ସୁବର୍ଣ୍ଣପୁର: ଆସନ୍ତାକାଲି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଯାହାପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅବାଧ ,ସ୍ବଚ୍ଛ ଓ ନିରପେକ୍ଷ ତଥା ଭୟମୁକ୍ତ ନିର୍ବାଚନ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲଙ୍କ ନେତୃତ୍ବରେ ଗାଁରୁ ସହର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଯାହାର ସୂଚନା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ଦେଇଛନ୍ତି ।
ନିର୍ବାଚନ ପାଇଁ ଜିଲ୍ଲାର ଚାରି କମ୍ପାନୀ ସଶସ୍ତ୍ର ପୋଲିସ, ତିନି କମ୍ପାନୀ ସିଆରପିଏଫ ଯବାନ, ଏକ କମ୍ପାନୀ ତ୍ରିପୁରା ସଶସ୍ତ୍ର ପୋଲିସ, ରାଜ୍ୟର ପାଞ୍ଚ କମ୍ପାନୀ ସଶସ୍ତ୍ର ପୋଲିସ ସମେତ ଜିଲ୍ଲାର 6 ଶହ ଯବାନ ନିର୍ବାଚନର ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି । ସୁରକ୍ଷା ବ୍ୟବସ୍ଥା ପରିଦର୍ଶନ କରିବା ପାଇଁ 110 ଜଣ ପୋଲିସ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ 44ଟି ମୋବାଇଲ ପେଟ୍ରୋଲିଂ ଦଳ ଗଠନ କରାଯାଇଛି । ସେହିପରି କୌଣସି ଅପ୍ରୀତିକର ଘଟଣା ନଜରକୁ ଆସିଲେ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ 12 ଗୋଟି ସ୍ବତନ୍ତ୍ର ପାଟ୍ରୋଲିଂ ଦଳ ଗଠନ କରାଯାଇଛି । ତେବେ ଜିଲ୍ଲାରେ ଭୟମୁକ୍ତ ନିର୍ବାଚନ ପାଇଁ ପ୍ରତିଟି ବୁଥରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ।