କଟକ: ଢେଙ୍କାନାଳ ଜିଲ୍ଲା ଭୁବନ ‘ଏନଏସି’ ଅଧ୍ୟକ୍ଷଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ବସ୍ତି । ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ । ଅନାସ୍ଥା ପ୍ରସ୍ତାବ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ଭୋଟ ଗ୍ରହଣ ହେଲେ ମଧ୍ୟ ଫଳାଫଳ ପ୍ରକାଶ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭୋଟ ଗ୍ରହଣ ହେବାକୁ ଥିବା ବେଳେ, କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଫଳଫଳ ପ୍ରକାଶ କରାଯିବନି । ଆସନ୍ତା 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।
- ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁଙ୍କ ବିରୋଧରେ ଅନାସ୍ଥା
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶୁଭେନ୍ଦୁଙ୍କ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଅନାସ୍ଥା ପ୍ରସ୍ତାବ ବୈଠକ ବସିବ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଛନ୍ତି । ଜଷ୍ଟିସ୍ ଆର.କେ.ପଟ୍ଟନାୟକଙ୍କ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ....ବିଜେଡି ଦଖଲକୁ ଗଲା ଭାପୁର, ବାଜି ମାରିଲେ ସାବିତ୍ରୀ ପ୍ରଧାନ - Bhapur Block Chairman Election
- ଅନାସ୍ଥା ନୋଟିସକୁ ବେଆଇନ ଦର୍ଶାଇଛନ୍ତି ଅଧ୍ୟକ୍ଷ
ଭୁବନ ‘ଏନଏସି’ ରେ ମୋଟ 15 କାଉନସିଲର ଥିବା ବେଳେ କିଛି କାଉନସିଲର ଅଧ୍ୟକ୍ଷ ଶୁଭେନ୍ଦୁ ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏ ସମ୍ପର୍କରେ ଅବଗତ ହେବା ପରେ ଜିଲ୍ଲାପାଳଙ୍କ ତରଫରୁ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲରଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଚଳିତମାସ (ନଭେମ୍ବର) ୧୨ ତାରିଖରେ (ଆଜି) ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା । ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଆରମ୍ଭ କରାଯାଇଥିବା ସମଗ୍ର ପ୍ରକ୍ରିୟା ବେଆଇନ ଦର୍ଶାଇ ଅଧ୍ୟକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତିନି ଜଣ କାଉନସିଲରଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ ବିଚାରାଧୀନ ରହିଛି । ଦୁଇ ତୃତୀୟାଂଶରୁ କମ୍ ସଂଖ୍ୟକ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଅଗେଇବା ବେଆଇନ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।
- ପୌର ଆଇନର ଉଲ୍ଲଂଘନ ହୋଇଛି: ଆବେଦନକାରୀ
ଏଥିସହିତ ‘ଓଡ଼ିଶା ପୌର ଆଇନ’ର ଧାରା-୫୪ (୧) ଓ (୨) ପାଳନ କରାଯାଇ ନାହିଁ । ଅନାସ୍ଥା ପ୍ରସ୍ତାବ ନୋଟିସ୍ ସହିତ ଏ ସଂପର୍କିତ ଅନୁମତି ଓ ଗୃହୀତ ସଂକଳ୍ପର କପି ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇ ନଥିବାରୁ ଏହା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା । ମାମଲାରେ ଢେଙ୍କାନାଳ ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ କମିସନର, ଭୁବନ ‘ଏନଏସି’ ନିର୍ବାହୀ ଅଧିକାରୀ ଓ କେତେକ କାଉନସିଲରଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଇଟିଭି ଭାରତ, କଟକ