ଓଡିଶା

odisha

ETV Bharat / state

ଓଡ଼ିଶାରେ ପ୍ରତିଷ୍ଠା ହେବ NSDର ଆଞ୍ଚଳିକ ଶାଖା, ଦିଆଯିବ ଅଭିନୟ ସହ ନିର୍ଦ୍ଦେଶନା ଶିକ୍ଷା

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା । ଏନେଇ ଓଡ଼ିଶା ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି ।

National School of Drama
National School of Drama (ETV Bharat Odisha)

By ETV Bharat Odisha Team

Published : Nov 1, 2024, 9:48 PM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନ୍ୟାସନାଲ ସ୍କୁଲ୍ ଅଫ୍ ଡ୍ରାମା ବା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (NSD)ର ଆଞ୍ଚଳିକ ଶାଖା । ଏନେଇ ଓଡ଼ିଶା ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ପ୍ରାଥମିକ ସ୍ତରରେ ଅସ୍ଥାୟୀ ଭାବେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଶିକ୍ଷାଦାନ କରାଯିବ ।

National School of Drama (ETV Bharat Odisha)

ରାଜ୍ୟରେ ପ୍ରଥମ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଆଞ୍ଚଳିକ ଶାଖା:

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର (NSD) ଆଞ୍ଚଳିକ ଶାଖା । ପ୍ରାଥମିକ ସ୍ତରରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ ଏହା କାର୍ଯ୍ୟକାରୀ ହେବ । ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା ଓଡ଼ିଶାରେ ପ୍ରତିଷ୍ଠା ହେବା ଆମ ପାଇଁ ଗର୍ବର ବିଷୟ । ନାଟକ ଏବଂ ଅଭିନୟ କ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବାକୁ ଚାହୁଁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ନିଚ୍ଛକ ଓଡ଼ିଆ ନାଟକ ପ୍ରଦର୍ଶନ, ଏହାର ପ୍ରଚାରପ୍ରସାର ଏବଂ ସଂପ୍ରସାରଣ କ୍ଷେତ୍ରରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ଭୁବନେଶ୍ୱର ଆଞ୍ଚଳିକ ଶାଖା ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ।"



ପ୍ରାଥମିକ ଭାବରେ ରହିବ ୨୮ ଟି ସିଟ୍:
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆହୁରି ମଧ୍ୟ କହିଛନ୍ତି, "ପ୍ରାଥମିକ ଭାବରେ ଏଥିରେ ୨୮ ଟି ସିଟ୍ ରହିବ । ଅଭିନୟ, ନିର୍ଦ୍ଦେଶନା, ନାଟକ ଲିଖନ, ଡିଜାଇନ୍ ବିଷୟରେ ଶିକ୍ଷାଦାନ କରାଯିବ । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ । ଏହା ସହ ଅସ୍ଥାୟୀ ଭାବରେ ଯାହା ରହିବାର ଆବଶ୍ୟକ ତାହା ପୂରଣ କରାଯିବ । ଖୁବଶୀଘ୍ର ସ୍ଥାୟୀ କ୍ୟାମ୍ପସରେ କାର୍ଯ୍ୟକାରୀ କରାଯିବ । ବିଶେଷ ଭାବରେ ଏହି କୋର୍ସ୍ ୩ ବର୍ଷର କରାଯାଇଛି । ପ୍ରାଥମିକ ଭାବରେ ଆସନ୍ତାବର୍ଷଠାରୁ ଆରମ୍ଭ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ 'ମହାବାତ୍ୟା @୨୫' ଉତ୍ସବ

ଏହା ମଧ୍ୟ ପଢ଼ନ୍ତୁ...ରେଣୁକାସ୍ୱାମୀ ହତ୍ୟାକାଣ୍ଡ ମାମଲା; ଅଭିନେତା ଦର୍ଶନଙ୍କୁ ଆଶ୍ୱସ୍ତି, ମିଳିଲା ଅନ୍ତରୀଣ ଜାମିନ

ଏହା ମଧ୍ୟ ପଢ଼ନ୍ତୁ...୨୨ ହଜାରରୁ ଊର୍ଦ୍ଧ୍ଵ ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ସାମୂହିକ ଗୀତା ଆବୃତ୍ତି, ଇଣ୍ଡିଆ ବୁକ ଅଫ ରେକର୍ଡସରେ ପାଇଲେ ସ୍ଥାନ


ଏହି ବରିଷ୍ଠ ଅଭିନେତାଙ୍କ ଥିଲା ଶିକ୍ଷା ମନ୍ଦିର:

୧୯୫୯ ମସିହାରେ ଦିଲ୍ଲୀରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ୧୯୭୫ ପରଠାରୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିଆସୁଛି । ବିଶିଷ୍ଟ ଅଭିନେତା ପରେଶ ରାୱଲ ଏହାର ଚେୟାରମ୍ୟାନ୍ ଏବଂ ଓଡିଶାର ବିଶିଷ୍ଟ ଅଭିନେତା ଚିତ୍ତରଂଜନ ତ୍ରିପାଠୀ ଏହାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ଓଡିଶାର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି, ଅଜିତ ଦାସ, ସୂର୍ଯ୍ୟ ମହାନ୍ତି ଇତ୍ୟାଦି ଏହି ବିଦ୍ୟାଳୟର ଛାତ୍ର । ଓଡ଼ିଶାରେ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ଏକ ଆଞ୍ଚଳିକ ଶାଖା ପ୍ରତିଷ୍ଠା କରି ଏହା ଓଡିଆ ସଂସ୍କୃତି ଏବଂ ବିଶେଷ କରି ଓଡିଶାର ପରମ୍ପରାକୁ ବିସ୍ତାର କରିବାକୁ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details