ବୌଦ୍ଧ:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ନିମନ୍ତେ ଯାଉଥିବା ବୌଦ୍ଧ ଜିଲ୍ଲା ଶ୍ରଦ୍ଧାଳୁଙ୍କ ଅଧାବାଟରେ ହୃଦଘାତରେ ମୃତ୍ୟୁ ଘଟଣା । ଏନେଇ ଗତକାଲି(ସୋମବାର) ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ । ଏହି ମୃତକ ଥିଲେ ସରସରା ଅଞ୍ଚଳରେ ପୂର୍ଣ୍ଣଚନ୍ଦ୍ର ବାରିକ ।
ସୂଚନା ମୁତାବକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ନିମନ୍ତେ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପୁରୀକୁ ବସ୍ ଯୋଗାଇ ଦିଆଯାଉଛି । ତେଣୁ ବୌଦ୍ଧ ଜିଲ୍ଲାରେ ମଧ୍ୟ ଶ୍ରଦ୍ଧାଳୁ ପରିଦର୍ଶନରେ ଯିବାର ବ୍ୟବସ୍ଥା କରାଯାଇଥିଲା । ଏନେଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗତ ୫ ଦିନ ତଳେ ଶ୍ରଦ୍ଧାଳୁମାନଙ୍କୁ ବସ୍ ଯୋଗେ ପୁରୀ ନିଆଯାଉଥିଲା । ସେହି ସମୟରେ ବୌଦ୍ଧ ଜିଲ୍ଲା ସରସରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତି ପୁରୀ ଯାତ୍ରା ସମୟରେ ଖୋର୍ଦ୍ଧା ନିକଟରେ ହୃଦଘାତରେ ଆଖି ବୁଜିଥିଲେ ।
ତେବେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସୂଚନା ମିଳିବା ପରେ ବୌଦ୍ଧ ଜିଲ୍ଲାର ସରସରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ତେଣୁ ଗତକାଲି(ସୋମବାର) ବୌଦ୍ଧ ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ଜିଲ୍ଲାପାଳ ଜେ ସୋନାଲ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୃତକଙ୍କ ପରିବାରବର୍ଗଙ୍କୁ ୩ ଲକ୍ଷ ଟଙ୍କାର ଚେକ ପ୍ରଦାନ ସହିତ ସମବେଦନା ଜଣାଇଥିଲେ ।