ସମ୍ବଲପୁର:ମୋ ସରକାର ଓ 5ଟି ଭଳି ମେଗା ଯୋଜନା କାର୍ଯ୍ୟକାରୀ ପାଇଁ ବାଃ ବାଃ ନେଉଛନ୍ତି ରାଜ୍ୟ ସରକାର । ହେଲେ ବିକାଶର ଫଳ ଶୂନ । ଆଜି ବି ଦୂର ହେଉନି ଅପହଞ୍ଚ ଲୋକଙ୍କ ସମସ୍ୟା । ରାସ୍ତା ନଥିବାରୁ ମିଳୁନି ଆମ୍ବୁଲାନ୍ସ ସେବା । ପୁଣି ଖଟିଆରେ ବୁହା ହେଲେ ରୋଗୀ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣି ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁକୁ ରାସ୍ତା ଟିଏ ନଥିବା ଯୋଗୁଁ ରୋଗୀଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ପାଇଁ ପ୍ରାୟ ଦେଢ଼ କି.ମି. ଖଟିଆରେ ବୋହିଲେ ସମ୍ପର୍କୀୟ l
ସୂଚନା ମୁତାବକ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣିର ସୁମିତ୍ରା ପାରେଖ ଗତକାଲି(ସୋମବାର) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଏନେଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ବେଲପାଣି ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସଟି ଗାଁରୁ ଦେଢ଼ କିମି ପୂର୍ବରୁ ଅଟକି ରହିଥିଲା । ଫଳରେ ରୋଗୀଙ୍କ ସମ୍ପର୍କୀୟ ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ଖଟିଆରେ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ।