ଓଡିଶା

odisha

ETV Bharat / state

ପୂର୍ବତନ ରାଷ୍ଟ୍ରପତିଙ୍କୁ ଶିକ୍ଷା ଦେଇଥିଲା ଏହି ସ୍କୁଲ, ଟଙ୍କା ଥାଇ ବି ହୋଇପାରୁନି ବିକାଶ - Khallikote Collegiate High School - KHALLIKOTE COLLEGIATE HIGH SCHOOL

Khallikote Collegiate High School: ରାଜ୍ୟର ଦ୍ୱିତୀୟ ପୁରାତନ ଖଲ୍ଲିକୋଟ କଲେଜିଏଟ୍ ଉଚ୍ଚ ବିଦ୍ୟାଳୟ । ସ୍କୁଲ ଆକାଉଣ୍ଟରେ ପଡ଼ି ରହିଛି ଟଙ୍କା । ହେଲେ ହୋଇପାରୁନି ଉପଯୋଗ । ସ୍କୁଲ ପ୍ରତିଷ୍ଠା ହେବାର 168 ବର୍ଷ ବିତିସାରିଥିଲେ ମଧ୍ୟ ଶତାୟୁ ସ୍କୁଲ ଭାବରେ ଯେତିକି ଉନ୍ନତି ହେବା କଥା ତାହା ହୋଇପାରୁନାହିଁ । ଦେଖନ୍ତୁ ଏହି ରିପୋର୍ଟ ।

KHALLIKOTE COLLEGIATE HIGH SCHOOL
KHALLIKOTE COLLEGIATE HIGH SCHOOL (ETV Bharat Odisha)

By ETV Bharat Odisha Team

Published : Jul 19, 2024, 7:47 PM IST

ବ୍ରହ୍ମପୁର:ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ କରି ସେଠାରେ ଅଧ୍ୟୟନରତ ବିଦ୍ୟାର୍ଥୀମାନେ ଯେପରି କମ୍ପୁଟର ଶିକ୍ଷା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଲ୍ୟାବ୍, ଲାଇବ୍ରେରୀ ଭଳି ସୁବିଧା ପାଇପାରିବେ ତାହାକୁ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଗୁରୁତ୍ୱ । ଏହି କ୍ରମରେ ସାରା ରାଜ୍ୟର ସମସ୍ତ ସରକାରୀ ଠାରୁ ଆରମ୍ଭ କରି ବ୍ଲକ ଗ୍ରାଣ୍ଡ ପର୍ଯ୍ୟନ୍ତ ବିଦ୍ୟାଳୟରେ ଏହି ସୁବିଧା ଯୋଗାଇ ଦିଆଗଲା । ବିଦ୍ୟାଳୟ ରୂପାନ୍ତିକରଣ ନାମରେ ବିଦ୍ୟାର୍ଥୀ ଅନେକ ସୁବିଧା ମଧ୍ୟ ପାଇଲେ । ହେଲେ ରାଜ୍ୟର ଦ୍ୱିତୀୟ ପୁରାତନ ବିଦ୍ୟାଳୟର ପରିଚୟ ରହିଥିବା ବ୍ରହ୍ମପୁରର ଖଲ୍ଲିକୋଟ କଲେଜିଏଟ୍ ଉଚ୍ଚ ବିଦ୍ୟାଳୟରେ ସେହି ସୁବିଧା ଅଦ୍ୟାବଧି ଉପଯୋଗ ହୋଇପାରିନାହିଁ । ସରକାରଙ୍କ ରୂପାନ୍ତିକରଣ କାର୍ଯ୍ୟ ପାଇଁ ୪୫ ଲକ୍ଷ ଏବଂ ରାଜ୍ୟର ହେରିଟେଜ୍ ମାନ୍ୟତା ମିଳିଥିବା ଏହି ବିଦ୍ୟାଳୟକୁ ୩୦ ଲକ୍ଷ ମିଶାଇ ସମୁଦାୟ ୭୫ ଲକ୍ଷ ଟଙ୍କା ପଡି ରହିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ନହୋଇପାରି ପଡ଼ିରହିଛି ।

KHALLIKOTE COLLEGIATE HIGH SCHOOL (ETV Bharat Odisha)

ପୂର୍ବତନ ରାଷ୍ଟ୍ରପତି ଏହି ସ୍କୁଲରୁ ପଢିଛନ୍ତି ପାଠ: ରାଜ୍ୟରେ ରେଭେନ୍ସା ପରେ ବ୍ରହ୍ମପୁର ସହରରେ ୧୮୫୬ରେ ସ୍ଥାପିତ ହୋଇଥିଲା ଦ୍ୱିତୀୟ ପୁରାତନ ଖଲ୍ଲିକୋଟ କଲେଜିଏଟ୍ ଉଚ୍ଚ ବିଦ୍ୟାଳୟ । ବ୍ରହ୍ମପୁର ସହରର କେନ୍ଦ୍ରସ୍ଥଳ କୁହାଯାଉଥିବା ଗୋସାଇଁ ନୂଆଗାଁ ଠାରେ ଏହି ବିଦ୍ୟାଳୟକୁ ପ୍ରତିଷ୍ଠା କରାଯାଇଥିଲା । ଆଉ ଏହି ବିଦ୍ୟାଳୟ ରହିଥିଲା ରାଜ୍ୟର ପ୍ରମୁଖ ବିଦ୍ୟାଳୟ ମଧ୍ୟରେ ଅନ୍ୟତମ । ଯେଉଁଥିରେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଭି.ଭି.ଗିରିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ତଥା ଦେଶର ବହୁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ରହିଥିଲା ଶିକ୍ଷା ଗ୍ରହଣର ମନ୍ଦିର । ହେଲେ ବିଦ୍ୟାଳୟ ହେବାର ୧୬୮ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବିଦ୍ୟାଳୟର ଅଣଦେଖା ହୋଇ ରହିଯାଇଛି ।

