କେନ୍ଦ୍ରାପଡା: ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ଜିଲ୍ଲାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଆଜି ଦୁଇଜଣିଆ କେନ୍ଦ୍ରୀୟ ଅଧିକାରୀଙ୍କ ଟିମ୍ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ପରେ ଏହି ଟିମ୍ ବାତ୍ୟା ପ୍ରଭାବିତ ରାଜନଗର ବ୍ଲକର ଡାଙ୍ଗମାଳ, ପଟ୍ଟାପାରିଆ, ଟିକାୟତ ନଗର ଭଳି ଅଞ୍ଚଳ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । କେନ୍ଦ୍ରୀୟ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । କେନ୍ଦ୍ରୀୟ ଟିମ୍ ରାସ୍ତା, ବିଜୁଳି, ବିଲ୍ଡିଂ ପରି କ୍ଷେତ୍ରରେ ହୋଇଥିବା ଭିତ୍ତିଭୂମି କ୍ଷୟକ୍ଷତି ପରିଦର୍ଶନ କରିବେ ।
- ଭିତ୍ତିଭୂମି କ୍ଷୟକ୍ଷତି ଉପରେ ଫୋକସ: କେନ୍ଦ୍ରୀୟ ଅଧିକାରୀ
ଟିମରେ ସଦସ୍ୟ ଥିବା କେନ୍ଦ୍ରୀୟ ଅଧିକାରୀ ସୁନୀଲ କୁମାର କହିଛନ୍ତି,‘‘ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପାୱାର ସେକ୍ଟର, କୃଷି କ୍ଷେତ୍ର ଏବଂ ରୋଡ଼ ଉପରେ ଫୋକସ କରାଯିବ । ଜିଲ୍ଲାପାଳ ଯେଉଁ ସ୍ଥାନକୁ ନେବେ ସେହି ଅନୁଯାୟୀ ନିରୀକ୍ଷଣ କରାଯିବ ।’’
- ଆଜି ରାଜ୍ୟରେ ପହଞ୍ଚିଛନ୍ତି 7 ଜଣିଆ କେନ୍ଦ୍ରୀୟ ଟିମ
ଏଠାରେ ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ୭ ଜଣିଆ ଟିମ ଆଜି ଓଡିଶା ଗସ୍ତରେ ଆସିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାକୁ କେନ୍ଦ୍ରୀୟ ଅଧିକାରୀ ସୁନୀଲ କୁମାର ଏବଂ ସ୍ନେହାଙ୍କୁ ନେଇ ଗଠିତ ଦୁଇଜଣିଆ ଟିମ୍ ଗସ୍ତ କରୁଛନ୍ତି । କଡା ସୁରକ୍ଷା ମଧ୍ୟରେ କେନ୍ଦ୍ରୀୟ ଟିମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଜିଲ୍ଲାପାଳ, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିବା ସହ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ପ୍ରାରମ୍ଭିକ ଆଲୋଚନା କରିଛନ୍ତି ।
- ରାଜ୍ୟ ସରକାରଙ୍କ ସର୍ଭେରେ କ୍ଷୟକ୍ଷତି ପରିମାଣ 6ଶହ କୋଟି
ତେବେ ବାତ୍ୟାରେ ସର୍ବାଧିକ କେନ୍ଦ୍ରାପଡା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ପରବର୍ତ୍ତୀ ଲଗାଣ ବର୍ଷାରେ ପଡୋଶୀ ଭଦ୍ରକ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିଲା । ରାଜ୍ୟ ସରକାର ପୂର୍ବରୁ ପ୍ରାଥମିକ କ୍ଷୟକ୍ଷତି ସର୍ଭେ ଶେଷ କରି କେନ୍ଦ୍ରକୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି । ରାଜ୍ୟ ସର୍ଭେରେ ପ୍ରାୟ 6 ଶହ କୋଟିର କ୍ଷୟକ୍ଷତି ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ବାଲେଶ୍ଵର, ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲା ବାତ୍ୟା ଦାନା ଦ୍ୱାରା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ମୟୂରଭଞ୍ଜ, ଯାଜପୁର, କଟକ ଓ ଜଗତସିଂହପୁରରେ ମଧ୍ୟ କ୍ଷୟକ୍ଷତି ହୋଇଛି । ବାତ୍ୟା ଓ ପରବର୍ତ୍ତୀ ଲଗାଣବର୍ଷା ଜନିତ ବନ୍ୟା ସ୍ଥିତିରେ 14 ଜିଲ୍ଲାର 166 ବ୍ଲକ ଓ 11637 ଗାଁ ବାତ୍ୟା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 41 ଲକ୍ଷ 4 ହଜାର 357 ଲୋକ ଲୋକ ପ୍ରଭାବିତ ହୋଇଛନ୍ତି । ବାତ୍ୟାରେ ଭାଙ୍ଗିଛି 16 ହଜାର 416 ଘର । ସେଥିରୁ 27 ଟି କଚ୍ଚା ଘର ଭାଙ୍ଗିଥିବାବେଳେ 14 ହଜାର 680 ଘର ଆଂଶିକ ଭାବେ ଭାଙ୍ଗିଥିବା ରାଜ୍ୟ ସରକାରଙ୍କ ସର୍ଭେରେ ଆକଳନ କରାଯାଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା