ଖୋର୍ଦ୍ଧା: ନିର୍ବାଚନ ଯେତିକି ପାଖଉଛି ଦଳକୁ ସେତିକି ସୁଦୃଢ କରିବାରେ ଲାଗି ପଡିଛନ୍ତି କର୍ମୀ । ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବା ସହ କର୍ମୀଙ୍କୁ ଏକଜୁଟ କରି ଆଶାୟୀମାନେ ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି । ମିଶ୍ରଣ ପର୍ବ ଜରିଆରେ ଅନ୍ୟ ଦଳର ନେତାଙ୍କୁ ନିଜ ଦଳରେ ସାମିଲ କରାଯାଉଛି । ଏହି କ୍ରମରେ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାରେ ବିଜେପିର ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ବିଜେଡି ଓ ବିଜେଡି ଛାଡି ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ବିଜେଡି ଛାଡି ବିଜେପିରେ ମିଶିଥିବା ଜିଲ୍ଲା ପରିଷଦ ଅନାଦି ସାହୁଙ୍କ ନେତୃତ୍ୱରେ ଦୁର୍ଗାପୁର ପଞ୍ଚାୟତ ଗୁଡୁମ ହାଇସ୍କୁଲ ପଡ଼ିଆରେ ସ୍ୱାଭିମାନ ସମାବେଶରେ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-ପଦ୍ମ ଧରିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା - Ram chandra Panda Joins BJP
ଏହି ମିଶ୍ରଣ ପର୍ବରେ ବେଗୁନିଆ ବୋଲଗଡ଼ ବ୍ଲକର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସୁଶାନ୍ତ ନାଥ ସଂଯୋଜନା କରିଥିବା ବେଳେ ବିଜେପି ଏଥର କ୍ଷମତାକୁ ଆସିବ ଏବଂ ଓଡିଶାବାସୀ ତାର ଲାଭ ପାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ ବିଜେପି ନେତା ଅନାଦି ସାହୁ । ସେପଟେ ବିଜେପି ବ୍ୟାନରରେ ଏଡ଼େ ବଡ଼ ମିଶ୍ରଣ ପର୍ବର ଆୟୋଜନ ହୋଇଥିବା ସଭାରେ ଅପରାଜିତା କିମ୍ବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନୁପସ୍ଥିତି ଅନେକ ପ୍ରଶ୍ନ ଉଠାଇଛି । ବିଶେଷକରି ବେଗୁନିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଦଳୀୟ କର୍ମୀଙ୍କ ଦ୍ୱାରା ବିରୋଧ କରାଉଛି । ଏବେ ଦଳକୁ ମଜଭୁତ କରିବା ପାଇଁ ଅନାଦି ସାହୁ ଆୟୋଜନ କରିଥିବା ମିଶ୍ରଣ ପର୍ବରେ ସାଂସଦଙ୍କ ଅନୁପସ୍ଥିତି ଦଳ ଭିତରେ ଥିବା ବିବାଦ ପଦାରେ ପକାଉଥିବା ସ୍ପଷ୍ଟ ହୋଇଛି ।
ଏହି କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ସୋନାଲି ମୋନାଲିସା, ଉତ୍ତର ବେଗୁନିଆ ମଣ୍ଡଳ ସଭାପତି ହରିହର ମହାରଣା, ପ୍ରତିଭା ରାଣୀ ସାହୁ, ଶୁଭସ୍ମିତା ମାନ୍ଧାତା, ଖୋର୍ଦ୍ଧା ଜିଲ୍ଲା ଯୁବ ବିଜେପି ସାଧାରଣ ସଂପାଦକ ସମରେଶ ରାଉତରାୟ, ଅକ୍ଷୟ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନ ୪୦ଟି ପଞ୍ଚାୟତରୁ ଶତାଧିକ ମହିଳା ଓ ପୁରୁଷ ମଧ୍ୟ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା