ଭୁବନେଶ୍ବର: ରାଜଧାନୀରେ ପୁଣି ବେପରୁଆ ଗାଡି ଚଳାଇ ଜଣଙ୍କୁ ମାରି ଦେଲା ମୋ ବସ୍। ମନ୍ତ୍ରୀ କହିଥିଲେ ସ୍ପିଡ ଲିମିଟ 40 ରହିବ । ହେଲେ ଦୁର୍ଘଟଣା ଘଟାଇଥିବା ମୋ ବସର ବେଗ 45 ଥିବା ନିଜେ କ୍ରୁଟ କର୍ତ୍ତୃପକ୍ଷ ମାନିଛନ୍ତି । ଆଜି ସକାଳେ ପଟିଆ ନନ୍ଦନକାନନ ରାସ୍ତାରେ ନାବାଳିକାକୁ ଧକ୍କା ଦେଇଛି ମୋ ବସ। ୧୨ବର୍ଷୀୟ ନାବାଳିକାକୁ ମୋ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ୬ଷ୍ଠ ଶ୍ରେଣୀର ପାଠ ପଢୁଥିବା ନାବାଳିକାର ଏପରି ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା। ରାସ୍ତା ଉପରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ବାଉଁଶ ବାନ୍ଧି କଟକ ଭୁବନେଶ୍ୱର ଯିବାଆସିବା ରାସ୍ତାକୁ ବନ୍ଦ ରଖିଛନ୍ତି। ଫଳରେ ନନ୍ଦନକାନନ ଥାନା ସାମ୍ନାରେ ଦେଖାଦେଇଛି ସ୍ଥାନୀୟ ଲୋକଙ୍କ ଉତ୍ତେଜନା ।
- ‘ମୋ ବସ୍’ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ
କୁନି ଜୁଆଡି ନାମକ ୧୨ବର୍ଷୀୟ ଛାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେ ବଲାଙ୍ଗୀର ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ସେମାନେ ରଘୁନାଥପୁର ଅଞ୍ଚଳରେ ରହୁଛନ୍ତି। ତାଙ୍କ ବାପା ଏକ ନର୍ସରୀରେ କାମ କରୁଥିବାବେଳେ ମା’ ଜଣେ ଗୃହିଣି । ଆଜି ସକାଳୁ କୁନି ଝିଅଟି ସକାଳ ଖାଇବା ପାଇଁ ବିସ୍କୁଟ ଆଣିବା ପାଇଁ ରଘୁନାଥପୁର ଛକ ତଥା ନନ୍ଦନକାନନ ରାସ୍ତାରେ ଯାଉଥିବା ବେଳେ କୁନି ଝିଅର ସାଇକେଲ ଉପରକୁ ମାଡ଼ି ଯାଇଥିଲା ମୋ ବସ୍। ଭୁବନେଶ୍ୱରରୁ କଟକ ଯିବା ରାସ୍ତା ଉପରେ ୫୪ନମ୍ବର ମୋ ବସଟି ଦୁର୍ଘଟଣା ଘଟାଇଥିଲା। ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଛି ୧୨ ବର୍ଷର ନାବାଳିକା। ଫଳରେ ନନ୍ଦନକାନନ ରାସ୍ତାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ମୋ ବସ୍ ଗୁଡ଼ିକୁ ମଧ୍ୟ ଅଟକାଇ ରଖିଛନ୍ତି। ଘଟଣାସ୍ଥଳରେ ମୋ ବସ୍ କତୃପକ୍ଷ ଓ ସ୍ଥାନୀୟ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।
ମୃତ କୁନି ଝିଅର ମା ସାବିତ୍ରୀ ଜୁଆଡି କହିଛନ୍ତି ‘‘ତାର ବାପା କାମରେ ଯାଇଛନ୍ତି ଏଯାଏଁ ଫେରି ନାହାନ୍ତି। ସକାଳୁ ଫୁଲ ଆଉ ବିସ୍କୁଟ ଆଣିବାକୁ ଯିବାକୁ କହି ଝିଅ ଆସିଥିଲା। ହେଲେ ଆଉ ଫେରିଲା ନାହିଁ । କିଛି ସମୟ ପରେ ଖବର ପାଇଲେ ଯେ ତାଙ୍କ ଝିଅକୁ ବସ ଧକ୍କା ଦେଇଛି। ତାଙ୍କ ଝିଅ ଆଉ ନାହିଁ ସେ କାହାକୁ କଣ କହିବେ କିଛି ଜାଣିପାରୁ ନାହାନ୍ତି। ତାଙ୍କ ଝିଅକୁ ଧକ୍କା ଦେଇଥିବା ଡ୍ରାଇଭରକୁ ଶାସ୍ତି ଦିଆଯାଉ ବୋଲି କହିଛନ୍ତି କୁନି ଝିଅର ମା ସାବିତ୍ରୀ ଜୁଆଡୀ’’।
ସ୍ଥାନୀୟ ସରପଞ୍ଚ ଝୁଲଣ ମାଝୀ କହିଛନ୍ତି ‘‘ମୃତକର ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଦିଆଯାଉ। ତା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ସମସ୍ତ ମୋ ବସ୍ କର୍ମଚାରୀ ମାନଙ୍କୁ କୁହନ୍ତୁ ଗାଡି ଟିକେ ଧିରେ ଚାଳନା କରିବା ପାଇଁ। ଆମ ଗାଁରେ ୫୦ଖଣ୍ଡ ଗାଡି ଅଛି କାହିଁ ଏମିତି ହେଉନି। ତେଣୁ ଏପରି ନ ହେବା ପାଇଁ ପଦକ୍ଷେପ ନିଅନ୍ତୁ।’’
- ଭୁଲ ମାନିଲେ କ୍ରୁଟ କର୍ତ୍ତୃପକ୍ଷ
ସେପଟେ ମୋ ବସ୍ ର କ୍ରୁଟ ଅଧିକାରୀ ଜୟନ୍ତ କୁମାର କହିଛନ୍ତି ‘‘ଆଜିର ଦୁର୍ଘଟଣା ପାଇଁ ମୋ ବସ୍ ଡ୍ରାଇଭର ତଥା କ୍ୟାପ୍ଟେନ ର ସମ୍ପୁର୍ଣ୍ଣ ଭୁଲ ବୋଲି ମାନିଛନ୍ତି ମୋ ବସ୍ କର୍ମଚାରୀ । ଦୁର୍ଘଟଣା ପରେ ମୃତ ଝିଅର ମା ସହ କଥା ହେଇଛନ୍ତି। ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଲୋଚନା ଚାଲିଛି। ଏ ଗାଡି ୪୫ସ୍ପିଡରେ ଥିଲା । ଏଭଳି ଘଟଣା ନ ହେବା ପାଇଁ ଚେଷ୍ଟା କରୁଛୁ । ଆଜି ସକାଳେ ବି ଆମେ କାଉନ୍ସିଲ କରିଛୁ । ଡ୍ରାଇଭିଂ କରୁଥିବା କ୍ୟାପ୍ଟେନଙ୍କୁ ଆମେ ସ୍ବତନ୍ତ୍ର ନିର୍ଦେଶ ଦେଇଛୁ। ଏହି ଘଟଣାର ଡ୍ରାଇଭର ତନି ବର୍ଷ ହେଲା କାମ କରୁଛନ୍ତି । ତେଣୁ ସେ ଦିଗରେ ଆମେ ଗୁରୁତ୍ବ ଦେବୁ । ବର୍ତ୍ତମାନ ଟାଉନ ଭିତରେ ୪୦ରୁ ଅଧିକ ସ୍ପିଡରେ ଯାଇ ହେବ ନାହିଁ ବୋଲି ଆମେ ସମସ୍ତ କ୍ୟାପ୍ଟେନଙ୍କୁ ଜଣାଇବୁ’’ ।
ଏହା ମଧ୍ୟ ପଢନ୍ତୁଲୋକାରଣ୍ୟ ଚନ୍ଦ୍ରଭାଗା, ମାଘ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଏହା ମଧ୍ୟ ପଢନ୍ତୁବ୍ଯବସାୟୀଙ୍କଠୁ ଝାମ୍ପିଥିଲେ ସୁନାଗହଣା ଭର୍ତ୍ତି ବ୍ୟାଗ: ନାବାଳକ ସମେତ 3 ଗିରଫ, ଏବେବି ମାଷ୍ଟରମାଇଣ୍ଡ ଫେରାର