ରାଉରକେଲା:ରାଜ୍ୟରେ ଆଚମ୍ବିତ କଲା ଭଳି ଜନାଦେଶ । ଯାହା ରାଜ୍ୟର ତଥା ଦେଶରେ ଚହଳ ପକାଇଛି । ଓଡିଶାର ରାଜନୀତିକୁ ସମ୍ପୂର୍ଣ୍ଣ ଭାବରେ ଏଥର ବଦଳାଇ ଦେଇଛନ୍ତି ଜନତା । 24 ବର୍ଷର ବିଜେଡି ସରକାରଙ୍କୁ ପରିବର୍ତ୍ତନ କରି ରାଜ୍ୟରେ ନୂଆ ସରକାର ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାରି ଭିତରେ ରାଜ୍ୟରେ ବିଜେପି ସରକାର ଶପଥ ନେବାକୁ ପ୍ରସ୍ତୁତ ଚଳାଇଥିବା ବେଳେ ଏବେ ବିଜେଡି ସରକାର କରିଥିବା ଯୋଜନା ଗୁଡିକକୁ ନେଇ ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏହି ଯୋଜନାମାନ ସାଧାରଣ ଲୋକଙ୍କ ପାଇଁ ହୋଇଥିବା ବେଳେ ଲୋକେ ବେଶ ଉପକୃତ ହେଉଥିଲେ । ହେଲେ ଏବେ ନୂଆ ସରକାର ପରେ ପୂର୍ବ ଯୋଜନା କିପରି କାର୍ଯ୍ୟକାରୀ ହେବ । ଲୋକେ କିପରି ଭାବରେ ଉପକୃତ ପାଇବେ ତାକୁ ନେଇ ଚିନ୍ତାରେ ଲୋକେ ।
ରାଉରକେଲା ସହରର ଆହାର କେନ୍ଦ୍ରରେ ଗରିବ ମଧ୍ୟବିତ୍ତ ପରିବାର ଲୋକଙ୍କ ସହ ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ଆମ ପ୍ରତିନିଧି । ୨୪ ବର୍ଷ ଧରି ଓଡିଶାରେ ଶାସନ କରୁଥିବା ବିଜେଡି ସରକାର ଓଡ଼ିଶାବାସୀଙ୍କ ସୁବିଧା ପାଇଁ ଅନେକ ଯୋଜନାମାନ କରିଥିଲେ ବୋଲି କହିଛନ୍ତି ଲୋକେ । ମୋ ବସ, ଲକ୍ଷ୍ମୀ ବସ ଯୋଜନା ହେଉ ବା ଆହାର ଯୋଜନା ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(BSKY) ଏହି ସମସ୍ତ ଯୋଜନାରୁ ଓଡ଼ିଶାବାସୀ ବେଶ ଉପକୃତ ହେଉଥିବା ବେଳେ ବର୍ତ୍ତମାନର ପରିସ୍ଥିତିରେ ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଲୋକେ । ବିଜେପି ସରକାର ସେସବୁ ଯୋଜନାକୁ ଚାଲୁ ରଖିବେ ନା ବନ୍ଦ କରିଦେବେ । ତାକୁ ନେଇ ଲୋକଙ୍କ ମନରେ ବୃଦ୍ଧି ପାଇଲାଣି ସନ୍ଦେହ ।