ଭୁବନେଶ୍ବର: ମୋହନ ସରକାର ବରିଷ୍ଠ ‘ଓଏଏସ’ ଅଧିକାରୀ ତଥା ଯୁଗ୍ନ ଓ ଅତିରିକ୍ତ ସଚିବ ସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗର 4ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜରିଆରେ ମୋଟ 19 ଜଣ ‘ଓଏଏସ’ ଅଧିକାରୀଙ୍କ ଦାୟିତ୍ବ ଅଦଳବଦଳ ସହ ନୂଆ ଦାୟିତ୍ୱ ମିଳିଛି । ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇ ବିଭିନ୍ନ ବିଶ୍ୱବିଦ୍ୟାଳୟର ପଦ ପୂରଣ କରିବାକୁ ସରକାର ଚେଷ୍ଟା କରିଛନ୍ତି ।
ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘସିରାମ ମୁର୍ମୁଙ୍କ ପକ୍ଷରୁ ଜାରି ହୋଇଛି ଓଏଏସ ବଦଳି ସଂକ୍ରାନ୍ତୀୟ 4ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି । ବିଜ୍ଞପ୍ତି ଅନୁସାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଥିବା ଯସ୍ମିନ ପଟ୍ଟନାୟକଙ୍କୁ ‘ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ’ର କୁଳସଚିବ ବା ରେଜିଷ୍ଟ୍ରାର ଭାବେ ନୂଆ ନିଯୁକ୍ତି ମିଳିଛି । ରାଜ୍ୟ ନିର୍ବାଚନ କମିଶନରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ୱେତ କୁମାର ଦାଶଙ୍କୁ ବ୍ରହ୍ମପୁରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପାଢ଼ୀଙ୍କୁ ‘ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ’ ଓ ‘ଏସସିଇଆରଟି’ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଓଏଏସ ସଞ୍ଜିବିତା ରାୟଙ୍କୁ କଟକରେ ଥିବା ଓଡ଼ିଶା ଲୋକସେବା ଆୟୋଗର ଯୁଗ୍ମ ପରୀକ୍ଷା ନିୟନ୍ତ୍ରକ ଭାବେ ବଦଳି କରାଯାଇଛି ।
ଭୁବନେଶ୍ୱରରେ ‘ଇଡକୋ’ ଲ୍ୟାଣ୍ଡ ଅଫିସର ଥିବା ସ୍ୱାତୀ ମିଶ୍ର ଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଶିଳ୍ପ ବିଭାଗର ଉପନିର୍ଦ୍ଦେଶକ ହରପ୍ରିୟା ଦାଶଙ୍କୁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଭାବେ କଟକରେ ଅବସ୍ଥାପିତ କରାଯାଇଛି । ମାନସ ରଞ୍ଜନ ସାମଲଙ୍କୁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଉପସଚିବ ଭାବେ ନୂଆ ନିଯୁକ୍ତି ମିଳିଛି ।
ବୋର୍ଡ ଅଫ ରେଭନ୍ୟୁରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଦେବାଶିଷ ପଟ୍ଟନାୟକଙ୍କ ବଦଳି ଆଦେଶକୁ ରଦ୍ଦ କରାଯାଇଛି । ତାଙ୍କୁ ସେଠାରେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି । ଗତମାସ 29 ତାରିଖରେ ଦେବାଶିଷଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିଲା ।