ବୌଦ୍ଧ: ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ ପରେ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ।ଖୋଦ ଜିଲ୍ଲାପାଳ କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପହଞ୍ଚି ବିଭିନ୍ନ ଯୋଜନା ବୁଲି ଦେଖିବା ସହିତ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ସମସ୍ୟାର ଖୁବଶିଘ୍ର ସମାଧାନ କରାଯିବା ନେଇ ପ୍ରତିଶୃତି ଦେବା ସହ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।ଦୀର୍ଘବର୍ଷ ପରେ ଜିଲ୍ଲାରେ ଜଣେ ଯୁବ ଆଇଏଏସ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାବାସୀ ବେଶ ଆଶାବାଦୀ ମଧ୍ୟ । କାର୍ଯ୍ୟରେ ଯୋଗଦାନର କିଛି ଘଣ୍ଟା ପରେ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପହଞ୍ଚି ହିତାଧିକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ।
ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଜେ.ସୋନାଲ ଗତକାଲି (ବୁଧୁବାର) ଅପରାହ୍ନରେ ଯୋଗଦାନ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବାର ମାତ୍ର 24 ଘଣ୍ଟା ମଧ୍ୟରେ ସେ ବୌଦ୍ଧ ସଦର ଚନ୍ଦ୍ରଚୂଡ ମନ୍ଦିର ଆଳତୀ ଘାଟ, ନୂତନ ଡାକ୍ତରଖାନା କୋଠା, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ସହ ତଥା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ପ୍ରତ୍ୟୁଷରୁ ନୂତନ ଜିଲ୍ଲାପାଳ ଜେ.ସୋନାଲ ବଉଦ ଜିଲ୍ଲାର ଉପାନ୍ତ ମହାଲିକପଡା ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ । ଏହାଛଡା ଜିଲ୍ଲାପାଳ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ତଥା ମିଶନ ଶକ୍ତିର ମହିଳା ଗୋଷ୍ଠୀର ସଦସ୍ୟାଙ୍କ ଆର୍ଥିକ ତଥା ସାମାଜିକ ଉନ୍ନତି ନେଇ ଆଲୋଚନା କରିଥିଲେ ।