ଭୁବନେଶ୍ୱର: ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ନୂଆ ଷ୍ଟେସନ ଲୋକାର୍ପିତ ଦେବାକୁ ଲକ୍ଷ୍ୟ ରଖାଯାଇଛି ।
ସାଂସଦଙ୍କ ନୂଆ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମୀକ୍ଷା:
ଗତକାଲି(ଶନିବାର) ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟ ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ସାଂସଦ । ଏହାସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାର୍ଯ୍ୟ ଶେଷ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ପୁରୁଣା ଷ୍ଟେସନରେ ଯାତ୍ରୀମାନଙ୍କର କୌଣସି ଅସୁବିଧା ନକରି ଚାଲିଥିବା ନିର୍ମାଣ କାର୍ଯ୍ୟକୁ ଖୁବ ପ୍ରଶଂସା କରିଛନ୍ତି । ନିର୍ମାଣ କାର୍ଯ୍ୟରେ ଯଦି କିଛି ସୁବିଧା ଅସୁବିଧା ରହିଥାଏ, ତାର ସମାଧାନ ଲାଗି ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ସେ ଦେଇଛନ୍ତି । ଏହି ନବୀକରଣ କାର୍ଯ୍ୟରେ କେବଳ ରେଳ ବିଭାଗ ନୁହେଁ, ବିଡିଏ, ନଗର ଉନ୍ନୟନ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ସମେତ ରାଜ୍ୟ ସରକାରଙ୍କର ଅନେକ ବିଭାଗ ପ୍ରତ୍ୟକ୍ଷ ଏବଂ ପରୋକ୍ଷଭାବରେ ଯୋଡି ରହି ସେମାନଙ୍କର ଦାୟିତ୍ବ ସଠିକ ଭାବେ ତୁଲାଉଛନ୍ତି । ଯାହାର ଖୁବ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ସାଂସଦ । ଭୁବନେଶ୍ୱର ରେଳ ଷ୍ଟେସନର ଉନ୍ନତିକରଣ ଲାଗି ସାଧାରଣ ପ୍ରଶାସନ ବିଭାଗ ରେଳ ବିଭାଗକୁ 12 ଏକରରୁ ଅଧିକ ଜମି ପ୍ରଦାନ କରିଛି । ଆବଶ୍ୟକ ଥିବା ଆଉ 1 ଏକର 23 ଡିସିମିଲ ଜମି ପାଇଁ ବିଡିଏକୁ ନିବେଦନ କରିଛି ଇଷ୍ଟକୋଷ୍ଟ ରେଲଓ୍ୱେ । ତାହା ମଧ୍ୟ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା ।
ଏହା ବି ପଢନ୍ତୁ...ଡପଲର ରାଡାର ପାଇଁ ସମ୍ବଲପୁରରେ ପ୍ରସ୍ତୁତି, 10 ବର୍ଷରୁ ଅଟକି ଥିଲା ପ୍ରକଳ୍ପ ଏହା ବି ପଢନ୍ତୁ...ଭୁବନେଶ୍ବର ଷ୍ଟେସନରେ ରେଳମନ୍ତ୍ରୀ, ନବୀକରଣ କାର୍ଯ୍ୟର କଲେ ସମୀକ୍ଷା |
ଅଗଷ୍ଟ ସୁଦ୍ଧା ନୂଆ ଷ୍ଟେସନ ଲୋକାର୍ପିତ:
ସାସଂଦ ଅପରାଜିତା କହିଛନ୍ତି, "ରେଳ ଷ୍ଟେସନକୁ ସଂଯୋଗ କରିବା ଲାଗି ଅନ୍ୟ ଦୁଇଟି ରାସ୍ତା ଲାଗି କିଛି ଅନୁମତି ବାକି ରହିଛି । ତେବେ ବିଡିଏ ଏବଂ ଅନ୍ୟ ବିଭାଗ ସହ ଆଲୋଚନା କରି ଏହାର ସମାଧାନ କରିବାକୁ ଚେଷ୍ଟା କରିବି । 2023 ମସିହା ମାର୍ଚ୍ଚ ମାସରୁ ଆରମ୍ଭ ହୋଇଛି ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ । ଯେଉଁଥିଲାଗି 418 କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ନୂଆ ଷ୍ଟେସନ ଲୋକାର୍ପିତ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଷ୍ଟେସନ କାର୍ଯ୍ୟକ୍ଷମ ହେଲେ ଏଠାରେ ଯାତ୍ରୀ ସଂଖ୍ୟା ବଢ଼ିବ । ଭୁବନେଶ୍ୱର ରେଳ ଷ୍ଟେସନ ବର୍ତ୍ତମାନ ଦୈନିକ 70ରୁ 80 ହଜାର ଲୋକଙ୍କୁ ସେବା ଯୋଗାଉଛି । ଆଗକୁ ଏହାର କ୍ଷମତା 1 ଲକ୍ଷ 44 ହଜାରକୁ ବୃଦ୍ଧି ପାଇବ । ବିଭିନ୍ନ ପ୍ରକାରର ଫୁଡ୍ କୋର୍ଟ, ସପିଂ ମଲ୍, ଦୋକାନ ବଜାର ସ୍ଥାପନ ଦ୍ୱାରା ଯାତ୍ରୀମାନେ ଏଠାରେ ଅତ୍ୟାଧୁନିକ ସେବାମାନ ପାଇପାରିବେ । ରେଳ ଷ୍ଟେସନର କାନ୍ଥ ସବୁ ଓଡ଼ିଶାର ଉନ୍ନତ କଳା ସଂସ୍କୃତିକୁ ବଖାଣିବ।"