ଭୁବନେଶ୍ବର:ଓଡ଼ିଶାର କଳା ସଂସ୍କୃତିକୁ ରୁଦ୍ଧିମନ୍ତ କରିବା ସହ ସହରବାସୀଙ୍କ ମନୋରଞ୍ଜନ ଓ ଶରୀରର ଫୁର୍ତ୍ତିକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥ ଉତ୍ସବ । ଶୀତୁଆ ସକାଳରେ ନାଚିଲା ଗାଇଲା ଓ ଝୁମିଲା ରାଜଧାନୀ । ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଥିବା ବେଳେ ଏହା ପୂର୍ବରୁ ରାଜଧାନୀରେ ଆରମ୍ଭ ହୋଇଛି ପଥ ଉତ୍ସବ । ସକାଳୁ ସକାଳୁ ନାଚ-ଗୀତରେ ଝୁମିଲେ ଭୁବନେଶ୍ବରବାସୀ ।
ଜନପଥରେ ପଥୋତ୍ସବ:
ଚଳିତ ବର୍ଷର ପ୍ରଥମ ଉତ୍ସବ ମଧ୍ୟ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଯାଏ ଚାଲିଥିଲା । ଏହାର ଉଦ୍ଘାଟନ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଓ ଗୃହ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଭୁବନେଶ୍ୱର ମେୟର ସମେତ ବିଏମସି କର୍ପୋରେଟର ମାନେ କରିଥିଲେ ।
ସରିଲା ପଥୋତ୍ସବ ପ୍ରତୀକ୍ଷା:
ସକାଳର ପହିଲି କିରଣ ସହ ବେଶ ବର୍ଣ୍ଣାଢ୍ୟରେ ଆୟୋଜନ ସହ ପାଳନ ହୋଇଛି ପଥୋତ୍ସବ । ଆଉ ଏହି ପଥ ଉତ୍ସବକୁ ବହୁ ପ୍ରତୀକ୍ଷା ପରେ ଦେଖିଥିବା ଭୁବନେଶ୍ୱରବାସୀ ବି ବେଶ ଉପଭୋଗ କରିଥିଲେ । ଉଦଘାଟନୀ ସମାରୋହ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ନେଇ ବେଶ ଝୁମିଥିଲେ ନାଚିଥିଲ ରାଜଧାନୀବାସୀ । ମଞ୍ଚରେ ଦେଖିବାକୁ ମିଳିଥିଲା ଓଡ଼ିଆ କଳା ସଂସ୍କୃତିର ଝଲକ ।
ଝୁମାଇଲେ ସ୍ବୟଂମ ପାଢୀ-ଅନ୍ତରା ଚକ୍ରବର୍ତ୍ତୀ
ଓଡିଶୀ ନୃତ୍ୟଠୁ ଆରମ୍ଭ କରି ମଡର୍ଣ୍ଣ ନୃତ୍ୟ ସବୁକିଛି ଗୋଟିଏ ମଞ୍ଚରେ ଦେଖିବାକୁ ପାଇଥିଲେ ଦର୍ଶକ । ଏହାସହ ଓଲିଓଡ଼ର ବେଶ ଜଣାଶୁଣା କଣ୍ଠଶିଳ୍ପୀ ଅନ୍ତର ଚକ୍ରବର୍ତ୍ତୀ ଓ ସ୍ୱୟଂ ପ୍ରକାଶ ପାଢ଼ୀ ପୁରା ଭୁବନେଶ୍ୱରକୁ ତାଙ୍କ କଣ୍ଠର ଯାଦୁଗରୀରେ ଝୁମାଇଥିଲେ । ଆଉ ସକାଳୁ ସକାଳୁ ଏକ ମନୋରଞ୍ଜନର ଖୋରାକକୁ ନେଇ ରାଜଧାନୀବାସୀ ପୁରା ରାହାଗିରିକୁ ଉପଭୋଗ କରିଛନ୍ତି । ନିଜେ ନାଚିବା ସହ ଅନ୍ୟକୁ ନଚେଇଛନ୍ତି । ଏହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଭୁବନେଶ୍ୱରବାସୀ । ବନ୍ଧୁ ପ୍ରିୟ ପରପରିଜନ ଓ ପରିବାର ସହ ଆସି ପଥୋତ୍ସବର ମଜା ନେଇ ଫେରିଛନ୍ତି ।
ମନମୋହିଲା ଝୋଟି ଚିତା:
ପଥ ଉତ୍ସବରେ ଏଥର ବି ନାଚ,ଗୀତ ସ୍କେଟିଂ, ଖାଦ୍ୟର ପସରା,ଆର୍ଟ କ୍ରାଫ୍ଟ ବା ଝୋଟି ଚିତା, ଷ୍ଟାଣ୍ଡଅପ କମେଡି, ଡ୍ୟାନ୍ସ ବା ରାଜ୍ୟର ବିଭିନ୍ନ ଜିଲ୍ଲାର ପାରମ୍ପରିକ ନୃତ୍ୟ, ଗଜଲ, ଯୋଗ,ଷ୍ଟ୍ରିଟ ଆକ୍ଟ ବା ଓଡ଼ିଶାର ବିଭିନ୍ନ ପ୍ରକାର ଦୁଃସାହସିକ ଖେଳ,ନୃତ୍ୟ ନାଟିକା,କ୍ରୀଡା ପ୍ରଦର୍ଶିତ ହୋଇଥିଲା । ଏହାସହ ବିଭିନ୍ନ ପ୍ରକାର ଝୋଟି ଓ ଚିତ୍ର ଭିନ୍ନ ଭିନ୍ନ ପ୍ରକାର ଚିତ୍ରାଙ୍କନ ବେଶ ଚିତାକର୍ଷକ ରହିଥିଲା । ରାଜଧାନୀର ରାଜରାସ୍ତାରେ ମନଇଚ୍ଛା ପ୍ରତିଭା ପ୍ରଦର୍ଶନର ଏହି ସୁଯୋଗକୁ ନେଇ ବିଭିନ୍ନ ଧରଣର ପ୍ରତିଭା ଦେଖିବାକୁ ମିଳିଛି । ବସ୍ତିକୁ ଆରମ୍ଭ କରି ସହରବାସିନ୍ଦା ସମସ୍ତେ ଏକାସାଙ୍ଗରେ ମିଶି ଏହି ପ୍ରତିଭା ପଦର୍ଶନ ମହୋତ୍ସବକୁ ନେଇ ବେଶ ଖୁସି ହୋଇଛନ୍ତି ।