ପୁରୀ: ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ଅନ୍ୟତମ ଶ୍ବେତଗଙ୍ଗା । ଗଙ୍ଗା ନଦୀରେ ସ୍ନାନ କଲେ ଯେତିକି ପୂଣ୍ୟ ଅର୍ଜନ ହୁଏ, ପୁରୀର ଶ୍ବେତଗଙ୍ଗାରେ ସ୍ନାନ କଲେ ସମାନ ପୂଣ୍ୟ ହୁଏ ବୋଲି ବିଶ୍ବାସ କରାଯାଏ । କିନ୍ତୁ ଏହି ପବିତ୍ର ପୁଷ୍କରିଣୀ ଏବେ ଅବହେଳିତ ଅବସ୍ଥାରେ ରହିଛି । ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀ ପରିସରରେ ପଡ଼ି ରହିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ପୁଷ୍କରିଣୀ ପାହାଚରେ ଶିଉଳି ଜମି ରହିଛି । କହିବାକୁ ଗଲେ ପୁଷ୍କରିଣୀ ଏକ ପ୍ରକାର ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଯାହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଅବହେଳିତ ଅବସ୍ଥାରେ ଶ୍ବେତଗଙ୍ଗା:
ଅବଢ଼ା ଯୋଜନାରେ ପୁରୀରେ ଥିବା ସମସ୍ତ ପୁଷ୍କରିଣୀର ଉନ୍ନତିକରଣ ଓ ପୁନରୁଦ୍ଧାର ପାଇଁ ତତ୍କାଳୀନ ସରକାର ଅର୍ଥ ବରାଦ କରିଥିଲେ । ଇନ୍ଦ୍ରଦ୍ୟୁମ୍ନ, ମାର୍କଣ୍ଡ ଏବଂ ନରେନ୍ଦ୍ର ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓବିସିସିକୁ ଦାୟିତ୍ଵ ଦିଆଯାଇଥିଲା । କିନ୍ତୁ ଓବିସିସି ଏନେଇ କୌଣସି ପଦକ୍ଷେପ ନେଉ ନଥିବାରୁ ଏହାକୁ ନେଇ ଭକ୍ତ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀ ପରିସରରେ ପଡ଼ି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ସଫେଇ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି ।
ଆବଶ୍ୟକତା ଅନୁଯାୟୀ ନାହିଁ ଶୌଚାଳୟ:
![Swetaganga Pond](https://etvbharatimages.akamaized.net/etvbharat/prod-images/07-02-2025/23492584_od_sweta-10.jpg)
ସେହିପରି ଶ୍ବେତଗଙ୍ଗା ପୁଷ୍କରିଣୀର ଜଳକୁ ବିଶୋଧନ କରାଯାଉନଥିବାରୁ ଭକ୍ତମାନେ ସ୍ନାନ କରିବା ପରେ ଶରୀରରେ କୁଣ୍ଡାଇ ହେଉଥିବା ଅଭିଯୋଗ ହୋଇଛି । ପାହାଚରେ ଶିଉଳି ଜମି ରହିଥିବାରୁ ଭକ୍ତ ପାଣିରେ ପଡିଯାଇ ଆହତ ହେଉଛନ୍ତି । ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ଅନ୍ୟତମ ହେଉଛି ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀ । ଏଠାକୁ ଭକ୍ତମାନେ ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଏବଂ ପିଣ୍ଡଦାନ ସହ ତିଳ ତର୍ପଣ କରିବାକୁ ଆସିଥାନ୍ତି । କେବଳ ସେତିକି ନୁହେଁ ପର୍ଯ୍ୟାପ୍ତ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ହେଲେ ନିଶାଖୋରଙ୍କ ଆଡା ସ୍ଥଳି ପାଲଟିଛି ତୀର୍ଥ ପୁଷ୍କରିଣୀ । ଫଳରେ ସନ୍ଧ୍ୟା ହେଲେ ଭକ୍ତ ଓ ପର୍ଯ୍ୟଟକ ତୀର୍ଥ ପୁଷ୍କରିଣୀକୁ ଯିବା ପାଇଁ ସୁରକ୍ଷିତ ମଣୁନାହାନ୍ତି । ଆବଶ୍ୟକତା ଅନୁଯାୟୀ ଶୌଚାଳୟ ନାହିଁ । ଏଭଳି ଏକ ପବିତ୍ର ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ପୁରୀ ଜିଲ୍ଲା ଏବଂ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆଣିବା ସହ ଭକ୍ତ ଓ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପୁଷ୍କରିଣୀ ଚାରିପାଖରେ ଅଳିଆ ଆବର୍ଜନା:
![Swetaganga Pond](https://etvbharatimages.akamaized.net/etvbharat/prod-images/07-02-2025/23492584_od_sweta-12.jpg)
ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀକୁ ଆସିଥିବା ଜଣେ ଭକ୍ତ ରଞ୍ଜୁଲତା କିଷାନ କହିଛନ୍ତି, "ପୁରୀକୁ ଆମେ ତୀର୍ଥ କରିବା ପାଇଁ ଆସିଥିଲୁ । ଶ୍ଵେତଗଙ୍ଗା ପୁଷ୍କରିଣୀରେ ମୋ ଝିଅ ସହ ମୋ ପରିବାର ଲୋକେ ବୁଡ ପକାଇଲୁ । ଶ୍ଵେତଗଙ୍ଗା ପୁଷ୍କରିଣୀ ଏକ ପବିତ୍ର ପୁଷ୍କରିଣୀ । ଏଠାରେ ବୁଡ ପକାଇବା ଯାହା ପବିତ୍ର ଗଙ୍ଗା ନଦୀରେ ବୁଡ ପକାଇବା ଭଳି ସମଫଳ ଲାଭ ହୋଇଥାଏ ବୋଲି ପୁରାଣରେ ଉଲ୍ଲେଖ ରହିଛି । କିନ୍ତୁ ଦୁଃଖର ବିଷୟ ଏହି ପବିତ୍ର ପୁଷ୍କରିଣୀ ଚାରିପାଖରେ ଅଳିଆ ଆବର୍ଜନା ଜମି ରହିଛି । ପାହାଚରେ ଶିଉଳି ରହିଛି । ଏହାକୁ ପ୍ରଶାସନ ଧ୍ୟାନ ଦେବା ଉଚିତ୍ । ପୁଷ୍କରିଣୀର ଜଳକୁ ସ୍ୱଚ୍ଛ ରଖାଯିବା ଉଚିତ୍ । ଏହାଦ୍ଵାରା ଭକ୍ତମାନେ ଭଲରେ ସ୍ନାନ କରି ଯାଇପାରିବେ । ଶ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀକୁ ହଜାର ହଜାର ଭକ୍ତ ଆସୁଛନ୍ତି । ତେଣୁ ଏଠାରେ ସବୁ ପ୍ରକାର ସୁବିଧା ହୋଇ ପାରିଲେ ଭକ୍ତମାନେ ଉପକୃତ ହୋଇପାରିବେ ।"
'ଶ୍ୱେତଗଙ୍ଗାର ଉନ୍ନତିକରଣ କରାଯାଉ':
![Swetaganga Pond](https://etvbharatimages.akamaized.net/etvbharat/prod-images/07-02-2025/23492584_od_sweta-9.jpg)
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ଶ୍ରୀକ୍ଷେତ୍ରରେ ଥିବା ୫ ତୀର୍ଥ ପୁଷ୍କରିଣୀ ମଧ୍ୟରୁ ଅନ୍ୟତମ ହେଉଛି ଶ୍ୱେତଗଙ୍ଗା ପୁଷ୍କରିଣୀ । ପୁରାଣରେ ବର୍ଣ୍ଣନା ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା ଯାହା ଶ୍ୱେତଗଙ୍ଗାରେ ସ୍ନାନ କଲେ ସମାନ ଫଳ ମିଳିଥାଏ । ସାରା ଦେଶରୁ ହଜାର ହଜାର ଭକ୍ତ ଏହି ଶ୍ୱେତଗଙ୍ଗା ପୁଷ୍କରିଣୀରେ ନିଜ ପିତୃପୁରୁଷାଙ୍କୁ ଶ୍ରାଦ୍ଧ, ପିଣ୍ଡ ଦେବା ପାଇଁ ଆସିଥାନ୍ତି । ଏଠାରେ ବୁଡ ପକାଇଥାନ୍ତି । ଆମେ ସେବାୟତମାନେ ମଧ୍ୟ ଆମର ସବୁ ଶ୍ରାଦ୍ଧ କର୍ମ ଏହି ଶ୍ୱେତଗଙ୍ଗା ପୁଷ୍କରିଣୀରେ କରିଥାଉ । ଏହା ଏକ ପବିତ୍ର ପୁଷ୍କରିଣୀ । ଏହାର ସଠିକ୍ ଢଙ୍ଗରେ ଉନ୍ନତିକରଣ ହୋଇପାରିନାହିଁ । ଏହାର ପୁନରୁଦ୍ଧାର ପାଇଁ ପୂର୍ବ ସରକାର ଆର୍ଥିକ ଅନୁଦାନ ଦେଇଥିଲେ । ହେଲେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ଦିନକୁ ଦିନ ଭକ୍ତଙ୍କ ଆଗମନ ବଢୁଥିବା ବେଳେ ଏହାର ଉନ୍ନତିକରଣ ଦିଗରେ ସରକାର ପଦକ୍ଷେପ ନେବା ଉଚିତ । ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀର ଉନ୍ନତିକରଣ ହୋଇ ପାରିଲେ ଭକ୍ତ ଉପକୃତ ହୋଇ ପାରିବେ ।"
![Swetaganga Pond](https://etvbharatimages.akamaized.net/etvbharat/prod-images/07-02-2025/23492584_od_sweta-5.jpg)
ଶ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀର ଅବ୍ୟବସ୍ଥା ନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, "ନିଶ୍ଚିତ ଭାବରେ ଶ୍ୱେତଗଙ୍ଗା ପୁଷ୍କରିଣୀର ସ୍ବତନ୍ତ୍ର ପରିଚୟ ରହିଛି । ଶ୍ୱେତଗଙ୍ଗା ପୁଷ୍କରିଣୀରେ ଥିବା ଅବ୍ୟବସ୍ଥା ନେଇ ମୋ ପାଖରେ ଅଭିଯୋଗ ଆସିଛି । ପ୍ରଶାସନିକ କଳରେ କେତେକ ସମନ୍ଵୟ ଅଭାବ ଯୋଗୁ ଶ୍ୱେତଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଏହି ସମସ୍ୟା ସମାଧାନ ପାଇଁ ମୁଁ ଏକ ବୈଠକ ଡାକିଛି । ସେଠାରେ ସବୁ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ହେବ । ଯାହା କିଛି ସମସ୍ୟା ରହିଛି ତାହା କିଭଳି ଶୀଘ୍ର ସମାଧାନ କରାଯାଇ ଶ୍ୱେତଗଙ୍ଗା ପୁଷ୍କରିଣୀର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ ସେନେଇ ପଦକ୍ଷେପ ନିଆଯିବ ।"
![Holy Swetaganga Pond](https://etvbharatimages.akamaized.net/etvbharat/prod-images/07-02-2025/od-pur-swetagangaproblem-7205521_07022025115651_0702f_1738909611_345.jpg)
ଏହା ମଧ୍ୟ ପଢ଼ନ୍ତୁ... ପୁରୀରେ ବିପର୍ଯ୍ୟସ୍ତ ଡ୍ରେନେଜ୍ ଓ ରାସ୍ତାଘାଟ, ପୌରପାଳିକାର ଅବହେଳା ଅଭିଯୋଗ ଫେବୃଆରୀ ପହିଲାରେ ମହାପ୍ରଭୁଙ୍କ ପଦ୍ମ ବେଶ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି |
ଶ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀର ପୌରାଣିକ ଗାଥା:
ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରୁ ଅନ୍ୟତମ ଶ୍ୱେତଗଙ୍ଗା ପୁଷ୍କରିଣୀ ଶ୍ରୀମନ୍ଦିରରୁ ସ୍ଵର୍ଗଦ୍ଵାର ଯିବା ରାସ୍ତାର ବାଲିସାହିରେ ରହିଛି । ଏହି ପବିତ୍ର ପୁଷ୍କରିଣୀରେବୁଡ ପକାଇବା ପାଇଁ ଅନେକ ଶ୍ରଦ୍ଧାଳୁ ପ୍ରତିଦିନ ଏଠାକୁ ଆସିଥାନ୍ତି । ଶ୍ରୀମନ୍ଦିରର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି ଯେ, ଶ୍ଵେତଗଙ୍ଗା ପୁଷ୍କରିଣୀ ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ । ପୁରୀରେ ମହୋଦଧି, ଶ୍ୱେତଗଙ୍ଗା ପୁଷ୍କରିଣୀ, ମାର୍କଣ୍ଡ ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ କୁଣ୍ଡକୁ ପଞ୍ଚତୀର୍ଥ ପୁଷ୍କରିଣୀ କୁହାଯାଏ । ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଶ୍ୱେତ ମାଧବ ଓ ମତ୍ସ୍ୟ ମାଧବଙ୍କୁ ପୂଜା କରାଯାଉଥିବା ବେଳେ ଭକ୍ତମାନେ ଦର୍ଶନ କରିଥାଆନ୍ତି । ଗଙ୍ଗା ନଦୀକୁ ପବିତ୍ର ନଦୀ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
ଏହା ମଧ୍ୟ ପଢନ୍ତୁ: ପୁନଃ ନିଯୁକ୍ତି ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବହିଷ୍କୃତ CRPF ଯବାନ |
ସେହିପରି ଶ୍ରୀକ୍ଷେତ୍ରରେ ଥିବା ଶ୍ୱେତଗଙ୍ଗା ମଧ୍ୟ ଗଙ୍ଗା ଭଳି ପବିତ୍ର । ଏହି ପୁଷ୍କରିଣୀ ଜଳ ସ୍ରୋତ ଗଙ୍ଗା ନଦୀ ସହିତ ଯୋଡ଼ି ହୋଇ ରହିଥବାର ପୌରାଣିକ ଗାଥା ରହିଛି । ଶ୍ୱେତଗଙ୍ଗା ପାଖରେ ଗଙ୍ଗାମାତା ମଠ ରହିଛି । ପିତୃପୁରୁଷଙ୍କୁ ପିଣ୍ଡ ଓ ଶ୍ରାଦ୍ଧ କାର୍ଯ୍ୟ ଶ୍ୱେତଗଙ୍ଗାରେ କରାଯାଏ । ଶ୍ୱେତଗଙ୍ଗା ପୁଷ୍କରିଣୀ ପବିତ୍ର ଗଙ୍ଗା ନଦୀ ସହିତ ଯୋଡ଼ି ହୋଇ ରହିଥିବା ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ଶ୍ୱେତଗଙ୍ଗା ପୁଷ୍କରିଣୀକୁ ପବିତ୍ର ତୀର୍ଥ ପୁଷ୍କରିଣୀ କୁହାଯାଇଥାଏ ।
ଇଟିଭି ଭାରତ, ପୁରୀ