କଟକ: ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ସମ୍ପର୍କିତ ଜନସ୍ବାର୍ଥ ମାମଲାରେ ଶୁଣାଣି ହୋଇଛି । ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ହୋଇଛି ଖାରଜ । ମାମଲାର ପ୍ରାରମ୍ଭିକ ଶୁଣାଣିରେ ଖାରଜ କଲେ ହାଇକୋର୍ଟ । ଓଡିଶା ହାଇକୋର୍ଟ ପିଆଇଏଲ ରୁଲସ ପାଳନ ହୋଇନଥିବା କାରଣରୁ କୋର୍ଟ ଖାରଜ କରିଦେଇଛନ୍ତି । ମାମଲା ଦାୟର ପୂର୍ବରୁ ରାଜ୍ୟ ସରକାରଙ୍କୁ କାହିଁକି ଅଭିଯୋଗ କରାଯାଇନଥିଲା ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି । 2018 ରୁ ଯୋଜନା ଆରମ୍ଭ ହୋଇଥିଲେବି ଏବେ କାହିଁକି ମାମଲା ବୋଲି ବି କୋର୍ଟ ପ୍ରଶ୍ନ କରିଛନ୍ତି । ସମୀର ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ।
ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ନିୟମାବାଳୀର ନିୟମ-୮ ର ଉଲଂଘନ କରାଯାଇଥିବା କୋର୍ଟ ସ୍ପଷ୍ଟ କରିଛନ୍ତି । ଏହି ନିୟମ ଅନୁସାରେ ଆବେଦନ ଦାୟର ପୂର୍ବରୁ ଏହି ପ୍ରସଙ୍ଗରେ ପ୍ରତିକାର ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଆବେଦନକାରୀ ସ୍ମାରକପତ୍ର ପ୍ରଦାନ କରିବା କଥା । ମାତ୍ର ଏହି କ୍ଷେତ୍ରରେ ଏସବୁ କରାଯାଇନଥିବା ସ୍ପଷ୍ଟ ହୋଇଥିଲା । ଓଡ଼ିଶା ହାଇକୋର୍ଟ ପିଆଇଏଲ୍ ନିୟମାବଳୀ ପାଳନ ହୋଇ ନଥିବାରୁ ଏହି ଜନସ୍ବାର୍ଥ ଆବେଦନ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିବା ସହ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ପିଏମଜେଏୱାଇ ଯୋଜନାର ସୁବିଧାରୁ ଓଡ଼ିଶାବାସୀଙ୍କୁ ଦୂରେଇ ରଖି ପରୋକ୍ଷରେ ଉତ୍ତମ ମାନର ସ୍ବାସ୍ଥ୍ୟସେବାରୁ ରାଜ୍ୟ ସରକାର ବଞ୍ଚିତ କରୁଛନ୍ତି ବୋଲି ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା ।