ସମ୍ବଲପୁର: ଜିଲ୍ଲାର ରେଢାଖୋଲ ଉପଖଣ୍ଡର ଚାରମାଲରେ ଅନୁଷ୍ଠିତ ହୋଇଯାଇଛି କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶ । ଏହି କାର୍ଯ୍ୟକ୍ରମରେ କେନ୍ଦୁପତ୍ର କର୍ମଚାରୀ ସଂଘକୁ ରାଜ୍ୟ ସରକାର ଆଜି (ରବିବାର) ଦେଇଛନ୍ତି ବଡ ଉପହାର । ଆଜିର ସମାବେଶରେ ପାଖାପାଖି ୨୦୦ କୋଟି ଟଙ୍କାର ପ୍ୟାକେଜ ଭିଡିଓ ବାର୍ତ୍ତା ମାଧ୍ୟମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘୋଷଣା ପରେ ଖୁସି ପ୍ରକଟ କରିଛନ୍ତି କେନ୍ଦୁପତ୍ର କର୍ମଚାରୀ ।
କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ହୋଇଛି । ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ସିଜିନାଲ କର୍ମଚାରୀ ତଥା ଠିକା ଶ୍ରମିକଙ୍କ ଇନସେନଟିଭ ୫ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି ହୋଇଛି । ଏଥିପାଇଁ ୧୧ କୋଟି ମଞ୍ଜୁର ହୋଇଛି । ହେଡ ଚେକରଙ୍କର ଦରମା ୨୨ ହଜାରରୁ ୨୬ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ୨୦ ପତ୍ରର ବିଡା ୧ ଟଙ୍କା ୪୦ ପଇସା ଥିବାବେଳେ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି । ୪୦ ପତ୍ରର ବିଡାକୁ ୨ ଟଙ୍କା ୮୦ ପଇସାରୁ ବୃଦ୍ଧି କରାଯାଇ ୩ ଟଙ୍କା ୨୦ ପଇସା କରାଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ବୋନସ ଟଙ୍କା ମିଳିବାକୁ ଥିବାବେଳେ ଏପ୍ରିଲ ବା ନୂଆ ଆର୍ଥିକ ବର୍ଷକୁ ଏହି ଦର ଲାଗୁ ହେବ ବୋଲି ସୂଚନା ଦିଆଯାଇଛି ।
କେନ୍ଦୁପତ୍ର ତୋଳାଳି ତଥା କର୍ମଚାରୀ ପରିବାରର ୨ଟି ଝିଅର ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । କେନ୍ଦୁପତ୍ର କର୍ମଚାରୀର ପରିବାରର ଛାତ୍ରଛାତ୍ରୀ ପିଜି ଯାଏଁ ଛାତ୍ରବୃତ୍ତି ପାଇଁ ଆବେଦନର ଅବଧିକୁ ଆଉ ମାସେ ସମୟ ସୀମାକୁ ବୃଦ୍ଧି କରାଯାଇଛି । ସିଜିନାଲ କର୍ମଚାରୀଙ୍କ ପାଇଁ ଆଉ ଗୋଟିଏ ଅତିରିକ୍ତ ମାସ କାମ ବୃଦ୍ଧି ହୋଇଛି । ଆଜି ଚାରମାଲଠାରେ ଅନୁଷ୍ଠିତ ଏହି ମହାସମାବେଶ କାର୍ଯ୍ୟକ୍ରମରେ ୧୯ଟି ଜିଲ୍ଲା ତଥା ୬୩ ନିର୍ଵାଚନ ମଣ୍ଡଳୀରୁ କେନ୍ଦ୍ରପତ୍ର ସଂଘର କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବର ସରକାରଙ୍କୁ ଟାର୍ଗେଟ କରିଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।