ନବୀନ ସରକାର କାଳରେ ସ୍କୁଲ ଉନ୍ନତିକରଣ ପାଇଁ ଆସିଥିଲା ଅନୁଦାନ: ବିଗତ କିଛି ମାସ ମଧ୍ୟରେ ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ କରିବା ପାଇଁ ସରକାର ରୂପାନ୍ତିକରଣ ନାମରେ ପ୍ରତ୍ୟେକ ବିଦ୍ୟାଳୟର ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ପାଇଁ କମ୍ପୁଟର ଶିକ୍ଷା ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଲ୍ୟାବ୍, ଲାଇବ୍ରେରୀ ଭଳି ସୁବିଧା ଯୋଗାଇବାକୁ ସରକାର ଗୁରୁତ୍ୱ ଦେଇଥିଲେ । ଏହି ବିଦ୍ୟାଳୟକୁ ମଧ୍ୟ ସେହି ରୂପାନ୍ତିକରଣ କାର୍ଯ୍ୟ ପାଇଁ ୪୫ ଲକ୍ଷ ଟଙ୍କା ଅନୁଦାନ ଆସି ବିଦ୍ୟାଳୟର ମୋ-ସ୍କୁଲ ଆକାଉଣ୍ଟରେ ପଡି ରହିଛି । ହେଲେ ସେଥିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଇନାହିଁ । ସେପଟେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କହିବା କଥା ଯେ, ଟଙ୍କା ଆକାଉଣ୍ଟରେ ରହିଛି ହେଲେ ତାଙ୍କୁ ଉକ୍ତ ଅର୍ଥ ଖର୍ଚ୍ଚ ନକରିବାକୁ ବିଭିନ୍ନ ସ୍ତରରୁ ବାରମ୍ୱାର ନିର୍ଦ୍ଦେଶ ରହିଛି । ସେ ଏନେଇ ସମସ୍ତ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ ।


ସ୍କୁଲରେ ଶିକ୍ଷକ ନାହାନ୍ତି: ସେପଟେ ଚଳିତ ବର୍ଷ ଏହି ବିଦ୍ୟାଳୟରେ ୬ଷ୍ଠରୁ 10ମ ଶ୍ରେଣୀ ମଧ୍ୟରେ ପ୍ରାୟ ୨୩୦ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ହେଲେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହିତ ଅନ୍ୟ ଦୁଇ ଜଣ ପିଅନ୍ ହିଁ ଏଠାରେ ରେଗୁଲାର କର୍ମଚାରୀ ଭାବରେ ରହିଛନ୍ତି । ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ସଂସ୍କୃତ ପଢାଇବା ପାଇଁ ଡେପୁଟେସନରେ ଜଣେ ଶିକ୍ଷୟତ୍ରୀ ସପ୍ତାହକୁ ଦୁଇ ଥର ଆସୁଛନ୍ତି । ଅନ୍ୟପଟେ ରାଜ୍ୟରେ ରହିଥିବା ଶତାୟୁ ବିଦ୍ୟାଳୟ ଗୁଡିକୁ ସରକାରଙ୍କ ପକ୍ଷରୁ ହେରିଟେଜ୍ ମାନ୍ୟତା ପ୍ରଦାନ କରାଯାଇ ନିର୍ବାଚନ ପୂର୍ବରୁ ସେହି ତାଲିକାରେ ଏହି ବିଦ୍ୟାଳୟର ବିକାଶ ପାଇଁ ୩୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ହେଲେ ଦୁଇଟି ଅନୁଦାନକୁ ମିଶାଯାଇ ଅଦ୍ୟାବଧି ୭୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ରହିଥିବା ବେଳେ ତାହାକୁ ଖର୍ଚ୍ଚ କରାଯାଉନଥିରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରାତନ ବିଦ୍ୟାର୍ଥୀ ଓ ଶିକ୍ଷାବିତ୍ ।

ଏହା ମଧ୍ୟ ପଢ଼ନ୍ତୁ...ଶିକ୍ଷାମନ୍ତ୍ରୀଙ୍କ କଥା ମାନୁନି ଶିକ୍ଷା ବିଭାଗ ! ବଦଳିଲେ ସରକାର, ବଦଳୁନି ସରକାରୀ କର୍ମଚାରୀଙ୍କ ମନୋଭାବ - Demanding Money For Certificate


କାହିଁକି ଖର୍ଚ୍ଚ ହୋଇପାରୁନି ଟଙ୍କା:ରାଜ୍ୟର ରାଜଧାନୀ ଠାରୁ ଆରମ୍ଭ କରି ଜିଲ୍ଲାର ସଦର ମହକୁମ୍ମା ଏବଂ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ରହିଥିବା ହାଇସ୍କୁଲ ଗୁଡିକୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହୋଇଛି । ହେଲେ ବ୍ରହ୍ମପୁର ସହରର ଏହି ପୁରାତନ ବିଦ୍ୟାଳୟରେ ୭୫ ଲକ୍ଷ ଟଙ୍କା ପଡିରହିଥିଲେ ମଧ୍ୟ କାହିଁକି ତାହାକୁ ଖର୍ଚ୍ଚ କରାଯାଉନାହିଁ ତାହାକୁ ନେଇ ଜିଲ୍ଲାପାଳଙ୍କ ସହିତ ଖୁବ୍ ଶୀଘ୍ର ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details