ପୁରୀ:ନୂତନ ଏସପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କଲେ ପିନାକ ମିଶ୍ର । ପୁରୀ ଜିଲ୍ଲାର ନୂଆ ଏସପି ଭାବେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ଏହି ଅବସରରେ ପିନାକ ମିଶ୍ର କହିଛନ୍ତି, ପୁରୀ ଭଳି ପବିତ୍ର ଜାଗାରେ ଅପରାଧର ସ୍ଥାନ ନାହିଁ । ଅପରାଧୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟନୁଷ୍ଠାନ ।" ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମ ସହ ଏକ ବୈଠକରେ ସେ ଯୋଗ ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ପୁରୀ ଭଳି ସ୍ଥାନରେ ସେ ଆରକ୍ଷୀ ଅଧୀକ୍ଷକ ଭାବେ ଦାୟିତ୍ଵ ନେଇଥିବାରୁ ନିଜକୁ ଧନ୍ୟ ମନେ କରୁଥିବା କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ଥିବାରୁ ପୁରୀବାସୀଙ୍କ ସେବା ପାଇଁ ଏଠାରେ ତାଙ୍କୁ ସୁଯୋଗ ମିଳିଥିବା ସେ କହିଛନ୍ତି ।
ଏହି ଅବସରରେ ପୁରୀ ବାସିନ୍ଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏସପି ପିନାକ ମିଶ୍ର। ତେବେ ପୁରୀ ସହର ତଥା ଜିଲ୍ଲାରେ ଆଇନ ଶୃଙ୍ଖଳା ଯେଭଳି ବଜାୟ ରହିପାରିବ ସେଥିପାଇଁ ସବୁ ବର୍ଗର ଲୋକ, ଅନୁଷ୍ଠାନ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପିନାକ ମିଶ୍ର କହିଛନ୍ତି। ଆଗକୁ ନିର୍ବାଚନ ଥିବାରୁ କିଭଳି ଆଇନ ଶୃଙ୍ଖଳା ବିଗିଡିବ ନାହିଁ ସେ ଦିଗରେ ଗୁରୁତ୍ଵ ଦିଆଯିବ। ନିର୍ବାଚନ କମିଶନଙ୍କ ଗାଇଡ ଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ଏସପି ପିନାକ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି, "ପୁରୀ ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ପ୍ରାଣର କେନ୍ଦ୍ର। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଦର୍ଶନାର୍ଥୀ ଆସିଥାନ୍ତି। ସେମାନେ କିଭଳି ଶୃଙ୍ଖଳିତ ଦର୍ଶନ ପାଇବେ, ଭକ୍ତଙ୍କ ସୁରକ୍ଷା ସହ ଶ୍ରୀ ମନ୍ଦିରର ସୁରକ୍ଷା ପୋଲିସର ଗୁରୁଦାୟିତ୍ଵ ରହିବ ।"