ଓଡିଶା

odisha

ETV Bharat / state

ସରକାରୀ ଜମି ଜବରଦଖଲ ଉଚ୍ଛେଦ ମିଶନ; ସମ୍ବଲପୁରରେ କେତେ ବାସ୍ତବବାଦୀ ? - Eviction drive in Sambalpur - EVICTION DRIVE IN SAMBALPUR

Encroachment eviction drive in Sambalpur: ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ ପାଇଁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ହେଲେ ସମ୍ବଲପୁରରେ ଏହାର ସଫଳ ରୂପାୟନ ହୋଇପାରିବ କି ନାହିଁ ଏନେଇ ଆଶଙ୍କା ପ୍ରକାଶ ପାଇଛି । କାରଣ ଆଗରୁ ସମ୍ବଲପୁର ମହାନଗର ନିଗମ ଜବରଦଖଲ ଉଚ୍ଛେଦ କରିବାକୁ ଚେଷ୍ଟା କରି ଫେଲ୍ ମାରିସାରିଛି । ଅଧିକ ପଢନ୍ତୁ

ସରକାରୀ ଜମି ଜବରଦଖଲ ଉଚ୍ଛେଦ ମିଶନ; ସମ୍ବଲପୁରରେ କେତେ ବାସ୍ତବବାଦୀ ?
ସରକାରୀ ଜମି ଜବରଦଖଲ ଉଚ୍ଛେଦ ମିଶନ; ସମ୍ବଲପୁରରେ କେତେ ବାସ୍ତବବାଦୀ ? (ETV Bharat Odisha)

By ETV Bharat Odisha Team

Published : Jul 13, 2024, 2:20 PM IST

ସମ୍ବଲପୁର: ସରକାରୀ ଜମିରେ ଜବରଦଖଲ ଉଚ୍ଛେଦ କରିବାକୁ ବର୍ତ୍ତମାନ ରାଜ୍ୟ ସରକାର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି l ଅଞ୍ଚଳର ବିକାଶ ପାଇଁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଜନସାଧାରଣ କହୁଛନ୍ତି l ତେବେ ସରକାରଙ୍କ ଏହି ପଦକ୍ଷେପ କେତେ ବାସ୍ତବବାଦୀ ? ସତରେ କ'ଣ ସବୁ ସରକାରୀ ଜମିରେ ହୋଇଥିବା ଜବରଦଖଲ ହଟାଇ ଦିଆଯାଇପାରିବ ? କାରଣ ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଥିବାବେଳେ ଏହାର ବିରୋଧ ରାଜନୈତିକ ଦଳ ଅଥବା ବ୍ୟକ୍ତିବିଶେଷ କରିଥାନ୍ତି l ଏହା ପଛରେ ଭୋଟ ବ୍ୟାଙ୍କ ପଲିଟିକ୍ସ ମଧ୍ୟ ରହିଛି l

ସରକାରୀ ଜମି ଜବରଦଖଲ ଉଚ୍ଛେଦ ମିଶନ; ସମ୍ବଲପୁରରେ କେତେ ବାସ୍ତବବାଦୀ ? (ETV Bharat Odisha)

ସମ୍ବଲପୁର ଜିଲ୍ଲା ପରିପ୍ରେକ୍ଷୀରେ ଯଦି ଆମେ ଦେଖିବା ଗ୍ରାମାଞ୍ଚଳରେ ପ୍ରାୟ ୩୦% ସରକାରୀ ଜମି ଲୋକ ଜାଣତ ଓ ଅଜାଣତରେ ଜବରଦଖଲ କରି ରଖିଥିବା ଅଭିଯୋଗ ହୁଏ l ଜିଲ୍ଲା ପ୍ରଶାସନ ପାଖରେ ଏହାର ଖବର ମଧ୍ୟ ନାହିଁ l ବିଶିଷ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ସରକାରୀ ଜମି ଯେତିକି ଜବରଦଖଲ ହୋଇଛି ତାର ମାତ୍ର ୧୦% ଖବର ଜିଲ୍ଲା ପ୍ରଶାସନ ପାଖରେ ରହିଛି l ଫଳରେ ରାଜ୍ୟ ସରକାର ବର୍ତ୍ତମାନ ମିଶନ ମୋଡ଼ରେ ଯେଉଁ ଉଚ୍ଛେଦ କରିବାକୁ ଯାଉଛନ୍ତି ତାହା ସମ୍ବଲପୁର ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ହୋଇପାରେ l ଏହାରି ମଧ୍ୟରେ ରାଜ୍ୟ ସରକାର ବର୍ତ୍ତମାନ ଜିଲ୍ଲାର ସରକାରୀ ଜମି ଜବରଦଖଲ ନେଇ ଏକ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ମାଗିଛନ୍ତି l

