ଓଡିଶା

odisha

ETV Bharat / state

ରାଜ୍ୟ କ୍ୟାବିନେଟ ବୈଠକ: ୧୦ ବିଭାଗର ୧୭ ପ୍ରସ୍ତାବରେ ମୋହର

Cabinet Meeting: ଆଜି ବସିଥିଲା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ୧୦ ବିଭାଗର ୧୭ ପ୍ରସ୍ତାବରେ ମୋହର ବାଜିଛି । ଅଧିକ ପଢନ୍ତୁ

Cabinet Meeting
Cabinet Meeting

By ETV Bharat Odisha Team

Published : Mar 9, 2024, 10:08 PM IST

Cabinet Meeting

ଭୁବନେଶ୍ବର: ଆଜି ବସିଥିଲା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୦ ବିଭାଗର ୧୭ ପ୍ରସ୍ତାବରେ ମୋହର ବାଜିଛି । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଉନ୍ନୟନ କମିଶନର ଅନୁ ଗର୍ଗ ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ୩ଟି, ଉଚ୍ଚଶିକ୍ଷା ବିଭାଗରର ୩ଟି, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ୨ଟି, ସାଧାରଣ ପ୍ରଶାସନ ବିଭାଗର ୨ଟି, ବାଣିଜ୍ୟ ଏବଂ ପରିବହନ ବିଭାଗରର ୨ଟି, ଜଙ୍ଗଲ ଏବଂ ପରିବେଶ ବିଭାଗ, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ଏମଏସଏମଇ ବିଭାଗ, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ, ସମବାୟ ବିଭାଗର ଗୋଟିଏ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ରାଜ୍ୟର ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ପିଲାଙ୍କୁ 'ନୂଆ ଓ' ଛାତ୍ରବୃତ୍ତି ମିଳିବ । ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ଏହି ବୃତ୍ତି ପାଉଥିଲେ । ଏବେ ଅନ୍ୟ ବିଭାଗ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ମଧ୍ୟ ପାଇବେ ।



ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ ଆଣିଛନ୍ତି । ଏହା ଦ୍ବାରା ୧ ଲକ୍ଷ ୪ ହଜାରରୁ ଅଧିକ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ୫୮୭ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ସେହିପରି ଏଲିମେଣ୍ଟାରୀ ଶିକ୍ଷକ କ୍ୟାଡର ପୁନର୍ଗଠିତ ହେବ । ରାଜ୍ୟରେ ନୂଆ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ସହିତ ନୂଆ ନୂଆ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ହେଉଛି । କେବଳ ବିମାନ ଚାଳନା ନୁହେଁ, ଏହି କ୍ଷେତ୍ରରେ କିପରି ସୁରକ୍ଷା ସୁନିଶ୍ଚିତ କରାଯିବ । ସେଥିପାଇଁ ଢେଙ୍କାନାଳ ବିରାଶାଳରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର । ଏଠାରେ ବିମାନ ଚାଳନା ସହ ସମ୍ପୃକ୍ତ ପ୍ରତ୍ୟେକ ଅଂଶୀଦାର ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ପାଇଲଟ, କ୍ୟାବିନ କ୍ରୁ ଆଦି ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ । ଆଭିଏସନ ସେଣ୍ଟର ପାଇଁ ୫୬୨ କୋଟି ଟଙ୍କା ବ୍ୟୟ ହେବ ।

ସେହିପରି ୩ଟି ପର୍ଯ୍ୟାୟରେ ୩୧୮ ଆମ ବସଷ୍ଟାଣ୍ଡ ପାଇଁ ୬ ହଜାର କୋଟି ମଞ୍ଜୁର ହୋଇଛି । ସବୁ ବ୍ଲକ ଓ ସବଡିଭିଜନରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ 'ଆମ ବସଷ୍ଟାଣ୍ଡ' ଯୋଜନାରେ ଏହି ଟଙ୍କା ଖର୍ଚ୍ଚ କରିବେ ସରକାର । ମୋଟ ୩୧୮ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬୫, ଦ୍ବିତୀୟ ପର୍ଯ୍ୟାୟରେ ୧୩୩ ଓ ତୃତୀୟ ପର୍ଯ୍ୟାୟରେ ୧୩୦ ବସଷ୍ଟାଣ୍ଡ ନିର୍ମାଣ ହେବ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ମୌଜାରେ ଗୋପାଳ ଭବନ ପାଇଁ ୫ ଶହ ଡିସିମିଲ ଜମି ମାଗଣାରେ ଦିଆଯିବ । ସେହିପରି ମୁସଲିମ ସମ୍ପ୍ରଦାୟର ପ୍ରାର୍ଥନା ଗୃହ ପାଇଁ ୨୫୦ ଡିସିମିଲ ମାଗଣା ଦିଆଯାଇଛି । ଭୁବନେଶ୍ବର ଗଣ୍ଡମୁଣ୍ଡାରେ ହେବ ୟୁନିଟି ମଲ । ରାଜ୍ୟର ହସ୍ତ ଶିଳ୍ପ ଓ ହସ୍ତତନ୍ତ ଉତ୍ପାଦ ସହ ଅନ୍ୟ ରାଜ୍ୟର ସ୍ବତନ୍ତ୍ର ପ୍ରଡକ୍ଟ ଏହି ମଲରେ ବିକ୍ରି କରାଯିବ ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟ କ୍ୟାବିନେଟ; ୩ ବିଭାଗର ୮ ପ୍ରସ୍ତାବରେ ମୋହର


ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକଙ୍କ ପାଇଁ ଏକକାଳୀନ ୬ ଲକ୍ଷ ଓ ଅଣକର୍ମଚାରୀଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁଦାନ ମିଳିବ । ଏହାସହ ବ୍ଲକ ଗ୍ରାଣ୍ଟ ସାମିଲ ହୋଇଥିବା କଲେଜରୁ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଏକକାଳୀନ ୧୦ ଲକ୍ଷ ଏବଂ କର୍ମଚାରୀଙ୍କୁ ୫ ଲକ୍ଷ ଟଙ୍କା ମିଳିବ । ଏଥିରେ ୯୫୨ ଅଧ୍ୟାପକ ଓ ୧୦୨୫ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୪୯ କୋଟି ୪୫ ଲକ୍ଷ ଟଙ୍କା । କ୍ୟାବିନେଟ ସମ୍ପର୍କିତ ପ୍ରେସ ବିବୃତ୍ତିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ଵତୀ ଏସ, ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details