ନୂଆପଡା: ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଗ୍ରାମପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ବ୍ୟାପକ ଟଙ୍କା ହଡ଼ପ ଅଭିଯୋଗ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ସୂଚନା ଅନୁଯାୟୀ, ମଖାପଦର ଗ୍ରାମପଞ୍ଚାୟତ ଲିଆଡ ଗାଁର ଚାଷୀ କେତନ ମାଝୀ ନାମକ ହିତାଧିକାରୀ ନାମରେ ଟଙ୍କା ହଡପ ଅଭିଯୋଗ ହୋଇଛି। ହିତାଧିକାରୀ ଚାଷୀ ଟଙ୍କାଟିଏ ପାଇନଥିବା ବେଳେ ସରପଞ୍ଚ, ଗ୍ରାମପଞ୍ଚାୟତ ପିଇଓ, ଜିଆରଏସ ମିଶି ଟଙ୍କା ଆତ୍ମସାତ କରିଥିବା ଗାଁ ଲୋକେ ସଙ୍ଗୀନ ଅଭିଯୋଗ କରିଛନ୍ତି । ତେବେ ଲିଆଡ଼ ଗ୍ରାମର ଚାଷୀ କେତନ ମାଝୀ ଗତ 2023 ବର୍ଷ ଅକ୍ଟୋବର 10 ତାରିଖରେ ସଜନା ଗଛ ପ୍ଳାଣ୍ଟେସନ କାମ ଆରମ୍ଭ କରିଥିବା ଚାଷଜମି ଉପରେ ବୋର୍ଡ ଲଗାଯାଇଛି । ହେଲେ ଜମି ଉପରେ କୌଣସି ସଜନା ଗଛ ଲଗାଯାଇନାହିଁ । ବୋର୍ଡ ଲାଗିଥିବା ଜମି ଉପରେ ହରଡ଼ ଚାଷ ଏବଂ କପା ଚାଷ ହେଉଛି । ତେଣୁ ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ - ମନରେଗା ଦୁର୍ନୀତି ! ପରିଶ୍ରମ କଲେ ଲୋକେ, ମିଳୁନି ପ୍ରାପ୍ୟ