ଭୁବନେଶ୍ବର:ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆଜି ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାପରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ବୈଠକ କରିଛନ୍ତି । ରାଜ୍ୟରେ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ସେ ଦଳର ସହଯୋଗ କାମନା କରିଛନ୍ତି । ଏହାସହ ଆଦର୍ଶ ଆଚରଣ ବିଧିର କଡ଼ାକଡ଼ି ଅନୁପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ପ୍ରଚାର ବେଳେ ବ୍ୟକ୍ତିଗତ ଆକ୍ଷେପରୁ ଦୂରେଇ ରହିବାକୁ ସିଇଓ ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ସର୍ବ ଦଳୀୟ ବୈଠକ । ଏହି ଅବସରରେ ସେ ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରକ୍ରିୟା, ନିର୍ବାଚନ ଓ ନିର୍ବାଚନ ଫଳ ପ୍ରକାଶ ପାଇବାର ତାରିଖ ଓ ପ୍ରକ୍ରିୟା ବିଷୟରେ ସବିଶେଷ ତଥ୍ୟ ରଖିଛନ୍ତି । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତୀୟ ସମସ୍ତ ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇଛି । କେତେକ ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ସମୟକୁ ଅପରାହ୍ନ ୪ଟା ଓ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କରାଯାଇଛି । ଅନ୍ୟ ସମସ୍ତ ଅଞ୍ଚଳରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଦେଶରେ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଯାଉଥିବା ନିର୍ବାଚନ ଅନ୍ତର୍ଗତ ଓଡ଼ିଶାର ୪ ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୫ ଏପ୍ରିଲକୁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ସ୍ଥିର କରାଯାଇଛି । ୨୬ ଏପ୍ରିଲ ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୯ ଏପ୍ରିଲ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ । ମେ ୧୩ ତାରିଖରେ ମତଦାନ ହେବ । ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟା ୬ ଜୁନ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।