ସମ୍ବଲପୁର: ମା' ସମଲେଶ୍ବରୀଙ୍କ ପ୍ରସାଦରୁ ଭକ୍ତ ଆଉ ବଞ୍ଚିତ ହେବେନାହିଁ । ଏଣିକି ମନ୍ଦିରରେ ମିଳିବ ପ୍ରସାଦ । ଏଥିପାଇଁ ମନ୍ଦିରର ନୂତନ ଭୋଗ ମଣ୍ଡପ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏହି ଭୋଗ ମଣ୍ଡପ ବନ୍ଦ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ସମଲେଇ ପ୍ରକଳ୍ପ ପାଇଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନଥିଲା । ତେବେ ଆଜି ଏହି ଭୋଗ ମଣ୍ଡପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି ।
- ଖୋଲିଲା ମା' ସମଲେଶ୍ଵରୀ ମନ୍ଦିର ଭୋଗ ମଣ୍ଡପ:
ମା' ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁଙ୍କ ସୂଚନା ଅନୁସାରେ, ଗତ କୋଭିଡ ସମୟରୁ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କୁ ଦିଆଯାଉଥିବା ଅନ୍ନ ଭୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା । କୋଭିଡ ପରେ ସମଲେଇ ପ୍ରକଳ୍ପରେ ମା' ସମଲେଶ୍ଵରୀ ମନ୍ଦିର ବିକାଶ ପାଇଁ ଭୋଗମଣ୍ଡପକୁ ଭଙ୍ଗା ଯାଇଥିଲା । ସେହି ସମୟରୁ ଭୋଗମଣ୍ଡପ ନଥିବାରୁ ମା' ସମଲେଶ୍ଵରୀଙ୍କ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଅନ୍ନଭୋଗ ପାଇ ପାରୁନଥିଲେ । ଅନ୍ୟପକ୍ଷରେ ମନ୍ଦିରରେ ଭୋଗମଣ୍ଡପ ନିର୍ମାଣ ହୋଇ ଭକ୍ତଙ୍କ ପାଇଁ ଅନ୍ନଭୋଗ ଦେବାକୁ ବହୁଦିନରୁ ଦାବି ହୋଇଆସୁଥିଲା । ପରେ ମନ୍ଦିରଠାରେ ଭୋଗ ମଣ୍ଡପ ନିର୍ମାଣ ହେବା ସହ ଏହି କାର୍ଯ୍ୟ ଶେଷ ହୋଇ ଆଜି ଏହାକୁ ଉଦଘାଟନ କରାଯାଇଛି । ଏହାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହା ଫଳରେ ମା' ସମଲେଶ୍ଵରୀଙ୍କ ଦର୍ଶନ କରିବାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ଭକ୍ତ ଏଣିକି ମା'ଙ୍କ ମନ୍ଦିରରେ ଅନ୍ନ ଭୋଗ ପାଇପାରିବେ ।
- ମହାନଦୀ ରିଭରଫ୍ରଣ୍ଡ ଓ ହୀରାକୁଦ ପର୍ଯ୍ୟଟନ ସ୍ଥଳର ହେବ ବିକାଶ:
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା' ସମଲେଶ୍ଵରୀଙ୍କ ଦର୍ଶନ ମଧ୍ୟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, "ମା' ସମଲେଶ୍ବରୀଙ୍କ ପ୍ରସାଦ ପାଇ ଆଜି ଆମେ ସୌଭାଗ୍ୟବାନ ହେଲୁ । କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ମା'ଙ୍କ ମନ୍ଦିରରେ ପ୍ରସାଦ ବ୍ୟବସ୍ଥା ବନ୍ଦ ଥିଲା । ଆଜି ଆଉଥରେ ମନ୍ଦିର ପରିଚାଳନା ବ୍ୟବସ୍ଥା ତରଫରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସମର୍ପିତ କରାଗଲା । ଭକ୍ତ ଏଣିକି ମା' ସମଲେଶ୍ଵରୀଙ୍କ ଦର୍ଶନ ସହ ପ୍ରସାଦ ମଧ୍ୟ ପାଇପାରିବେ । ଏଥିସହ ଖୁବଶୀଘ୍ର ସମଲେଇ ପ୍ରକଳ୍ପରେ ସମଲେଶ୍ଵରୀ ମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ବିକାଶ କାର୍ଯ୍ୟ ଆରମ୍ଭ ହେବ । ମା' ସମଲେଇ ପ୍ରକଳ୍ପକୁ ଆଖି ଆଗରେ ରଖି ମହାନଦୀ ରିଭରଫ୍ରଣ୍ଟ ଓ ହୀରାକୁଦ ପର୍ଯ୍ୟଟନସ୍ଥଳୀର ଅଧିକ ବିକାଶ ନେଇ କାର୍ଯ୍ୟ କରାଯିବ ।"