ଭୁବନେଶ୍ବର: ଦିଲ୍ଲୀର ଭାରତ ମଣ୍ଡପମରେ ହେବାକୁ ଯାଉଛି ଜାତୀୟ ଯୁବ ମହୋତ୍ସବ ୨୦୨୫ । ଏହି ମହୋତ୍ସବ ଜାନୁୟାରୀ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗରେ ଓଡିଶାର ୭୫ ଯୁବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିପାଇଁ ଏହି ଟିମ ଦିଲ୍ଲୀ ଯାଉଛି । ଏନେଇ ରାଜ୍ୟ ଯୁବସେବା ଓ କ୍ରୀଡା ବିଭାଗ ଆନୁକୂଲ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଟେନିସ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି ।
ଆସନ୍ତା ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେଉଛି ଜାତୀୟ ଯୁବ ମହୋତ୍ସବ । ଗଳ୍ପ, ନୃତ୍ୟ, ବକ୍ତୃତା, ସଂଗୀତ, ବିଜ୍ଞାନ ଭଳି ବିଭିନ୍ନ ବିଭାଗରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ହେଉଥିବାବେଳେ ଏଥିରେ ଓଡ଼ିଶାର ୭୫ ଜଣ ଯୁବକ ଯୁବତୀ ଭାଗ ନେଇଛନ୍ତି । ବିଭିନ୍ନ ବିଭାଗରେ ଯେଉଁ ଯୁବକ-ଯୁତୀମାନେ ଉତ୍କର୍ସ ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଚୟନ କରାଯାଇ ଦିଲ୍ଲୀ ପ୍ରେରଣ କରାଯାଇଛି । ଯୁବପିଢ଼ିଙ୍କୁ ସଶକ୍ତ କରିବ ପାଇଁ କ୍ରୀଡା ବିଭାଗର ଏହା ଏକ ବଡ଼ ପ୍ରୟାସ । ଏଥିପାଇଁ ଯୁବସେବା ଓ କ୍ରୀଡା ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପଟି ଓ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଦିଲ୍ଲୀ ଯିବାକୁ ଥିବା ଯୁବକ ଯୁବତୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳତା ପାଇଁ ଶୁଭକାମନା ଜଣାଇଛନ୍ତି ।
'ଯୁବପିଢ଼ିଙ୍କ ଉପରେ ଆଗାମୀ ଭବିଷ୍ୟତ ନିର୍ଭର କରୁଛି':
ଏନେଇ କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, "କ୍ରୀଡା ଓ ଯୁବସେବା ବିଭାଗ ଆନୁକୁଲ୍ୟରେ ଓଡ଼ିଆ ପିଲାମାନେ, ଯେଉଁମାନଙ୍କର ଷ୍ଟାଟଅପରେ ଦକ୍ଷତା ଅଛି, ସୃଜନଶୀଳତାରେ ଦକ୍ଷତା ଅଛି, ଯେଉଁମାନେ ନୂତନ ବିଜ୍ଞାନ ପ୍ରକଳ୍ପ ଆଣିବାକୁ ଚାହୁଁଛନ୍ତି, ନାରୀ ସଶକ୍ତିକରଣ ଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯେଉଁମାନେ ଉତ୍କର୍ସ ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ୭୫ ଜଣଙ୍କୁ ଚୟନ କରାଯାଇ ଦିଲ୍ଲୀ ପ୍ରେରଣ କରାଯାଉଛି । ଜାନୁଆରୀ ୯ରୁ ୧୨ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବରେ ସେମାନେ ଭାଗ ନେବେ । ଏମାନଙ୍କ ଉପରେ ଆଗାମୀ ଭବିଷ୍ୟତ ନିର୍ଭର କରୁଛି । ୨୦୩୬ରେ ଯେଉଁ ବିକଶିତ ଓଡ଼ିଶା ନିର୍ମିତ ହେବ, ସେଥିରେ ସମସ୍ତଙ୍କର ସକ୍ରିୟ ଅବଦାନ ରହିବ ।"
ଉତ୍ସାହିତ ପ୍ରତିଯୋଗୀ:
ଜାତୀୟ ଯୁବ ମହୋତ୍ସବରେ ଭାଗ ନେବାକୁ ଯାଉଥିବା ମୟୂରଭଞ୍ଜ ଉଦଳାର କିଶାନ କୁମାର ସାହୁ କହିଛନ୍ତି, "ପ୍ରତିଯୋଗୀମାନେ ନିଜ ନିଜ କ୍ଷେତ୍ରରେ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଛନ୍ତି । ଗଳ୍ପ ଲିଖନ, ଦଳଗତ ନୃତ୍ୟ, ଗଳଗତ ସଂଗୀତ, ବକ୍ତୃତା ଓ ଚିତ୍ରାଙ୍କନ ଭଳି ବିଭନ୍ନ ବିଭାଗରେ ପ୍ରୋତିଯୋଗୀମାନେ ଅଂଶ ଗ୍ରହଣ କରିବୁ । ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଦିଲ୍ଲୀରେ ହେବାକୁଥିବା ଯୁବ ମହୋତ୍ସବରେ ଭାଷଣ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାକୁ ଯାଉଛି । ଆସନ୍ତା ୧୨ ତାରିଖ ଦିନ ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହେବାର ସୁଯୋଗ ରହିଛି । ଏଥିପାଇଁ ଆମେ ବହୁତ ଉତ୍ସାହିତ ଅଛୁ ।"
ଇଟିଭି ଭାରତ, ଭୁବନେଶ୍ବର