ଓଡିଶା

odisha

ETV Bharat / state

NEP-2020 ଲାଗୁ ପରେ ୫ ବର୍ଷରୁ କମ ବୟସ୍କ ଯିବେ ‘ବାଳବାଟିକା’, ଜାଣନ୍ତୁ କ’ଣ ବଦଳିବ ? - NEP 2020 IN ODISHA

ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ । ରାଜ୍ୟ ସରକାର ଏବେ ସ୍କୁଲ ସ୍ତରରେ ଲାଗୁ କରିବେ ଜାତୀୟ ଶିକ୍ଷାନୀତି-2020 ।

NEP-2020 ଲାଗୁ ପରେ ୫ ବର୍ଷରୁ କମ ବୟସ୍କ ଯିବେ ‘ବାଳବାଟିକା’, ଜାଣନ୍ତୁ କ’ଣ ବଦଳିବ ?
NEP-2020 ଲାଗୁ ପରେ ୫ ବର୍ଷରୁ କମ ବୟସ୍କ ଯିବେ ‘ବାଳବାଟିକା’, ଜାଣନ୍ତୁ କ’ଣ ବଦଳିବ ? (ETV Bharat Odisha)

By ETV Bharat Odisha Team

Published : Jan 16, 2025, 7:35 PM IST

ଭୁବନେଶ୍ବର:ରାଜ୍ୟରେ ଜାତୀୟ ଶିକ୍ଷା ନୀତି (NEP)- ୨୦୨୦ ଲାଗୁ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍‌ ପ୍ରସ୍ତୁତି କରିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତେବେ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗରେ ଆସୁଥିବା ବେଳେ ସ୍କୁଲ ସ୍ତରରେ ଜାତୀୟ ଶିକ୍ଷାନୀତି 2020 ରାଜ୍ୟ ସରକାର ଏବେ ଲାଗୁ କରିବେ। ଆଞ୍ଚଳିକ ବିଷୟବସ୍ତୁ ଥିବା ପାଠ ପଢାଯିବ ଏବଂ ସେନେଇ ପାଠ୍ୟ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯିବ।

  • ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲରେ ଲାଗୁ ହେବ NEP ୨୦୨୦:-

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ କହିଛନ୍ତି ଯେ, "ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ ବା NEP 2020। ଏହା ଐତିହାସିକ ପଦକ୍ଷେପ ଅଟେ। ଏହା ଲାଗୁ ହେବା ଦ୍ଵାରା ଶିକ୍ଷା ସରଳୀକାରଣ ହେବ। FLM (ଫଣ୍ଡାମେଣ୍ଟାଲ ଲିଟିରାସୀ ଆଣ୍ଡ ନ୍ୟୁମେରାସି) ଓଡ଼ିଶାରେ ଲାଗୁ କରାଯିବ। ପ୍ରାଥମିକ ସ୍ତରରେ ପିଲା ମାନେ ସ୍ଥିତି ଠିକ ରହିବା ନେଇ ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର। ଏଥିରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ବିଦ୍ୟାଳୟ ସ୍ତରରେ ଧନ୍ଦାମୂଳକ ଶିକ୍ଷା ବି ଦିଆଯାଉଛି। ବିଶେଷ କରି ଓଡ଼ିଆ ଭାଷା କଳା ଓ ସଂକୃତିକୁ ବି ଏଥିରେ ପ୍ରଚାର ପ୍ରସାର କରାଯାଉଛି" ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

NEP-2020 ଲାଗୁ ପରେ ୫ ବର୍ଷରୁ କମ ବୟସ୍କ ଯିବେ ‘ବାଳବାଟିକା’, ଜାଣନ୍ତୁ କ’ଣ ବଦଳିବ ? (ETV Bharat Odisha)
  • କଣ ବଦଳିବ, କଣ ସାମିଲ ହେବ ?

