ ଅର୍ପଣ କରାଯାଇ ପରିବାର ଲୋକେ ପିଉଛନ୍ତି । ଏହି ପବିତ୍ର ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ ପ୍ରମୁଖ ଓଡିଶାବାସୀଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ କହିଛନ୍ତି ଯେ, ଉତ୍କୃଷ୍ଟ ଓଡ଼ିଆ ସଂସ୍କୃତିକୁ ନେଇ ଆମେ ଗର୍ବିତ । ଏହି ମହାବିଷୁବ ପଣା ସଂକ୍ରାନ୍ତି ଆପଣଙ୍କ ପାଇଁ ସୁଖ, ସମ୍ପୃଦ୍ଧି ଆଣିଦେଉ । ଆଗାମୀ ବର୍ଷ ଖୁସି ଓ ସଫଳତାରେ ପରିପୂର୍ଣ୍ଣ ହେଉ । ଆପଣଙ୍କର ସମସ୍ତ ସ୍ବପ୍ନ ପୂରଣ ହେଉ ଏବଂ ସମସ୍ତେ ଖୁସି ରୁହନ୍ତୁ ।
ପବିତ୍ର ପଣା ସଂକ୍ରାନ୍ତ ଅବସରରେ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ କହିଛନ୍ତି, ''ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଶର ପୁରପଲ୍ଲୀରେ ଆନନ୍ଦ-ଉଲ୍ଲାସରେ ପାଳିତ ହେଉଛି । ରାଜ୍ୟର କୋଣ ଅନୁକୋଣରେ ପଣାପାଣି ଓ ନୃତ୍ୟସଙ୍ଗୀତର ଆସର ସାଙ୍ଗକୁ ସାରସ୍ବତ କାର୍ଯ୍ୟର ଆୟୋଜନ କରାଯାଉଛି । ସାଂସ୍କୃତିକ ବିପୁଳତାର ପ୍ରତୀକ ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ମୁଁ ଓଡ଼ିଶାର ପ୍ରିୟ ଭାଇଭଉଣୀମାନେ ସୁଖ ସମୃଦ୍ଧି କାମନା କରୁଛି ।''
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍ କରି ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି ।