ଭୁବନେଶ୍ବର:ଆସନ୍ତା୫ବର୍ଷ ମଧ୍ୟରେ ରାଜ୍ୟରେ ୧ ଲକ୍ଷ ୫୦ ହଜାର ଖାଲି ପଡିଥିବା ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏବେ ରାଜ୍ୟରେ ମୋଟ ୧ ଲକ୍ଷ ୩୨ ହଜାର ୪୫୯ଟି ଖାଲି ପଦବୀ ରହିଛି । ଏହା ମଧ୍ୟରୁ ୯୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଦ୍ଵାରା ଅନୁମୋଦନ ମିଳି ସାରିଛି । ସେଥିରୁ ୭୮ ହଜାର ୯୧୯ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଆଗାମୀ ୨ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ କରାଯିବ । ଆଜି ବିଧାନସଭାରେ କଂଗ୍ରେସ ଆଣିଥିବା ମୁଲତବୀ ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା କହିଛନ୍ତି ।
- ସରକାରଙ୍କ ଫୋକସରେ ନିଯୁକ୍ତି:-
ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି,‘‘ବେକାରୀ ବୃଦ୍ଧି ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ଜୁଲାଇ ମାସ ପୂର୍ବର ସ୍ଥିତି । ଜୁଲାଇ ପରେ ବେକାରୀ ବୃଦ୍ଧି ସତ୍ୟ ଆଧାରିତ ନୁହେଁ । ବର୍ଷ ୨୦୨୨-୨୦୨୩ର ରିପୋର୍ଟ ଅନୁସାରେ ବେକାରୀ କ୍ଷେତ୍ରରେ ଜାତୀୟ ହାର ଠାରୁ ରାଜ୍ୟରେ ବେକାରୀ ହାର ଅଧିକ ଥିଲା । ଜାତୀୟ ହାର ୩.୨ ପ୍ରତିଶତ ଥିବା ବେଳେ ରାଜ୍ୟରେ ଏହି ହାର ୩.୯ ପ୍ରତିଶତ ଥିଲା । ଏବେ ନୂଆ ସରକାର ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି ।’’
- ୫ ବର୍ଷରେ ଦେଢଲକ୍ଷ ଭର୍ତ୍ତି:-
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ବିରୋଧୀଙ୍କ ଭ୍ରମ ଧାରଣା ଯେ, 2 ଲକ୍ଷ 05 ହଜାର ପଦବୀ ଖାଲି ପଡ଼ିଛି । 5 ବର୍ଷ ଭିତରେ ରାଜ୍ୟରେ 1 ଲକ୍ଷ 50 ହଜାର ପଦବୀ ପୂରଣ କରିବାକୁ ଆମେ (ରାଜ୍ୟ ସରକାର) ପ୍ରତିଶ୍ରୁତିବଦ୍ଧ । 92 ହଜାର ପଦବୀକୁ ସରକାର ଅନୁମୋଦନ ମଧ୍ୟ କରି ସାରିଛନ୍ତି । 2024 ଡିସେମ୍ବର ସୁଦ୍ଧା ରାଜ୍ୟ ସରକାର 34 ହଜାର 686 ସରକାରୀ ପଦବୀ ପୂରଣ କରିବେ । ସେଥିପାଇଁ ପ୍ରକ୍ରିୟା ଶେଷ ହୋଇଛି । ସମୁଦାୟ 1 ଲକ୍ଷ 32 ହାଜର 459 ମୂଳ ପଦବୀ ଖାଲି ରହିଛି । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଛତା ଆଣିବା ପାଇଁ ରାଜ୍ୟ ସରକାର ଖୁବଶୀଘ୍ର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି ।’’
- କଂଗ୍ରେସ ଆଣିଥିଲା ମୁଲତବୀ ପ୍ରସ୍ତାବ:-
ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା । ରାଜ୍ୟରେ ଖାଲିଥିବା ଶହ ଶହ ସରକାରୀ ପଦବୀ ପୂରଣ ନହେବା, ନୂତନ ପଦବୀ ସୃଷ୍ଟି ନହେବା ଓ ଚୁକ୍ତିଭିତ୍ତିକ ତଥା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ବା ନିୟମିତ ନକରାଯିବା ସରକାରଙ୍କ ଏକ ଅମାନବୀୟ ଓ ସମ୍ବେଦନଶୀଳ କାର୍ଯ୍ୟ ଶୀର୍ଷକ ମୁଲତବୀ ପ୍ରସ୍ତାବ କଂଗ୍ରେସ ପକ୍ଷରୁ ଅଣାଯାଇଥିଲା ।
ବିଜେଡି ମଧ୍ୟ ବେକାରୀ ପ୍ରସଙ୍ଗରେ ଘେରିଲା
ମୁଖ୍ୟ ବିରୋଧୀ ବିଜେଡି ମଧ୍ୟ ନିଯୁକ୍ତି ଓ ବେକାରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲା । ଦଳୀୟ ବିଧାୟକ ଗଣେଶ୍ୱର ବେହେରା କହିଥିଲେ, ବେକାରୀରେ ଓଡ଼ିଶା ୨୧ ନମ୍ବର । ଦୁଇ ବର୍ଷ ଭିତରେ ୬୫ ହଜାର ନିଯୁକ୍ତି ଦେବାକୁ ସରକାର କହୁଛନ୍ତି । ଏହା ବାଦ, ଆଉ କେତେ ପଦବୀ ଖାଲି ଅଛି, ନା ଅଧିକ ସେ ନେଇ ସରକାର ସ୍ପଷ୍ଟ କରନ୍ତୁ । ଠିକା ନିଯୁକ୍ତି ଉଠାଇବେ କି ? ଆଉଟ ସୋର୍ସରେ ନିଯୁକ୍ତି ପାଇଥିବା କର୍ମଚାରୀ ସଂସ୍ଥା ଦ୍ୱାରା ଶୋଷଣ ହେଉଛନ୍ତି । ସରକାର ଏ ଦିଗରେ ପଦକ୍ଷେପ ନେବେ କି ବୋଲି ଗଣେଶ୍ବର ପ୍ରଶ୍ନ କରିଥିଲେ । ଏହି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସରକାରଙ୍କ ପ୍ରତିନିଧିତ୍ବ କରି ବିବୃତ୍ତି ରଖିଛନ୍ତି ।
ଆଜି ବିଧାନସଭାରେ ଆଲୋଚନା ହେଲା ଏସବୁ ପ୍ରସଙ୍ଗ:
ମାଗଣାରେ ମିଳିବ କି ବିଜୁଳି:
ସ୍ମାର୍ଟ ମିଟର ନେଇ କାହାର ବି ଅଭିଯୋଗ ରହିଛି ତାକୁ ଟେଷ୍ଟିଂ କରାଇ ନେବା ଦରକାର। ଟାଟା କର୍ମଚାରୀ ମାନଙ୍କୁ ଡାକି ଚେକ କରାଇବେ। ସଚେତନତା ଆଧାରରେ ଖାଉଟି ମାନଙ୍କୁ ଶିକ୍ଷିତ କରିବାକୁ ପଡିବ। ବିଜୁଳି ମାଗଣାରେ ବିତରଣ କରାଯାଇ ପାରିବ ନାହିଁ। ସାଧାରଣ ଗରିବ ପରିବାରକୁ ମାଗଣାରେ ବିଦ୍ୟୁତ ଯୋଗାଇଦେବା ନେଇ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ କେଭି ସିଂହଦେଓ, ସେମାନଙ୍କୁ pm ସୂର୍ଯ୍ୟଘର ଯୋଜନାରେ ଆବେଦନ କରିବାକୁ ପଡିବ।ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ମିଳିବ,ଯଦି ସେମାନେ ଏହି ଯୋଜନାରେ ଆବେଦନ କରିବେ ତାହେଲେ 300 ୟୁନିଟ ମାଗଣା ବିଜୁଳି ମିଳିବ । ଗୃହରେ ଭାସ୍କର ମଢେଇଙ୍କ ପ୍ରଶ୍ନର ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ କେଭି ସିଂହଦେଓ ।