NEP ଲାଗୁ ହେଲେ ଜିରୋ ଡ୍ରପ ଆଉଟ ହେବା ସହ ଗୁଣାତ୍ମକ ଶିକ୍ଷା ମିଳି ପାରିବ। ସେଥିପାଇଁ ମାଧବ ସିଂ ହାତଖର୍ଚ୍ଚ ଯୋଜନା ବି ଲାଗୁ ହୋଇଛି। ଏଥିରେ ୧୫୬ କୋଟି ବ୍ୟୟ ବରାଦ ହୋଇଛି। ନବମ ଓ ଏକାଦଶ ଶ୍ରେଣୀରେ ପିଲା ମାନେ ନାମ ଲେଖାଇଲେ ତାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ପିଏମଶ୍ରୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ଶହ MOU ସ୍ଵାକ୍ଷର ହୋଇ ଓଡ଼ିଶାର ପ୍ରାୟ ୩୫୬ ସ୍କୁଲ ମିଳିଛି। ଆହୁରି ସ୍କୁଲ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ। ଏହା ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ। ଜାନୁଆରୀ ୨୧ ରୁ ୨୩ ଯାଏଁ NEP କର୍ମଶାଳା ହେବ। NEP ୨୦୨୦ ରେ ଆସନ୍ତା ଶିକ୍ଷା ବର୍ଷରୁ ବାଲବାଟିକା ଥ୍ରୀ ନିଆଯିବ। ପରବର୍ତୀ ସମୟରେ ବାଲବାଟିକା ୧ ଓ ୨ ବର୍ଷରୁ ନେବାକୁ ଯୋଜନା ହେଉଛି" ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡ।

ବିଦ୍ୟାଳୟ ଶିକ୍ଷାରେ ବର୍ତ୍ତମାନର ୧୦ + ୨ ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ୩ରୁ ୧୮ ବର୍ଷ ମଧ୍ୟରେ ଥିବା ୫ + ୩ + ୩ + ୪ ର ଶୈକ୍ଷଣିକ ଓ ପାଠ୍ୟକ୍ରମର ଢାଞ୍ଚାକୁ ଲାଗୁ କରାଯିବ। ବର୍ତ୍ତମାନ ୩ ରୁ ୬ ବର୍ଷ ବୟସର ଶିଶୁମାନେ ୧୦ + ୨ ଢାଞ୍ଚାରେ ଅନ୍ତର୍ଭୁକ୍ତ ନୁହଁନ୍ତି କାରଣ ୬ ବର୍ଷ ବୟସରେ ପ୍ରଥମ ଶ୍ରେଣୀ ଆରମ୍ଭ ହୋଇଥାଏ । ନୂତନ ୫ + ୩ + ୩ + ୪ ଢାଞ୍ଚାରେ ୩ ବର୍ଷ ବୟସରୁ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାର ଏକ ସୁଦୃଢ଼ ମୂଳଦୁଆକୁ ଅନ୍ତର୍ଭୁକ୍ତ କରାଯାଇଛି। ଯାହାର ଉଦ୍ଦେଶ୍ୟ ଉନ୍ନତ ସାମଗ୍ରିକ ଶିକ୍ଷା, ବିକାଶ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବ।

  • ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା:-

ଶିକ୍ଷାର ମୂଳଦୁଆ ଶିଶୁର ମସ୍ତିଷ୍କର ୮୫ % ରୁ ଅଧିକ ବିକାଶ ୬ ବର୍ଷ ବୟସ ପୂର୍ବରୁ ହିଁ ଘଟିଥାଏ। ସୁସ୍ଥ ମସ୍ତିଷ୍କର ବିକାଶ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ପ୍ରାରମ୍ଭିକ ବର୍ଷମାନଙ୍କରେ ମସ୍ତିଷ୍କର ଉପଯୁକ୍ତ ଯତ୍ନ ଓ ଉତ୍ସାହର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ବର୍ତ୍ତମାନ କୋଟି କୋଟି ଛୋଟ ପିଲା ବିଶେଷକରି ସାମାଜିକ -ଅର୍ଥନୈତିକ ଅନଗ୍ରସର ପିଲାଙ୍କ ପାଇଁ ଗୁଣାତ୍ମକ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପଲବ୍ଧ ନାହିଁ । ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାରେ ଶକ୍ତିଶାଳୀ ବିନିବେଶ ସମସ୍ତ ଛୋଟ ପିଲାଙ୍କୁ ଏପରି ସୁଯୋଗ ଦେବାର ସାମର୍ଥ୍ୟ ରଖିଥାଏ। ଯେଉଁଥିରେ ସେମାନେ ଜୀବନସାରା ଶିକ୍ଷା ବ୍ୟବସ୍ଥାରେ ଅଂଶଗ୍ରହଣ ଓ ଉନ୍ନତି କରିବାକୁ ସକ୍ଷମ ହୋଇଥାନ୍ତି। ବାଲ୍ୟକାଳର ବିକାଶ, ଯତ୍ନ ଏବଂ ଶିକ୍ଷାର ଗୁଣାତ୍ମକତାର ସାର୍ବଜନୀନ ବ୍ୟବସ୍ଥା ଏହିପରି ଶୀଘ୍ର ସମ୍ଭବ ହେବା ଆବଶ୍ୟକ। ଯଦ୍ୱାରା ଏହା ସୁନିଶ୍ଚିତ କରାଯାଇ ପାରିବ ଯେ ପ୍ରତ୍ୟେକ ଶିକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଯୋଗ ଦେବାକୁ ପ୍ରସ୍ତୁତ ଥିବେ।

  • ୫ ବର୍ଷ ବୟସ ପୂର୍ବରୁ ପିଲା ଯିବେ “ବାଳବାଟିକା”:-

୫ ବର୍ଷ ବୟସ ପୂର୍ବରୁ ପ୍ରତ୍ୟେକ ପିଲା “ପ୍ରସ୍ତୁତ ଶ୍ରେଣୀ” କିମ୍ବା “ବାଳବାଟିକା”(ଅର୍ଥାତ, ପ୍ରଥମ ଶ୍ରେଣୀ ପୂର୍ବରୁ) ଯିବେ। ଯେଉଁଠି ଜଣେ ଯୋଗ୍ୟ ଶିକ୍ଷକ ଉପଲବ୍ଧ ଥିବେ। ପ୍ରସ୍ତୁତି ଶ୍ରେଣୀର ଶିକ୍ଷଣ କ୍ରୀଡ଼ା-ଆଧାରିତ ହେବ। ଯାହାକି ଜ୍ଞାନଗତ, ଭାବଗତ ଏବଂ କ୍ରିୟାତ୍ମକ ଦକ୍ଷତାର ବିକାଶ ଏବଂ ପ୍ରାଥମିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଉପରେ ବିଶେଷ ଧ୍ୟାନ ଦେବେ। ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ପ୍ରସ୍ତୁତି ଶ୍ରେଣୀକୁ ସଂପ୍ରସାରିତ କରାଯିବ। ଅଙ୍ଗନୱାଡ଼ି ବ୍ୟବସ୍ଥାରେ ଥିବା ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଅଭିବୃଦ୍ଧି ତଦାରଖ କାର୍ଯ୍ୟକ୍ରମ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀ ତଥା ଅଙ୍ଗନୱାଡ଼ିର ପ୍ରସ୍ତୁତି ଶ୍ରେଣୀ ଶିକ୍ଷାର୍ଥୀଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ।

  • ଜାତୀୟ ଶିକ୍ଷା ନୀତି 2020 :-

ଉଭୟ ଶୈକ୍ଷିକ ଓ ଅଣଶୈକ୍ଷିକ କ୍ଷେତ୍ରରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷକ ତଥା ପିତାମାତାଙ୍କୁ ସମ୍ବେଦନଶୀଳ କରି ପ୍ରତ୍ୟେକ ଶିକ୍ଷାର୍ଥୀର ଅନନ୍ୟ ସାମର୍ଥ୍ୟକୁ ଚିହ୍ନିବା, ସ୍ୱୀକାର କରିବା ଓ ତା’କୁ ବୃଦ୍ଧି କରିବା ଲକ୍ଷ୍ୟ ରହିଛି। ତୃତୀୟ ଶ୍ରେଣୀ ସୁଦ୍ଧା ସମସ୍ତ ବିଦ୍ୟାଳୟ ଦ୍ୱାରା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରାପ୍ତ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ନମନୀୟତା, ଯଦ୍ୱାରା ଶିକ୍ଷାର୍ଥୀମାନେ ସେମାନଙ୍କର ଶିକ୍ଷଣ ଗତି ଓ କାର୍ଯ୍ୟକ୍ରମ ବାଛିବେ ଏବଂ ସେମାନଙ୍କର ପ୍ରତିଭା ଓ ଆଗ୍ରହ ଅନୁଯାୟୀ ଜୀବନରେ ନିଜର ପଥ ବାଛିବା ପାଇଁ କ୍ଷମତା ରଖିବେ। କଳା ଓ ବିଜ୍ଞାନ ମଧ୍ୟରେ, ପାଠ୍ୟକ୍ରମ ଓ ଅତିରିକ୍ତ ପାଠ୍ୟକ୍ରମ କାର୍ଯ୍ୟ ମଧ୍ୟରେ ଧନ୍ଦାମୂଳକ ଓ ଶୈକ୍ଷିକ ବିଭାଗ ମଧ୍ୟରେ କୌଣସି ଦୃଢ଼ ପୃଥକତା ରହିବ ନାହିଁ। ଯଦ୍ୱାରା ଶିକ୍ଷାର ବିଭିନ୍ନ କ୍ଷେତ୍ର ମଧ୍ୟରେ ଓ ଢାଞ୍ଚା ମଧ୍ୟରେ ଥିବା କ୍ଷତିକାରକ ଅନୁକ୍ରମକୁ ଦୂର କରିବ।

