ଓଡିଶା

odisha

ETV Bharat / state

61 ଦିନ ଯାଏଁ ଓଡ଼ିଶା ଉପକୂଳରେ ମାଛଧରା ବନ୍ଦ - Fishing Ban - FISHING BAN

Fishing Ban: ଓଡ଼ିଶା ଉପକୂଳ ପାରାଦ୍ୱୀପ ମାଛଧରା ବନ୍ଦରରେ 61 ଦିନ ପର୍ଯ୍ୟନ୍ତ ମାଛ ଧରା ପାଇଁ କଟକଣା ଜାରି କଲା ମତ୍ସ୍ୟ ବିଭାଗ । ସାଢେ଼ 8 ମିଟର ଡଙ୍ଗାରେ କେବଳ ମାଛ ଧରା ଯାଇପାରିବ । ଅଧିକ ପଢନ୍ତୁ

Fishing Ban
Fishing Ban

By ETV Bharat Odisha Team

Published : Apr 16, 2024, 7:57 AM IST

Updated : Apr 16, 2024, 12:27 PM IST

Fishing Ban

ପାରାଦ୍ବୀପ:ମତ୍ସ୍ୟ ସଂରକ୍ଷଣ ପାଇଁ ୬୧ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ବନ୍ଦ ରହିବ ମାଛଧରା । ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ମାସ ଧରି ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯିବା ନେଇ କଟକଣା ଲାଗୁ ହୋଇଛି । ମାଛ ବଂଶ ବୃଦ୍ଧି ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେବେ ସାଢ଼େ ୮ ମିଟର ଡଙ୍ଗାରେ କେବଳ ମାଛ ଧରା ଯାଇପାରିବ । ଏହି କଟକଣା ଦ୍ବାରା ପ୍ରାୟ ୧୨ ଲକ୍ଷ ମତ୍ସ୍ୟଜୀବୀ ପ୍ରଭାବିତ ହେବେ ।

ଏହି ସମୟରେ ମାଛମାନଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଥାଏ । ତେଣୁ ସବୁ ବର୍ଷ ଏହି ସମୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ କଟକଣା ଲାଗୁ ହୋଇଥାଏ । ଦୁଇ ମାସ ମଧ୍ୟରେ ମାଛମାନେ ଅଣ୍ଡାଦାନ କରିବାକୁ ଥିବାବେଳେ ଦୂର ସମୁଦ୍ର ମଧ୍ୟକୁ ୮.୩୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ମାଛ ଧରିବାକୁ ଦୂର ସମୁଦ୍ର ଭିତରେ ପ୍ରବେଶ କରିବେ ନାହିଁ । ତେଣୁ ପାରାଦ୍ଵୀପରେ ଏକାଧିକ ଯନ୍ତ୍ର ଚାଳିତ ଡଙ୍ଗା ଓ ସେନା ବୋଟ ଚଳାଚଳ ବନ୍ଦ ରହିବ ।

ସରକାରଙ୍କ ଏହି କଟକଣାରେ ପରିବର୍ତ୍ତନ ଦାବି କରି ମତ୍ସ୍ୟଜୀବୀମାନେ ଦୀର୍ଘ ବର୍ଷ ହେଲା ପ୍ରତିବାଦ କରିଆସୁଥିବା ବେଳେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ଦୁଇ ମାସ ମତ୍ସଜୀବୀଙ୍କୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ କଟକଣାକୁ କଡ଼ାକଡ଼ି କରାଯିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ମତ୍ସଜୀବୀ ସଂଘ ଦାବି କରୁଛନ୍ତି । ପ୍ରକାଶ ଥାଉକି, ମୌସୁମୀ ଆସିବା ପୂର୍ବରୁ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ । ମାଛମାନେ ଏହି ସମୟରେ ଅନୁକୂଳ ପରିବେଶରେ ଅଣ୍ଡା ଦେଇଥାନ୍ତି । ମାଛ ବଢ଼ିବାକୁ ୩/୪ ମାସ ଲାଗୁଥିବା ବେଳେ ଏହା ପୂର୍ବରୁ କଟକଣା ଶେଷ ହୋଇଯାଉଥିବାରୁ ମାଛର ଆକାର ବହୁତ ଛୋଟ ଥାଏ ।

ଏହା ମଧ୍ୟ ପଢନ୍ତୁ-ପାରାଦ୍ବୀପ ଉପକୂଳରୁ ମିଳିଲା ବିରଳ ତେଲିଆ ମାଛ, କିଲୋ ୧୪ ହଜାର ଟଙ୍କାରେ ବିକ୍ରି

ଏହି ସମୟରେ ସମୁଦ୍ରରେ ଟ୍ରଲର, ଗିଲେଟିନ୍‌, ଭୁଟୁଭୁଟି ଆଦି ଚଳାଚଳ ଆରମ୍ଭ ହୋଇଯାଏ । ଯାହାଦ୍ବାରା ଲକ୍ଷାଧିକ ମାଛ ଓ ଯାଆଁଳ ମରିଯାଆନ୍ତି । ମତ୍ସଜୀବୀ ବଡ଼ ମାଛ ବଦଳରେ ଛୋଟ ମାଛ ଆଣିଥାନ୍ତି । ମାଛ ଉତ୍ପାଦନ କମ୍‌ ହେବା ସହିତ ଟ୍ରଲର ମାଲିକ, ମତ୍ସଜୀବୀ, ବ୍ୟବସାୟୀ କ୍ଷତି ସହିଥାନ୍ତି । ତ୍ରୁଟିପୂର୍ଣ୍ଣ ନିୟମ ପାଇଁ ମାଛର ପ୍ରଜାତି ଦିନକୁ ଦିନ ହ୍ରାସ ପାଇବା ହେତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମତ୍ସ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ 42 ଦିନ ଏହି କଟକଣା ଲାଗୁ କରାଯାଉଥିବା ବେଳେ ଚଳିତ ବର୍ଷ 61 ଦିନ ଏହି କଟକଣା ବଳବତ୍ତର ରହିଛି ।

ଇଚିଭି ଭାରତ, ପାରାଦ୍ବୀପ

Last Updated : Apr 16, 2024, 12:27 PM IST

ABOUT THE AUTHOR

...view details