ଭବାନୀପାଟଣା: ପତ୍ନୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ । ନିଜ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା ମାମଲାର ଗତକାଲି ଶୁଣାଣି କରିଛନ୍ତି କୋର୍ଟ । ଅଭିଯୁକ୍ତ ସ୍ଵାମୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ପତ୍ନୀ ହତ୍ୟା ଅଭିଯୋଗରେ କଳାହାଣ୍ଡି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଗତ ୨୦୧୮ ମସିହା ସେପ୍ଟେମ୍ବର ୨ ତାରିଖରେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅର୍ନ୍ତଗତ ନୂଆ ଗାଁର ଦୁର୍ଜନ ସୁନାନୀ ତାଙ୍କ ସ୍ତ୍ରୀ ଦେବକୀ ରାଉତଙ୍କୁ ଯୌତୁକ ପାଇଁ ଦଉଡ଼ିରେ ତଣ୍ଟି ଚିପି ହତ୍ୟା କରିଥିଲା । ବିବାହ ଦିନ ଠାରୁ ଦୁର୍ଜନ ସ୍ତ୍ରୀ ଦେବକୀଙ୍କୁ ଯୌତୁକକୁ ପାଇଁ ନିର୍ଯାତନା ଦେଇ ଆସୁଥିଲେ । ମାଡ଼ ମାରିବା ସହ ଘରୁ ବାହାରକୁ ବାହାର କରି ଦେଉଥିଲେ । ହେଲେ ଦେବକୀ ନିଜ ବାପା ଓ କାକାଙ୍କୁ ଜଣାଇଥିଲେ । ପରେ ଉଭୟ ପରିବାର ବୁଝାସୁଝା କରିଥିଲେ । ହେଲେ କିଛି ଦିନ ପରେ ପୁଣି ଥରେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ ଦୁର୍ଜନ ।
ଶେଷରେ ୨୦୧୮ ମସିହା ସେପ୍ଟେମ୍ବର ୨ ତାରିଖରେ ଦେବକୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିଲା ସ୍ୱାମୀ ଦୁର୍ଜନ । ଏହି ଘଟଣା ନେଇ ଦେବକୀର କାକା କୁବେର ରାଉତ ଆମପାଣି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆମପାଣି ପୋଲିସ ଏନେଇ ଏକ ମାମଲା ରୁଜୁ କରିଥିଲା । ଘଟଣା ସ୍ଥଳରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଲିସ କେସ ନମ୍ବର ୫୨/୨୦୧୮ ଦଫା ୩୦୨ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଦୁର୍ଜନ ସୁନାନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।