କଟକ:ଏସସିବି ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ । ହଟାହଟା ହେଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଭଦ୍ରକ ଚାନ୍ଦବାଲିରେ ନିର୍ବାଚନୀ ହିଂସାରେ ଶିକାର ହୋଇ ଗତକାଲି ମଧ୍ୟରାତ୍ରିରେ ଏସସିବିରେ ଭର୍ତ୍ତି ହୋଇଥିଲେ ଅଭିଳାଷ ଓ ତାଙ୍କ ସାଥି । ଏସସିବିରେ ଅଭିଳାଷଙ୍କ ଚିକିତ୍ସାରେ ଅବହେଳା ହେବା ଓ ଠିକ୍ ଭାବେ ପରୀକ୍ଷା ନିରୀକ୍ଷା କରାଯାଇ ନଥିବା ନେଇ ଅଭିଯୋଗ କରିଛନ୍ତି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଗଗନ ଓଝା ।
ଏପରିକି ଏସସିବି ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବିଜେପି କର୍ମୀ । ଧାରଣାସ୍ଥଳରେ ଏସସିବି ସୁପରିଟେଣ୍ଡେଣ୍ଟ ପ୍ରଫେସର ଡ଼ା. ସୁଧାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ବିଜେପି କର୍ମୀଙ୍କ ସହ ଆଲୋଚନା କରି ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ବିଜେପି କର୍ମୀ ଅଭିଳାଷଙ୍କୁ ଡିସଚାର୍ଜ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଉନ୍ନତମାନର ଚିକିତ୍ସା କରାଇବା ନେଇ ସ୍ଥାନାନ୍ତର କରାଯାଇଛି ।
ଗଗନ ଓଝାଙ୍କ କହିବାନୁଯାୟୀ 12 ଘଣ୍ଟା ପରେ ମଧ୍ୟ ଏସସିବିରେ ଆହତଙ୍କୁ ଚିକିତ୍ସା ମିଳୁନାହିଁ । ଏପରିକି ସଠିକ ଭାବେ ପରୀକ୍ଷା ମଧ୍ୟ କରାଯାଉ ନାହିଁ । ଫଳରେ ଆହତଙ୍କୁ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରୁଛୁ । ସେହିପରି ଅଭିଳାଷ କହିଛନ୍ତି,"ଏସସିବି ମେଡିକାଲରେ ବହୁ ଅବ୍ୟବସ୍ଥା ରହିଛି । ରୋଗୀକୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରେ ଏସସିବି ମେଡିକାଲ ଆଜି ମଧ୍ୟ ପଛରେ ରହିଛି । ଏଠାରେ ସିଟି ସ୍କାନ କରିବାକୁ ରୋଗୀ ଛଟପଟ ହେଉଛନ୍ତି ଏବଂ ଗୁରୁତର ଆଘାତ ମୋ ମୁଣ୍ଡରେ ଲାଗିଥିବାବେଳେ ଡାକ୍ତର ସିଟି ସ୍କାନ କରିବା ଆବଶ୍ୟକ କହିବା ପରେ ମଧ୍ୟ ସ୍କାନ ନ କରି ପକାଇ ରଖିଛନ୍ତି ।