ରାଇରଙ୍ଗପୁର:ବାରିପଦାରେ ବଲିଉଡ ଷ୍ଟାର ଗୋବିନ୍ଦା । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ପାରମ୍ପରିକ ଲୋକକଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଆଦିର ବିକାଶ ଲକ୍ଷ୍ୟରେ ଅନୁଷ୍ଠିତ 'ଆଦି ଫେଷ୍ଟ-୨୦୨୪' କାର୍ଯ୍ୟକ୍ରମରେ ଯୋଗଦେଇ ଧୁମ ମଚାଇଛନ୍ତି ଗୋବିନ୍ଦା । ଫିଲ୍ମି ଡାଇଲଗ ସହ ତାଙ୍କ ୟୁନିକ ଡ୍ୟାନ୍ସ ମାଧ୍ୟରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ସେପଟେ ଏହି ବଲିଉଡ ଷ୍ଟାରଙ୍କୁ ଦେଖିବା ପାଇଁ ଜନସମୁଦ୍ର ପାଲଟିଥିଲା ବାରିପଦା ସହର ସ୍ଥିତ ଐତିହାସିକ ଛଉ ପଡ଼ିଆ ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଐତିହାସିକ ଛଉ ପଡ଼ିଆରେ ଦୁଇ ଦିନ ଧରି ଜନଜାତି ସାଂସ୍କୃତିକ ସମ୍ମିଳନୀ 'ଆଦି ଫେଷ୍ଟ' ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି(ରବିବାର) ଉଦଯାପିତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଭାବେ ବଲିଉଡ ଅଭିନେତା ଗୋବିନ୍ଦା ଯୋଗ ଦେଇଥିଲେ । ବାରିପଦାରେ ବଲିଉଡ ଷ୍ଟାର ଗୋବିନ୍ଦା ଧମାକେଦାର ଏଣ୍ଟ୍ରି କରିବା ସହ କାର୍ଯ୍ୟକ୍ରମରେ ଧୁମ ମଚାଇଥିଲେ । ତାଙ୍କ ଫିଲ୍ମି ଡାଇଲଗ ଓ ଡ୍ୟାନ୍ସ ଦର୍ଶକଙ୍କୁ ଦିୱାନା କରିଥିଲା । ବଲିଉଡ୍ ଷ୍ଟାର ଗୋବିନ୍ଦାଙ୍କ ଝଲକ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ପାରମ୍ପରିକ ଲୋକକଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଆର୍ଥିକ ବିକାଶ ସହିତ ଓଡ଼ିଶାର ପୂରାତନ ଗୌରବକୁ ବଜାୟ ରଖିବା ପାଇଁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଲୋକକଳାର ପ୍ରଦର୍ଶନ ସହିତ କଳା ସହ ଜଡ଼ିତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କ ତରଫରୁ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ କଳାକାର ଯୋଗ ଦେଇଥିଲେ । ବଲିଉଡ କଣ୍ଠଶିଳ୍ପୀ ଜୁନ ଦାସ, ଅଭିନେତ୍ରୀ ସଞ୍ଜୟ ସିଂ ବାରି, ମିରଣ୍ଡା ଦାସ, ପାର୍ଶୀ ମାରାଣ୍ଡି, ଲିପ୍ସା ଦାସ ଏବଂ ସ୍ଥାନୀୟ କଳାକାରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଦର୍ଶକମାନଙ୍କ ପାଇଁ ଆକର୍ଷିତ କରିଥିଲେ ।