ଭୁବନେଶ୍ୱର:ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଭିଡିଓ କଲିଂ ମାଧ୍ୟମରେ ବାବୁସାନଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ଭିଡିଓ କଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବାବୁସାନଙ୍କ ସହିତ ଆଲୋଚନା କରିଛନ୍ତି ।
ଲିଭର ସିରୋସିସ୍ ରୋଗରେ ପୀଡିତ ଉତ୍ତମ ମହାନ୍ତି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଏହି ସମୟରେ ବାବୁସାନ କହିଛନ୍ତି, ତାଙ୍କ ବାପା ବର୍ତ୍ତମାନ ସମୟରେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ସୌଭାଗ୍ୟବଶତଃ ତାଙ୍କ ଅବସ୍ଥା ସ୍ଥିର ରହିଛି ।
8 ତାରିଖରୁ ନୂଆଦିଲ୍ଲୀ ଗୁରଗାଓଁ ମେଦାନ୍ତ ହସ୍ପିଟାଲରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଚିକିତ୍ସା ହେଉଛନ୍ତି । ଲିଭର ସିରୋସିସରେ ପୀଡିତ ହୋଇ ଉତ୍ତମ ମହାନ୍ତି ସେ ଗତ ୯ ଦିନ ଚିକିତ୍ସା ହେଉଥିବା ବେଳେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନୟକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଆଉ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୁଅ ବାବୁସାନଙ୍କୁ ଭିଡିଓ କଲ ଯୋଗେ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କେମିତି ତାଙ୍କର ବର୍ତ୍ତମାନ ସ୍ଥିତି ରହିଛି ପଚାରିଥିବା ବେଳେ ନବୀନଙ୍କୁ ବାବୁସାନ କହିଛନ୍ତି, ଉତ୍ତମ ମହାନ୍ତି ଗୁରୁତର ଅଛନ୍ତି ହେଲେ ସ୍ୱାସ୍ଥ୍ୟବସ୍ଥା ତାଙ୍କର ସ୍ଥିର ରହିଛି । "ବର୍ତ୍ତମାନ ବାପା ଭେଣ୍ଟିଲେଟରେ ରହି ଚିକତ୍ସା ହେଉଥିବା ବେଳେ ଧରେଧୀରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି," ବୋଲି ବାବୁସାନ ନବୀନଙ୍କୁ କହିଛନ୍ତି । ନବୀନ ମଧ୍ୟ ବାବୁସାନଙ୍କୁ ଏଭଳି ପରିସ୍ଥିତିରେ ଧର୍ଯ୍ୟ ଧରିବାକୁ କହିଥିବା ବେଳେ ଉତ୍ତମ ମହାନ୍ତିଙ୍କ ଆରୋଗ୍ୟ କାମନା କରିଛନ୍ତି ।
ସେପଟେ ଅଭିନେତା ଅନୁଭବ ମେଦାନ୍ତ ହସ୍ପିଟାଲ ଯାଇ ଉତ୍ତମ ମହାନ୍ତିଙ୍କୁ ଭେଟିଛନ୍ତି । ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବାବୁସାନଙ୍କୁ ସାନ୍ତ୍ୱନା ଦେଇଛନ୍ତି । ତେବେ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଟିକେ ଟିକେ ସୁଧାର ଆସୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଅ ବାବୁସାନ ବେଶ ଭାଙ୍ଗିପଡିଛନ୍ତି । ଏଭଳି ସ୍ଥିତରେ ନେତା ଓ ଅଭିନେତାଙ୍କ ଭେଟ ହେବା ଓ ତାଙ୍କ ବାପାଙ୍କ ଆଶୁ ଆରୋଗ୍ୟ କଥା ପଚାରିବା ନିଶ୍ଚୟ ବାବୁସାନଙ୍କୁ ଧର୍ଯ୍ୟ ଦେବା ସହିତ ପରିସ୍ଥିତି ସହ ଲଢ଼ିବାର ସାହସ ଜୁଟାଇବ ।
ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର-
ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ କିଛି ଦିନ ତଳେ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ହସ୍ପିଟାଲରେ ପହଞ୍ଚି ଉତ୍ତମଙ୍କ ପୁଅ ତଥା ଅଭିନେତା ବାବୁସାନ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି । ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଲିଭର ସିରୋସିସ ରୋଗରେ ପୀଡିତ ଉତ୍ତମ-
ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଏକ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ‘କିମ୍ସ’ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଗତ 8 ତାରିଖରେ ତାଙ୍କୁ ଗୁରୁଗ୍ରାମକୁ ଏୟାରଲିଫ୍ଟ କରାଯାଇଥିଲା । କିମ୍ସ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍-କରିଡ଼ରରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଥିଲା । ଏବେ ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।