ଭୁବନେଶ୍ବର:ଭୁବନେଶ୍ବର: ଓଡ଼ିଶା ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ଛୁଇଁଛି । ସ୍ବାଭାବିକ ସମୟର 4 ଦିନ ପୂର୍ବରୁ ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାର ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ନେଇ ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି । ମୌସୁମୀର ଆଗମନ ପରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି ।
ରାଜ୍ୟରେ ଜାରି ଥିବା ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ବସ୍ତି । ମୌସୁମୀର ଆଗମନ ନେଇ ରାଜ୍ୟବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି । ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁଥିବା ବେଳେ ଆଗାମୀ କିଛି ଦିନରେ ରାଜ୍ୟର ଅନ୍ୟ ଅଞ୍ଚଳକୁ ମଧ୍ୟ ପ୍ରବେଶ କରିବ । ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, "ମାଲକାନିଗିରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି । ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଆଗାମୀ 4ରୁ 5 ଦିନ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଜାରି ରହିବ । ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ, ଯାଜପୁର, ରାୟଗଡ଼ା, ନବରଙ୍ଗପୁର, କେନ୍ଦୁଝରରେ ବର୍ଷା ହେବାର ସମ୍ଭାବନା ରହିଛି । "
ଏହା ବି ପଢନ୍ତୁ- କେଉଁ ରାଜ୍ୟକୁ କେବେ ଛୁଇଁବ ମୌସୁମୀ, ତାଲିକାରେ ଦେଖନ୍ତୁ ନିଜ ରାଜ୍ୟ