ବୌଦ୍ଧ:କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନୀ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୈତିକ ପାଣିପାଗ । ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର । ଦଳୀୟ ପ୍ରଚାରରେ କମ୍ପୁଛି ଗାଁଠୁ ସହର । ଏହାରି ଭିତରେ ଜିଲ୍ଲାର କିଛି ସ୍ଥାନାରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଛି । କିଛି ସରକାରୀ କର୍ମଚାରୀ ଦଳୀୟ କାର୍ଯ୍ୟକ୍ରମରେ ଲିପ୍ତଥିବା ଅଭିଯୋଗ ହୋଇଛି । ସେହିପରି ନିର୍ବାଚନ ପୂର୍ବରୁ ଲକ୍ଷାଧିକ ଟଙ୍କା ଚାଲାଣ ସମୟରେ ମାଡି ବସିଛି ଫ୍ଲାଇଙ୍ଗ ସ୍କ୍ୱାର୍ଡ ।
ଗତକାଲି ସଂଧ୍ୟାରେ ବୌଦ୍ଧ ମହାନଦୀ ସେତୁ ଛକ ଠାରେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏକ କାରରୁ ଲକ୍ଷାଧିକ ଟଙ୍କା ଜବତ କରିଥିବା ସୂଚନା ମିଳିଛି । କଣ୍ଟାମାଳ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ଜବତ କରାଯାଇଥିବା ବେଳେ ବ୍ୟକ୍ତି ଜଣକ ଏନେଇ କୌଣସି ହିସାବ ଦେଇନପାରିବାରୁ ନିର୍ବାଚନ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ଏତେ ପରିମାଣର ଟଙ୍କା ବ୍ୟକ୍ତି ଜଣକ କେଉଁ ଠାରୁ ଆଣିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।
ଜିଲ୍ଲାରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ନିର୍ବାଚନର ମାହୋଲ ସରଗରମ ହେବାରେ ଲାଗିଛି । ତେବେ ବିଭିନ୍ନ ରାଜନୈତିକ ରାଲି ଓ ସମାବେଶରେ ସରକାରୀ କର୍ମଚାରୀମାନଙ୍କର ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳିଛି । ବିଶେଷ ଭାବରେ ଶିକ୍ଷା ବିଭାଗର ରାଜନୈତିକ ଦଳ ପ୍ରତି ଅଧିକ ଆକର୍ଷଣ ରହୁଥିବା ପରିଲକ୍ଷିତ ହୋଇଛି ।