ସମସ୍ତ ଜ୍ଞାନ ମଧ୍ୟରେ ଏକତା ଏବଂ ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଏବଂ ବହୁମ଼ୁଖୀ ବିଶ୍ୱ ପାଇଁ ବିଜ୍ଞାନ, ସାମାଜିକ ବିଜ୍ଞାନ, କଳା, ମାନବିକୀ ଏବଂ କ୍ରୀଡ଼ା ମଧ୍ୟରେ ବହୁବିଷୟକ ଶିକ୍ଷା ଓ ସାମଗ୍ରୀକ ଶିକ୍ଷାର ବ୍ୟବସ୍ଥା ରହିବ। ପରୀକ୍ଷା- ପାଇଁ- ଶିଖିବା ଓ ଘୋଷି ଶିଖିବା ପରିବର୍ତ୍ତେ ଧାରଣାର ବୋଧଗମ୍ୟତା ଉପରେ ଗୁରୁତ୍ୱ ଦିଆଯିବ। ଯୁକ୍ତିସଂଗତ ନିଷ୍ପତ୍ତି ନେବା ଏବଂ ନବାଚାରକୁ ଉତ୍ସାହିତ କରିବା ପାଇଁ ସୃଜନଶୀଳତା ଏବଂ ବିଶ୍ଳେଷଣାତ୍ମକ ଚିନ୍ତନ ଉପରେ ଗୁରୁତ୍ୱ ଦିଆଯିବ। ସମାନୁଭୂତି, ଅନ୍ୟମାନଙ୍କ ପ୍ରତି ସମ୍ମାନ, ପରିଚ୍ଛନ୍ନତା, ସୌଜନ୍ୟ, ଗଣତାନ୍ତ୍ରିକ ଭାବନା, ସେବା ମନୋଭାବ, ସର୍ବସାଧାରଣ ସଂପତ୍ତି ପ୍ରତି ସମ୍ମାନ, ବୈଜ୍ଞାନିକ ଚିନ୍ତାଧାରା, ସ୍ୱାଧୀନତା, ଦାୟିତ୍ୱବୋଧ, ବହୁତ୍ୱବାଦ, ସମାନତା ଏବଂ ନ୍ୟାୟ ପରି ନୈତିକ ଏବଂ ମାନବିକ ତଥା ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦିଆଯିବ।

ବହୁଭାଷୀତା ଏବଂ ଶିକ୍ଷାଦାନ ଓ ଶିକ୍ଷଣରେ ଭାଷାର ଶକ୍ତିପ୍ରୋତ୍ସାହିତ କରିବ। ଜୀବନ କୌଶଳ, ଯେପରି - ଭାବ ବିନିମୟ, ସହଯୋଗ, ଦଳଗତ କାର୍ଯ୍ୟ ଓ ସ୍ଥିରତା। ଆଜିର କୋଚିଂ ସଂସ୍କୃତିକୁ ଉତ୍ସାହିତ କରୁଥିବା ସମାପ୍ତିସୂଚକ ମୂଲ୍ୟାୟନ ଅପେକ୍ଷା ଶିକ୍ଷଣ ପାଇଁ ନିୟମିତ ଗଠନମୂଳକ ମୂଲ୍ୟାୟନ ଉପରେ ଗୁରୁତ୍ୱ। ଶିକ୍ଷାଦାନ ଓ ଶିକ୍ଷଣରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର, ଭାଷା ପ୍ରତିବନ୍ଧକ ହଟାଇବା, ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ପାଇଁ ସୁଯୋଗ ବୃଦ୍ଧି କରିବା ଏବଂ ଶିକ୍ଷାଗତ ଯୋଜନା ଓ ପରିଚାଳନା। ବିବିଧତା ପ୍ରତି ସମ୍ମାନ ଏବଂ ସମସ୍ତ ପାଠ୍ୟକ୍ରମ, ଶିକ୍ଷାଦାନ ପ୍ରକ୍ରିୟା ଏବଂ ନୀତିରେ ସ୍ଥାନୀୟ ପ୍ରସଙ୍ଗ ପାଇଁ ସମ୍ମାନ।ସର୍ବଦା ମନେରଖିବା ଉଚିତ ଯେ ଶିକ୍ଷା ଯୁଗ୍ମ ତାଲିକା ଭୁକ୍ତ ବିଷୟ। ସମସ୍ତ ଶିକ୍ଷାଗତ ନିଷ୍ପତ୍ତିର ମୂଳଦୁଆ ଭାବେ ପୂର୍ଣ୍ଣ ସମତା, ଏବଂ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଯିବ, ଯେପରି ସମସ୍ତ ଶିକ୍ଷାର୍ଥୀ ଶିକ୍ଷା ବ୍ୟବସ୍ଥାରେ ଅଗ୍ରଗତି କରିବାକୁ ସମର୍ଥ ହେବେ।

  • ଜାତୀୟ ଶିକ୍ଷାନୀତିର ଦୂରଦୃଷ୍ଟି

ଏହି ଜାତୀୟ ଶିକ୍ଷା ନୀତି ଭାରତୀୟ ଲୋକାଚାର ଉପରେ ଆଧାରିତ ଏକ ଶିକ୍ଷା ବ୍ୟବସ୍ଥାର ପରିକଳ୍ପନା କରିଛି। ଯାହା ଭାରତକୁ ରୂପାନ୍ତର କରିବାରେ ସିଧାସଳଖ ଅବଦାନ ଦେବ ଅର୍ଥାତ ଏକ ସମାନତା ଓ ଉତ୍ସାହୀ ଜ୍ଞାନଭିତ୍ତିକ ସମାଜରେ ସମସ୍ତଙ୍କୁ ଉଚ୍ଚ ଗୁଣାତ୍ମକମାନର ଶିକ୍ଷା ପ୍ରଦାନ କରି ଭାରତକୁ ଜ୍ଞାନର ଏକ ବିଶ୍ୱ ଶକ୍ତିରେ ପରିଣତ କରିବ । ଏହି ନୀତିରେ ପରିକଳ୍ପନା କରାଯାଇଛି ଯେ, ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ପ୍ରକ୍ରିୟା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ମୌଳିକ କର୍ତ୍ତବ୍ୟ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି ଗଭୀର ସମ୍ମାନର ଭାବନା, ନିଜ ଦେଶ ସହିତ ବନ୍ଧନ, ଏବଂ ପରିବର୍ତ୍ତିତ ଦୁନିଆରେ ବ୍ୟକ୍ତିର ଭୂମିକା ଓ ଦାୟିତ୍ୱ ସଂପର୍କରେ ସଚେତନ

କରାଇବ । ଏହି ନୀତିର ଦୃଷ୍ଟିକୋଣ ହେଉଛି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଭାରତୀୟ ହେବାର ଏକ ଗଭୀର ଗର୍ବଭାବ ସୃଷ୍ଟି କରିବା। କେବଳ ଚିନ୍ତାଧାରାରେ ନୁହେଁ ବରଂ ଆତ୍ମା, ବୁଦ୍ଧି ଏବଂ କାର୍ଯ୍ୟରେ ମଧ୍ୟ ଜ୍ଞାନ, କୌଶଳ, ମୂଲ୍ୟବୋଧ ଏବଂ ମନୋଭାବ ବିକାଶ କରାଇବା ଯାହା ଦାୟିତ୍ୱପୂର୍ଣ୍ଣ ପ୍ରତିବଦ୍ଧତାକୁ ସମର୍ଥନ କରେ । ମାନବିକ ଅଧିକାର, ସ୍ଥାୟୀ ବିକାଶ ଏବଂ ଜୀବନଯାପନ ଏବଂ ବିଶ୍ୱ ସନ୍ତୁଷ୍ଟି ଓ ସୁସ୍ଥତା, ଯଦ୍ୱାରା ଏକ ପ୍ରକୃତ ବିଶ୍ୱ ନାଗରିକତା ପ୍ରତିଫଳିତ ହୁଏ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details