ହାଇଦ୍ରାବାଦ: ଭାରତରେ କ୍ବିକ୍ କମର୍ସ ସେବାକୁ ଅଧିକ ଲୋକପ୍ରିୟତା ମିଳିଛି । ଏହି ସେକ୍ଟରର ମଧ୍ୟ ଦ୍ରୁତ ଗତିରେ ଅଭିବୃଦ୍ଧି ଘଟୁଛି । ଏବେ ମାର୍କେଟର ମୋଟ ମୂଲ୍ୟ 57,701 କୋଟି ଟଙ୍କା ରହିଛି । ଭାରତରେ ସ୍ବିଗି ଇନଷ୍ଟାମାର୍ଟ, ବ୍ଲିଙ୍କଇଟ୍, ଜେପ୍ଟୋ ପରି କମ୍ପାନୀ ଏକ ପ୍ରମୁଖତା ବଜାୟ ରଖିଛନ୍ତି । ସେମାନଙ୍କ ଟକ୍କର ଦେବାକୁ ଏହି ମାର୍କେଟରେ ପ୍ରବେଶ କରିବାକୁ ଯାଇଛି ଇ-କମର୍ସ ପ୍ଲାଟଫର୍ମ 'ଆମାଜନ'ର କ୍ବିକ୍ କମର୍ସ ସର୍ଭିସ ତେଜ୍ (Tez) । 2025 ନୂଆବର୍ଷରୁ ଏହି ସେବା ଆମାଜନ ଆରମ୍ଭ କରିବାକୁ ଯାଉଛି ।
କେବେ ହେବ ଲଞ୍ଚ୍ ?
ଏକ ରିପୋର୍ଟ ଅନୁସାରେ, ଆମାଜନର ତେଜ୍ ସେବାର ଲଞ୍ଚ ତାରିଖ ଆସନ୍ତା ମାସରେ ଫାଇନାଲ ହେବ । କମ୍ପାନୀ ଡିସେମ୍ବର ମାସରେ ଏ ନେଇ ଏକ ସମୀକ୍ଷା ବୈଠକ ଡାକିଛି । ସେହିଦିନ ତେଜ୍ର ଲଞ୍ଚ ତାରିଖ ଉପରେ ମୋହର ବାଜିବ । ଏଠାରେ କହିରଖୁଛୁ କି, ଡିସେମ୍ବର 9ରୁ 10 ତାରିଖ 2ଦିନ ଧରି ଆମାଜନର ବାର୍ଷିକ କାର୍ଯ୍ୟକ୍ରମ 'ସମ୍ଭବ' ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ତେଜ୍ ସମ୍ପର୍କରେ କମ୍ପାନୀ ଖୁଲାସା କରିବ । ବିଶେଷ ସୂତ୍ର ଅନୁସାରେ କମ୍ପାନୀ ଲାଗି ଆମାଜନ କର୍ମଚାରୀଙ୍କୁ ଭର୍ତ୍ତି କରୁଛି ।
ଏହା ବି ପଢନ୍ତୁ |
କିଏ ଯୋଗାଉଛି କ୍ବିକ୍ କମର୍ସ ସର୍ଭିସ୍ ?
ଚଳିତ ବର୍ଷ ପାର୍ବଣ ଋତୁରେ ଦେଶର ଅନ୍ୟତମ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ Flipkart ମଧ୍ୟ ଏହାର କ୍ବିକ୍ କମର୍ସ ସର୍ଭିସ 'Minutes'କୁ ଲଞ୍ଚ କରିଥିଲା । ସେହିପରି ଟାଟା ଡିଜିଟାଲ ମଧ୍ୟ ନିଜର 'Neu Flash' ସେବା ଆରମ୍ଭ କରିଛି । ଅନ୍ୟପଟେ ଦେଖିଲେ ବିଗବାସ୍କେଟ ଅକ୍ଟୋବରରେ 900କୋଟି ଟଙ୍କା ବିକ୍ରି କରିଛି ।
କ୍ବିକ୍ କମର୍ସ କ୍ଷେତ୍ରରେ ବଡ଼ ସମ୍ଭାବନା:-
ଅନେକ ମାର୍କେଟ ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ, 2026 ସୁଦ୍ଧା କ୍ବିକ୍ କମର୍ସ ବାଜାର ଫୁଡ୍ ଡେଲିଭରିକୁ ମଧ୍ୟ ପଛରେ ପକାଇବ । ଆସନ୍ତା 2030 ସୁଦ୍ଧା ଏହି ବଜାର 25-55 ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ଅନଲାଇନ ସପିଂ ଜଗତରେ ଆହୁରି ନିଜ ସ୍ଥିତି ସୁଦୃଢ କରିବା ଲାଗି ଆମାଜନ ତେଜ୍କୁ ଲଞ୍ଚ କରିବାକୁ ଯୋଜନା କରିଛି । କାରଣ ଆଧୁନିକ ଜୀବନଶୈଳୀ ସହିତ କ୍ବିକ୍ ଡେଲିଭରି ସର୍ଭିସକୁ ଲୋକେ ଅଧିକ ପସନ୍ଦ କରିବାରେ ଲାଗିଛନ୍ତି । ଏଣୁ 'ତେଜ୍'କୁ ଭଲ ସଫଳତା ମିଳିବ ବୋଲି ଆମାଜନ ଆଶା ରଖିଛି ।