ଅନୁଗୋଳ: ଚଳିତ ବର୍ଷ ଧାନ ବିହନ ନିଗମର ପରିବର୍ତ୍ତିତ ନିୟମ ଯୋଗୁଁ ଧାନ ବିହନ ଚାଷୀଙ୍କ ଅସନ୍ତୋଷ । ସାଧାରଣ ଧାନକୁ ସରକାର ମଣ୍ଡି ମାଧ୍ୟମରେ କ୍ବିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ କ୍ରୟ କରୁଥିବା ବେଳେ ବିହନ ନିଗମ ଚାଷୀଙ୍କ ଠାରୁ ବିହନ ଧାନ ୨୯୨୧ ଟଙ୍କାରେ କ୍ରୟ କରିବାକୁ ବିଜ୍ଞପ୍ତି ଜାରି କରିଛି । ବିହନ ଧାନ ପ୍ରସ୍ତୁତ ଅତ୍ୟନ୍ତ ବ୍ୟୟବହୁଳ ଓ ସମୟ ସାପେକ୍ଷ ହୋଇଥିବାରୁ ଏତେ କମ ମୂଲ୍ୟରେ ବିକ୍ରି କରିବା ସମ୍ଭବ ନୁହେଁ । ତେଣୁ ଚଳିତ ବର୍ଷ ଆଉ ବିହନ ଧାନ ନିଗମକୁ ଦେବେ ନାହିଁ ବୋଲି ଚାଷୀମାନେ ବିହନ ନିଗମ ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଅନୁଗୋଳ ଜିଲ୍ଲା ଚାଷୀ ।
ବିହନ ଧାନ ଚାଷୀଙ୍କ ଅସନ୍ତୋଷ:
ରାଜ୍ୟ ବିହନ ନିଗମ ଚଳିତ ବର୍ଷ ନୂଆ ନିୟମ ପ୍ରଣୟନ କରିଛନ୍ତି । ଏହି ନିୟମ ଅନୁସାରେ, ଚାଷୀଙ୍କୁ ବିହନ ଧାନ କ୍ବିଣ୍ଟାଲ ପ୍ରତି ୨୩ ଶହ ଟଙ୍କା ଏବଂ ପ୍ରୋତ୍ସାହନ ରାଶି ମୂଳ ମୂଲ୍ୟର ଶତକଡା ୨୭ ଭାଗ ଦେବାକୁ ସ୍ଥିର କରିଛନ୍ତି । ଏଭଳି ହେଲେ ବିହନ ଧାନ ଚାଷୀ କ୍ବିଣ୍ଟାଲ ପ୍ରତି ୨୯୨୧ ଟଙ୍କା ପାଇବେ । ସାଧାରଣ ଧାନ ବିକ୍ରି କଲେ ଚାଷୀ ୩୧ ଶହ ଟଙ୍କା ପାଉଥିବା ବେଳେ ବିହନ ଚାଷୀ ଏହାଠାରୁ କମ ମୂଲ୍ୟ ପାଇବେ । ଏନେଇ ଅନୁଗୋଳ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କାରଣ ବିହନ ଚାଷୀ ନିଗମରେ ପଞ୍ଜିକୃତ କରିବାକୁ କ୍ବିଣ୍ଟାଲ ପ୍ରତି ୧୮ ଟଙ୍କା ଜମା କରିବାକୁ ପଡିଥାଏ । ଏହା ବ୍ୟତୀତ ଯେଉଁ ଜମି ପଟ୍ଟା ମଣ୍ଡିରେ ବିକ୍ରି ପାଇଁ ପଞ୍ଜିକୃତ କରିବେ ସେହି ପଟ୍ଟା ଦେଇ ନିଗମରେ ପଞ୍ଜିକୃତ କରି ପାରିବେ ନାହିଁ । ମଣ୍ଡିରେ ଏକର ପ୍ରତି ୧୬ରୁ ୧୮ କ୍ବିଣ୍ଟାଲ ଧାନ ବିକ୍ରି କରି ପାରୁଥିବା ବେଳେ ନିଗମରେ ଏକର ପ୍ରତି ୧୦ କ୍ବିଣ୍ଟାଲରୁ ଅଧିକ ଧାନ ବିକ୍ରି କରି ପାରିବେ ନାହିଁ । ତେଣୁ ଉତ୍ପାଦନ ହୋଇଥିବା ବଳକା ଧାନ କ'ଣ କରିବେ ଚାଷୀ ପ୍ରଶ୍ନ କରିଛନ୍ତି ।
ବିହନ ଚାଷୀଙ୍କୁ ଉଚିତ ମୂଲ୍ୟ ଦାବି:
ଅନୁଗୋଳରେ ଚାଷୀମାନେମା' ବିହନକୁ ନିଗମରୁ କ୍ବିଣ୍ଟାଲ ପ୍ରତି ୫ ହଜାର ଟଙ୍କା ଦେଇ ଧାନ ବିହନ କିଣୁଛନ୍ତି । ଜମିରେ ବିହନ ବୁଣିବା ପରେ ନିଗମର ଅଧିକାରୀମାନେ ଦୁଇଥର ପରିଦର୍ଶନ କରନ୍ତି । କିଛି ବି ତ୍ରୁଟି ଦେଖିଲେ ସେହି ଜମିରୁ ବିହନ ନେବାକୁ ସିଧା ମନା କରିଦିଅନ୍ତି । ଏହା ବ୍ୟତୀତ ଚାଷୀମାନେ ଡିସେମ୍ବର ଓ ଜାନୁଆରୀ ମାସରେ ବିହନ ଧାନ ବିକ୍ରି କରନ୍ତି । ସେହି ଧାନ ୩ ମାସ ପରେ ମାର୍ଚ୍ଚ ମାସରେ ପ୍ରୋସେସିଂ କରାଯାଏ । ପ୍ରତି ହଜାରେ ଧାନରେ ୪୦ଟି ଖରାପ ଧାନ ବାହାରିଲେ ସେହି ଧାନ ରିଜେକ୍ଟ କରି ଦିଆଯାଏ । ଚାଷୀଙ୍କ ଠାରୁ ୧୫୦ ଟଙ୍କା ପେନାଲଟି ନେଇ ଧାନ ଫେରାଇ ଦିଆଯାଏ । ଏହାପରେ ଯୋଗ୍ୟ ବିବେଚିତ ହୋଇଥିବା ଧାନର ଗଜା ପରୀକ୍ଷା କରାଯାଏ । ପ୍ରତି ୧୦୦ ଧାନ ବିହନରୁ ୮୦ଟି ଧାନ ଗଜା ହେଲା ପରେ ଚାଷୀଙ୍କୁ ଧାନର ମୂଲ୍ୟ ଦିଆଯାଏ । ସେତେବେଳକୁ ଜୁନ ଓ ଜୁଲାଇ ମାସ ହୋଇଯାଏ । ମଣ୍ଡି ମଧ୍ୟ ବନ୍ଦ ହୋଇ ଯାଇଥାଏ । ତେଣୁ ଚାଷୀ ବଳକା ଧାନ ଆଉ ବିକ୍ରି କରିପାରେ ନାହିଁ । ତେଣୁ ସାଧାରଣ ଧାନ ଅପେକ୍ଷା ବିହନ ଧାନ ଉତ୍ପାଦନ କମ ହୁଏ । ବହୁତ ଖର୍ଚ୍ଚ ହେବା ସହ ସମୟ ଲାଗେ । କିନ୍ତୁ ବିହନ ଚାଷୀଙ୍କୁ ମୂଲ୍ୟ କମ ଦିଆ ଯାଉଥିବାରୁ ଚଳିତ ବର୍ଷ ସରକାର ଏହା ଉପରେ ବିଚାର କରିବାକୁ ବିହନ ଚାଷୀ ସଂଘ ଦୃଢ଼ ଦାବି କରିଛନ୍ତି । ନଚେତ ଆଉ ବିହନ ବିକ୍ରି ନକରିବାକୁ ଚେତାବନୀ ଦେଇଛନ୍ତି ।