ଭୁବନେଶ୍ବର: ଏମ୍ସ ଭୁବନେଶ୍ୱର କାଏଜ୍ମା-୨୦୨୪ ଉଦଘାଟିତ ହୋଇଛି । ରାଜ୍ୟପାଳଙ୍କ ପ୍ରଥମ ଏମ୍ସ ଗସ୍ତରେ ଏହି ଜାତୀୟ ଅନୁଷ୍ଠାନକୁ ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ଦେଇଛନ୍ତି । ଆସନ୍ତା 3 ତାରିଖ ପ୍ରର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୪ ହଜାରରୁ ଊର୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ କରିଛନ୍ତି ।
ମାନ୍ୟବର ରାଜ୍ୟପାଳ ରଘୁବର ଦାସ କହିଛନ୍ତି " କୋଭିଡ ମହାମାରୀ ସମୟରେ ଏମ୍ସ ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅବଦାନ ଅତୁଳନୀୟ । ବିକଶିତ ଭାରତର ପ୍ରକୃତ ଭାବନା ପୂରଣ କରିବାରେ ଦେଶର ଯୁବଗୋଷ୍ଠୀ ସମ୍ମୁଖଭାଗରେ ରହିଛନ୍ତି । ଏଥିସହ ଷ୍ଟାର୍ଟ ଅପ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ଯୁବକେନ୍ଦ୍ରିକ କାର୍ଯ୍ୟକ୍ରମରେ ଦେଶର ଯୁବଗୋଷ୍ଠୀଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ "। ଏମ୍ସ ଭୁବନେଶ୍ବର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍ମା-୨୦୨୪ ଉତ୍ସବକୁ ଉଦ୍ଘାଟନ ଅବସରରେ ଏହା କହିଛନ୍ତି ରାଜ୍ୟପାଳ ।
ଏହାସହ ଏହି ଜାତୀୟ ଅନୁଷ୍ଠାନକୁ ପ୍ରଥମ ଗସ୍ତବେଳେ ରାଜ୍ୟପାଳ ରଘୁବର ଦାସ ଏମ୍ସ ଭୁବନେଶ୍ୱରକୁ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । କାଏଜ୍ମା ଭଳି ମେଗା କାର୍ଯ୍ୟକ୍ରମରେ କ୍ରୀଡ଼ା, ସଂସ୍କୃତି ଏବଂ ସାହିତ୍ୟକୁ ଅନ୍ତର୍ଭୁକ୍ତ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିବା ସହିତ ଏମ୍ସ ଭୁବନେଶ୍ବରର ଛାତ୍ର ସଂସଦକୁ ପ୍ରଶଂସା ମଧ୍ୟ କରିଛନ୍ତି । ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ବ୍ୟାପକତାକୁ ପ୍ରମାଣ କରିବା ସହିତ ଏକ ନିଆରା ଅନୁଭବ ଆଣିଦେବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।