ଭୁବନେଶ୍ବର: ରାଜ୍ୟରେ ସଡକ ଦୁର୍ଘଟଣା କ୍ଷେତ୍ରରେ ବଡ଼ ପଦକ୍ଷେପ । NH (ଜାତୀୟ ରାଜପଥ) ଓ SH(ରାଜ୍ୟ ରାଜପଥ) କଡ଼ରେ ଆରମ୍ଭ ହୋଇଛି ରାଡାର ଟ୍ରାକିଂ । ଏଥିପାଇଁ ନୂତନ IEMS ସିଷ୍ଟମର ଶୁଭାରମ୍ଭ କରିଛି ପରିବହନ ବିଭାଗ । ଏହାସହ ଦୁର୍ଘଟଣା ରୋକିବା କ୍ଷେତ୍ରରେ ଉଲ୍ଲଙ୍ଘନକାରୀଙ୍କୁ ଜଗିବାକୁ ୭ଟି ସ୍ଥାନରେ ଚାଲୁ ହୋଇଛି ଏହି ରାଡାର ଟ୍ରାକିଂ ସିଷ୍ଟମ । ଏଥର ଅମାନିଆଙ୍କ ପାଇଁ ସୃଷ୍ଟି ହେବନି ଦୁର୍ଘଟଣା ଜନିତ ସମସ୍ୟା । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନଜର ରଖିବାକୁ ଆରମ୍ଭ ହୋଇଛି ରାଡାର ଟ୍ରାକିଂ ସିଷ୍ଟମ । ଅର୍ଥାତ ନୂଆ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମରେ ଅନେକ ଦିଗ ପ୍ରତି ନଜର ରଖିବା ଭଳି ସୁବିଧା ଉପଲବ୍ଧ ରହିଛି । ତିନି ଜଣିଆ ବାଇକ ଡ୍ରାଇଭିଂ ଟ୍ରାକ୍ କରିବା କ୍ଷମତାଠାରୁ ଆରମ୍ଭ କରି ଅଧିକ ଯାତ୍ରୀ ନେଇ ଯାଉଥିବା ତିନି ଚକିଆ ଅଟୋ ବା ସିଲ୍ଟ ବେଲ୍ଟ ନପିନ୍ଧି ଯାତାୟତ କରୁଥିବା ଚାରି ଚକିଆ ଯାନ ପ୍ରତି ନଜର ରଖାଯିବ ।
ଦ୍ରୁତ ଗତିରେ ଗାଡିରେ ଯାତ୍ରା ହେଉ ବା ରଙ୍ଗରୁଟ ଡ୍ରାଇଭିଂ ଭଳି ବିପଦପୂର୍ଣ୍ଣ ଯାତାୟତ କରୁଥିବା ଯାନମାନଙ୍କୁ ସହଜରେ ଟ୍ରାକିଂ କରିବ ଏହି ରାଡାର ଟ୍ରାକିଂ । ଏହି ସିଷ୍ଟମରେ ଲାଗିଛି ହାଇଡେଫିନେସନ କ୍ୟାମେରା । ଯେଉଁଥିରେ ରାସ୍ତାର ଅନତି ଦୂରରୁ ଅତିକ୍ରମ କରୁଥିବା ପ୍ରତିଟି ଯାନର ଯାତାୟତ ଉପରେ ନଜର ରଖି ମନିଟର କରିବ । ନିୟମ ଉଲ୍ଲଙ୍ଘନ କରୁଥିଲେ ରେଡ ମାର୍କ କରି ତୁରନ୍ତ ସେହି ନମ୍ବରରେ ଚାଲାଣ କଟିବ ନଚେତ୍ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆଲର୍ଟ ହେବ । ଏହି ନୂତନ ଜ୍ଞାନକୌଶଳ ଏଥର ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାରେ ଏକ ମହତ୍ତ୍ୱପୂର୍ଣ ଭୂମିକା ବହନ କରିବ । ପବିତ୍ର ରଥଯାତ୍ରା ଅବସରରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା IEMS ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱରର କେଶୁରା ଛକ, ପିପିଲି ଏନଏଚ କୋଶଲ୍ୟାଗଙ୍ଗ ଛକ , ପୋଟଳ ଛକ, ବିରଭଦ୍ରପୁର ଛକ, ମାଳତିପାଟପୁର ଠାରେ ଏହି IEMS ରାଡାର ଟ୍ରାକିଂ ସିଷ୍ଟମ କାର୍ଯ୍ୟକାରୀ କରାଯିବ । ଏନେଇ ଗିରିସୋଲାଠୁ ଲକ୍ଷ୍ମଣାନାଥ ପର୍ଯ୍ୟନ୍ତ ଏହି ରାଡାର ଟ୍ରାକିଂ ଜରିଆରେ ନଜର ରଖିବାକୁ ବ୍ୟବସ୍ଥା ହେବାକୁ ଯାଉଛି ।