ଭୁବନେଶ୍ବର: ଆରମ୍ଭ ହେଲା ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ । ତିନି ଧରି ଚାଲିବ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବର । ପ୍ରଥମ ଥର ପାଇଁ ଚଳିତବର୍ଷ ଓଡ଼ିଶାରେ ଆୟୋଜିତ ହୋଇଛି ପ୍ରବାସୀ ଭାରତୀୟ ଦିବସ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରୀ ମାନସୁଖ ମାଣ୍ଡବିୟ, ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗରିଟା ଏବଂ ରକସା ନିଖିଲ ପ୍ରମୁଖ ଆଜିର ଦିବସରେ ସାମିଲ ରହିଛନ୍ତି । ସାରା ବିଶ୍ବରୁ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଭାରତୀୟ ସାମିଲ ହୋଇ ଭାରତର ଅର୍ଥନୈତିକ, ସାଂସ୍କୃତିକ, ପର୍ଯ୍ୟଟନ ଅଭିବୃଦ୍ଧି ପାଇଁ ବିଶେଷ କରି ବିକଶିତ ଭାରତର ପରିକଳ୍ପନା ପାଇଁ ସାମୂହିକ ଉଦ୍ୟମ କରିଛନ୍ତି।
ପ୍ରବାସୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ:
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ସମସ୍ତଙ୍କୁ ସ୍ୱାଗତ । ବିଶ୍ୱରେ ଭାରତୀୟଙ୍କ ସ୍ୱତନ୍ତ୍ର ସ୍ଥାନ ରହିଛି । ସୁନ୍ଦର ପିଚାଇ, ଫେସନ ଡିଜାଇନର ବିଭୁ ମହାପାତ୍ର ଆମର ଗର୍ବ। ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଅବର୍ଣ୍ଣନୀୟ। ଓଡିଶାର ସଂସ୍କୃତି, ସୌନ୍ଦର୍ଯ୍ୟ, କୋଣାର୍କ କଳାକୃତି ବିଶ୍ୱ ବିଦିତ। ଓଡିଶାର ଇତିହାସ ମହାନ।ଆଲୁମିନିୟମ ଉତ୍ପାଦନରେ ଓଡିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର କ୍ରୀଡା ଜଗତ ପ୍ରତି ଅବଦାନ ଅତୁଳନୀୟ । ଓଡ଼ିଶାର ଭିତ୍ତିଭୂମି, ପର୍ଯ୍ୟଟନର ସମ୍ଭାବନା ରହିଛି ।"
ବିଶ୍ୱ ମଞ୍ଚରେ ଉଦ୍ଭାସିତ ଯୁବ ପ୍ରବାସୀ ଭାରତୀୟଙ୍କୁ ମିଳିବ ସମ୍ମାନ। ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। #PravasiBharatiyaDivas@MEAIndia pic.twitter.com/fTLEDRXzjU
— CMO Odisha (@CMO_Odisha) January 8, 2025
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, "ବିକଶିତ ଭାରତର ସ୍ୱପ୍ନ ଯୁବ ପିଢ଼ିକୁ ନଜର ରେ ରଖି କରାଯାଇଛି। ବୈଷୟିକ ଦକ୍ଷତା ମାଧ୍ୟମରେ ଯୁବ ପିଢ଼ି ଭାରତର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜୟ ଜଗନ୍ନାଥରୁ ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି । ଯୁବ ମାନସର ଯୁଗ ଏବେ ଚାଲିଛି । ଯୁବବର୍ଗଙ୍କ ଦ୍ୱାରା ବିବିଧ ସୁଦୁର ପ୍ରସାରୀ ଚିନ୍ତା ଚେତନା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ସ୍ତରରେ,ଚନ୍ଦ୍ରୟାନ 3, ଆଦିତ୍ୟ ଗଗନ ଭାରତର ପ୍ରତୀକ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ 2047ରେ ଭାରତ ଶିଖରରେ ପହଞ୍ଚିବାର ଲକ୍ଷ୍ୟ ରହିଛି । ଭାରତକୁ ପର୍ଯ୍ୟଟନର ଗନ୍ତବ୍ୟସ୍ଥଳରେ ପରିଣତ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ । ଯୁବ ଭାରତୀୟ ମନେ ଏବେ ବହୁ କ୍ଷେତ୍ରରେ ସଫଳତା ପାଉଛନ୍ତି । ଓଡିଶା ବହୁ ସମ୍ଭାବନାରେ ପରିପୂର୍ଣ୍ଣ । ସଂସ୍କୃତି, ସାମାଜିକ ଚଳଣି,ପ୍ରତ୍ନତାତ୍ଵିକ ସ୍ଥଳୀ ଏହାର ମହାନତା। ଏହା ସାଙ୍ଗକୁ ଯୁବ ପିଢିଙ୍କ ଭାଗୀଦାରି ଅତୁଳନୀୟ ।"
'ପ୍ରବାସୀ ଭାରତୀୟ ଦିବସ' କାର୍ଯ୍ୟକ୍ରମ:
ଭୁବନେଶ୍ବର ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ଦିବସର ୧୮ତମ ସଂସ୍କରଣ । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ । ଗତକାଲି(ମଙ୍ଗଳବାର)ରୁ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏହି କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଥିବାବେଳେ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ପ୍ରବାସୀ ଭାରତୀୟମାନଙ୍କୁ ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲାଇବା ପାଇଁ ତିନି ଦିନ ଧରି ଚାଲିବାକୁ ଥିବା ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଶୁଭାରମ୍ଭ କରିବେ । ଅପରାହ୍ନରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରବାସୀ ଭାରତୀୟ ମାନଙ୍କ ସହ ବିକଶିତ ଭାରତ ୨୦୪୭ ବିଷୟରେ ଆଲୋଚନା କରିବେ । ୧୦ ତାରିଖରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ।
ପ୍ରବାସୀ ବୁଲିବେ ଦର୍ଶନୀୟ ସ୍ଥାନ:
ଶ୍ରୀମନ୍ଦିର, ରଘୁରାଜପୁର, କୋଣାର୍କ ଓ ସାତପଡ଼ା ସହ ବିଭିନ୍ନ ଦର୍ଶନୀୟ ସ୍ଥାନ ପ୍ରବାସୀ ଭାରତୀୟମାନେ ଭ୍ରମଣ କରିବାର ବ୍ୟବସ୍ଥା ହୋଇଛି । ପ୍ରବାସୀ ଭାରତୀୟମାନେ କିଭଳି ଏକ ଭଲ ଅନୁଭୂତି ନେଇ ଫେରିବେ ଓ ଓଡ଼ିଶାର କଳା ସଂସ୍କୃତି ବିଷୟରେ ଅଧିକ ଜାଣି ପାରିବେ ସେ ଦିଗରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହା ବି ପଢନ୍ତୁ...ଆସିଲେଣି ପ୍ରବାସୀ, ଚିନ୍ତା ବଢାଉଛି ନୂଆ ଭାଇରସ୍: କେନ୍ଦ୍ରର ସତର୍କତା ସହ ହେବ ଆୟୋଜନ ଏହା ମଧ୍ୟ ପଢନ୍ତୁ...ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY |
ରାଜ୍ୟ ସଂଗ୍ରହାଳୟରେ ନୂଆ ଗ୍ୟାଲେରୀ:
ଏହି ପରିପ୍ରେକ୍ଷାରେ ରାଜ୍ୟ ସଂଗ୍ରହାଳୟରେ ଉଦଘାଟିତ ହୋଇଯାଇଛି ୯ଟି ନୂଆ ଗ୍ୟାଲେରୀ । ଓଡ଼ିଶାର ଐତିହ୍ୟ, ଇତିହାସ, ସଂସ୍କୃତି ଏବଂ ପରମ୍ପରା ବିଷୟରେ ପ୍ରବାସୀଙ୍କୁ ଅବଗତ କରାଇବାକୁ ହୋଇଛି ବିଭିନ୍ନ ବ୍ୟବସ୍ଥା । ଏହାସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଧ୍ୟ ଆୟୋଜନ କରାଯାଇଛି ।
ଇଟିଭି ଭାରତ, ଭୁବେନଶ୍ବର