ଅନ୍ୟପଟେ ସମ୍ବଲପୁର ମହାନଗର ନିଗମ ଭିତରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରେଳବାଇ, ଜାତୀୟ ରାଜପଥ, ପିଡବ୍ଲ୍ୟୁଡି, ଜଳସେଚନ ବିଭାଗ, ଚେରୁଆପଡା, ସାହୁ କଲୋନୀ, ସାଲିଆ ବଗିଚା, ମାୟା ବଗିଚା, ଘୁନଘୁଟି ପଡା ଆଦି ସ୍ଥାନଗୁଡିକରେ ସରକାରୀ ଜମି ଜବରଦଖଲ ଥିବା ସୂଚନା ରହିଛି l ସାଧାରଣ ଲୋକଙ୍କ ଅନୁସାରେ, ସରକାରୀ ଜମି ଜବରଦଖଲ ଉଚ୍ଛେଦ କରିବା ଏତେ ସହଜ ନୁହେଁ l ସ୍ଥାନୀୟ ବାସିନ୍ଦା ସନ୍ତୋଷ କୁମାର ବରେଇଙ୍କ କହିବା ଅନୁସାରେ "ଆଗରୁ ମଧ୍ୟ ସମ୍ବଲପୁର ମହାନଗର ନିଗମ ଜବରଦଖଲ ଉଚ୍ଛେଦ କରିବାକୁ ଚେଷ୍ଟା କରିଛି, ହେଲେ ଫେଲ୍ ହୋଇଛି l ଆମକୁ ଲାଗୁନି ସରକାରଙ୍କ ଏହି ନିର୍ଦ୍ଦେଶ ସଫଳ ରୂପାୟନ ହୋଇପାରିବ ବୋଲି l ମୁଖ୍ୟତଃ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଅସୁବିଧା ହେଉଛି l ଏହି ମାମଲାରେ ଜିଲ୍ଲା ପ୍ରଶାସନ ଉପରେ କିଛି ଚାପ ରହିଆସୁଛି ।''

ଏହା ମଧ୍ୟ ପଢନ୍ତୁ: ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକରେ ହୋଇଥିବା ଜବରଦଖଲ ଉଚ୍ଛେଦ ହେବ: ରାଜସ୍ବ ମନ୍ତ୍ରୀ - Revenue Minister Review Meeting


ଅନ୍ୟପଟେ ସମ୍ବଲପୁରର ଆଇନଜୀବୀ ରାଙ୍ଗିଆ ଷଡ଼ଙ୍ଗୀ କହିଛନ୍ତି, "ସରକାରଙ୍କ ଏହି ପଦକ୍ଷେପ ବାସ୍ତବବାଦୀ l ସରକାର ଚାହିଁଲେ ସବୁ ହୋଇପାରିବ l ଏଥିପାଇଁ ସରକାରୀ ନିୟମ ରହିଛି l ସରକାରୀ ଜମି ଜବରଦଖଲ ଉଚ୍ଛେଦ ପାଇଁ କୌଣସି ଅସୁବିଧା ନାହିଁ l ତେବେ ଯଦି ଏହି ଜମି ଉପରେ କେହି ଜଣେ ବ୍ୟକ୍ତି ୩୦ ବର୍ଷରୁ ଊର୍ଦ୍ଧ୍ବ ଦିନ ଧରି ରହିଥିବ ଓ ଏହାକୁ ଉଚ୍ଛେଦ କରିବାକୁ ଏହି ୩୦ ବର୍ଷ ଭିତରେ ସରକାର କୌଣସି ପଦକ୍ଷେପ ନେଇ ନଥିବେ ସେହି ପ୍ରକାର ଜମିକୁ ଉଚ୍ଛେଦ କରିହେବ ନାହିଁ l କାରଣ ଏପରି ସ୍ଥଳରେ ଉକ୍ତ ଜମି ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦଖଲ ଓ ଅଧିକାରକୁ ଚାଲିଆସେ l ଅନ୍ୟପଟେ ସରକାରୀ ଜମିକୁ କେହି ଜବରଦଖଲ କରି ରଖିଥିଲେ ଡାକବାଜି ଯନ୍ତ୍ର ଜରିଆରେ ଆଗୁଆ ସୂଚନା ଦେଇ ଜିଲ୍ଲା ପ୍ରଶାସନ ଏହାର ଉଚ୍ଛେଦ କରିପାରିବେ ବୋଲି ଆଇନଜୀବୀ କହିଛନ୍ତି l

ଏନେଇ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି ଯେ, ସମ୍ବଲପୁରରେ ବହୁତ ଲୋକ ଜବରଦଖଲ କରି ଅଛନ୍ତି l ସରକାରଙ୍କ ବିଭିନ୍ନ ବିଭାଗର ଜମିକୁ ଜବରଦଖଲ କରିଛନ୍ତି l ଆଗରୁ ମଧ୍ୟ ଉଚ୍ଛେଦ କାର୍ଯ୍ୟ ହେଉଥିଲା । ବର୍ତ୍ତମାନ ରାଜ୍ୟ ସରକାର ଏହାକୁ ମିଶନ ମୋଡ଼ରେ ନେଇଥିବାରୁ ଜିଲ୍ଲା ପ୍ରଶାସନ ଆଗକୁ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରିବ l ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ମାସ ଜବରଦଖଲ ଜାଗା ଚିହ୍ନଟ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପଠାଯାଉଛି l ଆଗକୁ ପର୍ଯ୍ୟାୟ କ୍ରମେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ l ଜିଲ୍ଲା ପ୍ରଶାସନ ଉପରେ ଚାପ ରହିଥାଏ, ତେବେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ଥିବାରୁ ସବୁ ସହଜ ହେବ l



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details