ଭୁବନେଶ୍ବର: ଦେଶର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ମତଦାନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମତଦାନ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ୪ ସଂସଦୀୟ କ୍ଷେତ୍ର ଅଧିନରେ ୬୨,୮୭,୨୨୨ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ପରିସୀମା ଭାବରେ ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ।
ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ କ୍ଷେତ୍ର ଅଟେ । ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪୮୦୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭,୦୦,୭୮୦ ଜଣ ମତଦାତା ରହିଛନ୍ତି । ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧,୭୩,୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨,୬୧,୭୦୮ ଜଣ ମତଦାତା ରହିଛନ୍ତି । ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗ୍ରିକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଊର୍ଦ୍ଧ୍ବ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଊର୍ଦ୍ଧ୍ବ ମତଦାତା, ୩୧ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ ଭୋଟର ରହିଛନ୍ତି ।
ଚତୁର୍ଥ ପର୍ଯ୍ୟାୟରେ ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ରହିଥିବା ୭୩୦୩ ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସର୍ବମୋଟ ୭୩୦୩ଟି ବୁଥମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍ରେ ୱେବକାଷ୍ଟିଂ କରାଯିବ ।
ମୋଟ ପ୍ରାର୍ଥୀ ସଂଖ୍ୟା:-କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ୩୦ ଓ ମହିଳା ୭ ଜଣ ଅଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀ ରହିଛନ୍ତି । ପୁରୁଷ ୨୧୪ ଓ ମହିଳା ୨୯ ପ୍ରାର୍ଥୀ ରହିଛନ୍ତି । କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ଏବଂ ନବରଙ୍ଗପୁରରେ ୪ ଜଣ ପ୍ରାର୍ଥୀ ରହିଛନ୍ତି । ଝରିଗାଁ, ନବରଙ୍ଗପୁର ଓ ଡେବୁଗାଁ ପାଇଁ ସର୍ବନିମ୍ନ ୩ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୧୭ ପ୍ରାର୍ଥୀ ରହିଛନ୍ତି ।