ଯାଜପୁର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମ ବ୍ରାଞ୍ଚ । ଏଥିପାଇଁ ଏକ ଟିମ ଆଜି ଯାଜପୁର ଟାଉନ ଥାନାରେ ପହଞ୍ଚିଛି । କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏହି ଟିମ୍ ତଦନ୍ତ କରୁଛି । ଏବେ ଯାଜପୁର ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ଗତକାଲି (ରବିବାର) ରାଜ୍ୟ ସରକାର ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ତଦନ୍ତକାରୀ ଟିମ୍ ଯାଜପୁର ଟାଉନରେ ପହଞ୍ଚିଛି ।
ଟାଉନ ଥାନା ପରେ ଆକ୍ରମଣ ହୋଇଥିବା ସ୍ଥାନକୁ ଗଲା ତଦନ୍ତକାରୀ ଟିମ ;-
କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ ଟାଉନ ଥାନାରେ ପହଞ୍ଚି ସ୍ଥାନୀୟ ଥାନାଧିକାରୀଙ୍କଠାରୁ ଘଟଣାର ତଦନ୍ତ ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି । ଏହା ପରେ ଟିମ୍ ଉକ୍ତଦିନ ବିଧାୟକ ହିମାଂଶୁଙ୍କୁ ଆକ୍ରମଣ କରାଯାଇଥିବା ସ୍ଥାନକୁ ମଧ୍ୟ ଗସ୍ତ କରିଛନ୍ତି । ପରେ ଟିମ୍ ସଦର ଥାନା ଓ ବିରଜା ହାଟ ପରିସରରେ ମଧ୍ୟ ପହଞ୍ଚି ତଦନ୍ତ କରିବ । ଆଜି ବିଧାୟକ ହିମାଂଶୁଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ)ଙ୍କ ବୟାନ ମଧ୍ୟ ରେକର୍ଡ କରିପାରେ ତଦନ୍ତକାରୀ ଟିମ୍ । କାରଣ ଉକ୍ତ ଦିନ ହିମାଂଶୁଙ୍କ ସହ ପିଏସଓ ଥିଲେ ଓ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।
ବଢ଼ିଲା ଅଡୁଆ, ଜେରା ହୋଇପାରନ୍ତି ବବି:-
କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ରଙ୍କ ନେତୃତ୍ବରେ ଗଠିତ ଏହି ଟିମରେ ମୋଟ 3 ଅଧିକାରୀ ରହିଛନ୍ତି । ଏହି ଟିମ 3ଟି ମାମଲାର ତଦନ୍ତ କରିବ । ପ୍ରଥମଟି ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ହୋଇଥିବା ବେଳେ ଅନ୍ୟ ଦୁଇ ମାମଲା ମଧ୍ୟରେ ବିରଜା ହାଟରେ ହିଂସା ଓ ଟାଉନ ଥାନା ଘେରାଉ ମାମଲା ରହିଛି । ଅନ୍ୟପଟେ ବିରଜା ହାଟ ହିଂସା ମାମଲାରେ ବିଜେଡିର ବରିଷ୍ଠ ନେତା ବବି ଦାସଙ୍କ ଭାଇ ଭବ ଦାସ ଏବେ ଗିରଫ ହୋଇ ଜେଲରେ ଅଛନ୍ତି । ବିଧାୟକଙ୍କୁ ଆକ୍ରମଣ ଷଡ଼ଯନ୍ତ୍ର ସହ ବବିଙ୍କ ନାମ ମଧ୍ୟ ଯୋଡ଼ା ଯାଉଛି । ଫଳରେ ତଦନ୍ତକାରୀ ସଂସ୍ଥା ସ୍କାନରକୁ ବବି ମଧ୍ୟ ଆସିପାରନ୍ତି ।
ଇଟିଭି ଭାରତ, ଯାଜପୁର