ଭୁବନେଶ୍ବର: ବଢିଚାଲିଛି ସଡକ ଦୁର୍ଘଟଣା ଜନିତ ସମସ୍ୟା। ତଥ୍ୟ ଅନୁସାରେ, ରାଜ୍ୟରେ ଦିନକୁ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୫ଜଣ । ସାରା ଦେଶରେ ୪୦୦ରୁ ଅଧିକ ଲୋକଙ୍କ ନିତିଦିନ ଜୀବନ ଯାଉଛି । ତେଣୁ ଦୁର୍ଘଟଣା ଏଡାଇବା ପାଇଁ ଆର୍ଟିଫିସିଆଲ ଟେକ୍ନୋଲୋଜି ଆପଣାଇବା ପାଇଁ ଯୋଜନା କରୁଛି ଓଡ଼ିଶା । ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ଚଳ ପ୍ରଚଳ ହେଉଥିବା ଗାଡିରେ ADAS (Advance Driver Assistance System) ଚିପ୍ ଲଗାଇବା ପାଇଁ ଯୋଜନା ଚାଲିଥିବା ନେଇ ସଡକ ସୁରକ୍ଷା ମାସ ପାଳନ ସମୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ।
ADAS ଟେକ୍ନୋଲୋଜି କ'ଣ?
ଏଭଳି ସିଷ୍ଟମ ଦ୍ବାରା ଆଗକୁ ଦୁର୍ଘଟଣା ଉପରେ ରୋକ ଲାଗିପାରିବ । ଯେଉଁ ଟେକ୍ନୋଲୋଜି ଦ୍ବାରା ସ୍ୱୟଂଚାଳିତ ଭାବେ ଟ୍ରାଫିକ ସିଗ୍ନାଲକୁ ଜାଣି ପାରିବ ଗାଡି । ଗାଡି କେଉଁ ଲେନରୁ କେଉଁ ଲେନରେ ଗତି କରିବ, ସ୍ପିଡ୍ ଲିମିଟ ସହ ଗାଡ଼ିର ଅଟୋମେଟିକ ଦୁର୍ଘଟଣା ଏଡାଇବା ପାଇଁ ଆଣ୍ଟି ବ୍ରେକ ସିଷ୍ଟମ ମଧ୍ୟ ଲାଗୁ ହୋଇପାରିବ । ଏପରିକି ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ ସହ ଏପରି ଦୁର୍ଘଟଣା ଜନିତ ସମସ୍ୟାରୁ ଗାଡ଼ିଟି ଅନ୍ୟ ଗାଡିଠାରୁ କିପରି ବର୍ତ୍ତିପାରିବ ସେଥିପାଇଁ ପ୍ରଚେଷ୍ଟା କରାଯାଉଛି । ଦୁଇ ଚକିଆଠୁ ଚାରି ଚକିଆ ଯାନ ପର୍ଯ୍ୟନ୍ତ ସବୁ ଗାଡିରେ ବ୍ୟବହାର ପାଇଁ ଯୋଜନା କରୁଛି ଓଡ଼ିଶା ପରିବହନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ପରିବହନ ବିଭାଗ ସଚିବ ଉଷା ପାଢୀ । ସେ କହିଛନ୍ତି,"ବିଚାର ବିମର୍ଶ ଚାଲିଛି । କିଭଳି ଏହି ଟେକ୍ନୋଲୋଜି ଜରିଆରେ ଆଗକୁ ଦୁର୍ଘଟଣାକୁ ଏଡାଇ ହେବ, ଚେଷ୍ଟା କରାଯାଉଛି । ଚଳିତ ବର୍ଷ 'Come Home Safe' ଥିମ୍ ରହିଛି । ଆଗକୁ ଆହୁରି ସଚେତନତା ସହ ପୋଲିସ ନିଯୁକ୍ତି କରାଯିବ ।"
ସଡକ ସୁରକ୍ଷା ମାସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ:
'Come Home Safe' ର ନାରା ଦେଇ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ଉଦବୋଧନ ଦେଇଥିଲେ । ଏହି ଅବସରରେ ସଡ଼କ ସୁରକ୍ଷାର ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ସଚେତନତା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ମାଷ୍ଟରକ୍ୟାଣ୍ଟିନ ଛକରୁ ଶ୍ରୀରାମ ମନ୍ଦିର ଯାଏଁ ପଦଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାନୁଆରୀ ମାସ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, "ବିଗତ 10 ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ 47 ହଜାରରୁ ଅଧିକ ଜୀବନ ଯାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ । ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା କମ୍ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ । ସମୟ ଆସିଯାଇଛି, ସଡ଼କ ସୁରକ୍ଷାକୁ ଗଣ ଅଭିଯାନରେ ପରିଣତ କରିବାକୁ ହେବ ।" ସଡକ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ 2000 ନୂତନ ଟ୍ରାଫିକ ପୋଲିସ ପଦବୀ ସୃଷ୍ଟି କରାଯିବା ସହିତ ଚଳିତ ବର୍ଷ 500 ଟ୍ରାଫିକ ପୋଲିସ ପଦବୀ ପୂରଣ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ଲଞ୍ଚ ହେଲା ନିଜସ୍ବ ଯାତ୍ରୀ ଆପ୍ :
ଓଲା ଏବଂ ଓବେର ଭଳି ଯାତ୍ରୀଙ୍କୁ ଟ୍ୟାକ୍ସି ସେବା ପ୍ରଦାନକାରୀ ଆପ୍ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଲଞ୍ଚ କରାଯାଇଛି । ଯାହାକୁ କ୍ରୁଟ ପକ୍ଷରୁ ଅପରେଟ କରାଯାଉଥିବାବେଳେ ଏହାଦ୍ବାରା ଜନସାଧାରଣ ସୁଲଭ ଓ ସୁବିଧା ଜନକ ଯାତ୍ରାର ଅନୁଭୁତି ପାଇବେ। ‘ଓଡିଶା ଯାତ୍ରୀ ଆପ୍' ମାଧ୍ୟମରେ ଯାତ୍ରୀ ଗୋଟିଏ କ୍ଲିକରେ ନିଜର ଗନ୍ତବ୍ୟ ସ୍ଥଳ ପାଇଁ ସହଜରେ ଅଟୋ ଓ ଟ୍ୟାକ୍ସି ପାଇପାରିବେ । ଏହି ବ୍ୟବସ୍ଥା ଉଭୟ ଚାଳକ ଓ ଯାତ୍ରୀଙ୍କ ପାଇଁ ଲାଭଦାୟକ । ଏହା ଆହୁରି ଶସ୍ତା କମ ଦେୟମୁକ୍ତ ରହିବ । ସଡକ ସୁରକ୍ଷା ମାସ ପାଳନ ଅବସରରେ ପିଏମଜିରୁ ଏକ ଗଣ ଦୌଡ ଆରମ୍ଭ ହୋଇ ରାମମନ୍ଦିର ଯାଏଁ ଯାଇଥିଲା। ଏହି ଗଣ ଦୋଡ ଦ୍ବାରା ଲୋକଙ୍କୁ ସଡକ ସୁରକ୍ଷା ନେଇ ସଚେତନ କରାଯାଇଛି ।
ଦୁର୍ଘଟଣା ହାର:
ଦୁର୍ଘଟଣା ହାର କହୁଛି ଗତ ବର୍ଷ ୧୦, ୦୫୦ ଟି ଦୁର୍ଘଟଣା ଘଟିଛି । ଯେଉଁଠି ୪,୯୮୨ ଜଣ ମୃତ୍ୟୁବରଣ କରିଛନ୍ତି । ୮, ୮୪୮ ଜଣ ଆହାତ ହୋଇଛନ୍ତି । ସବୁଠାରୁ ଦୁର୍ଘଟଣା ପ୍ରବଣ ଜିଲ୍ଲା ହେଉଛି ମୟୂରଭଞ୍ଜ , କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, କଟକ ଖୋର୍ଦ୍ଧା ଓ ସମ୍ବଲପୁର । ୬୭ପ୍ରତିଶତ ଦୁର୍ଘଟଣା କେବଳ ଦ୍ରୁତ ଯୋଗୁଁ ଘଟୁଛି । ଅର୍ଥାତ୍ ନିର୍ଦ୍ଧାରିତ ବେଗଠରୁ ଅଧିକ ବେଗରେ ଗତି ଯୋଗୁଁ ଦୁର୍ଘଟଣା ଘଟୁଛି । 50% ଦୁଇ ଚକିଆ ଦୁର୍ଘଟଣା ବିନା ହେଲମେଟ ଯୋଗୁଁ ଘଟୁଛି । ଯାହାକି ଅତ୍ୟନ୍ତ ଉଦବେଗଜନକ ରହିଛି ।
ଇଟିଭି ଭାରତ, ଭୁବନେଶ୍ବର