ନିଆଳି/ନିମାପଡ଼ା:ପବିତ୍ର ଦୀପାବଳିରେ ଧରାବତରଣ କରୁିଛନ୍ତି ପାପନାଶିନୀ ମା' କାଳୀ । ଏଥିପାଇଁ ଚାରିଆଡ଼ ଚଳଚଞ୍ଚଳ । ମା'ଙ୍କ ଆଗମନରେ ସବୁଠି ଉତ୍ସବର ମାହୋଲ । ଦୀପାବଳି ଅବସରରେ ପ୍ରାଚୀ ତଟ ନିଆଳି ଥାନା ରତନପୁର ପଞ୍ଚାୟତ ପୋଡପୋଡାର ଏକ ହଜାର ବର୍ଷ ତଳୁ ଚାଲି ଆସୁଥିବା ପ୍ରସିଦ୍ଧ ଦକ୍ଷିଣକାଳୀ ପୂଜା ଗତକାଲି ରାତ୍ରରୁ ଆରମ୍ଭ ହୋଇଛି । ସେପଟେ କାଳୀପୂଜା ପାଇଁ ଚଳଚଞ୍ଚଳ ପୁରୀ ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀ ପୀଠ ।
ଗଙ୍ଗବଂଶୀୟ ଅମଳ ଦକ୍ଷିଣକାଳୀ ପୂଜା:
ଏକ ହଜାର ବର୍ଷ ତଳୁ ପ୍ରାଚୀ ତଟ ନିଆଳି ଥାନା ରତନପୁର ପଞ୍ଚାୟତ ପୋଡପୋଡାର ପ୍ରସିଦ୍ଧ ଦକ୍ଷିଣକାଳୀ ପୂଜା ଗତକାଲି (ଗୁରୁବାର) ରାତ୍ରରୁ ଆରମ୍ଭ ହୋଇଛି । ଗଙ୍ଗବଂଶୀୟ ଅମଳରୁ ଏଠାରେ ମା' ଦକ୍ଷିଣକାଳୀଙ୍କ ବଙ୍ଗୀୟ ପଦ୍ଧତିରେ ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମାନସିକ ପ୍ରାପ୍ତି ସାଙ୍ଗକୁ ପଶୁ ପଳି ପଥା ପ୍ରଚଳିତ ହେଉଥିଲା ଏବେ କିନ୍ତୁ ସମର୍ପଣ କରାଯାଉଛି । ମା'ଙ୍କ ମହିମା ଅନେକ ରହିଛି । ବିଶ୍ବାସ ରହିଛି ଯେ ମାଙ୍କ ପାଖରେ ଯିଏ ଯାହା ମାନସିକ କରେ ମା' ତାହା ପୂରଣ କରନ୍ତି ।
ମାନସିକ ପୂରଣ କରନ୍ତି ମା':
ଦକ୍ଷିଣ କାଳୀପୀଠର ମୁଖ୍ଯ ପୂଜକ ରବିନାରାୟଣ ବାନାର୍ଜୀ କହିଛନ୍ତି, "ବଙ୍ଗୀୟ ବଂଶଧରମାନଙ୍କ ଦ୍ଵାରା ପୋଡପୋଡାଠାରେ ମା' ଦକ୍ଷିଣକାଳୀଙ୍କ ପୂଜା ଏକ ହଜାର ବର୍ଷ ତଳୁ ଅନୁଷ୍ଠିତ ହୋଇଆସୁଛି । ଏହି ପୀଠ ପ୍ରାଚୀ ତଟରେ ଅବସ୍ଥିତ । ଗୁରୁବାର ରାତ୍ରରୁ ପୂଜାର୍ଚ୍ଚନା ପରେ ମା'ଙ୍କ ଚକ୍ଷୁଦାନ କରାଯାଇଥିଲା । ସନ୍ଧିପୂଜା ସହିତ ଅନ୍ୟାନ୍ୟ ପୂଜା ମା'ଙ୍କ ନିକଟରେ କରାଯାଉଥିଲା । ଭକ୍ତଙ୍କ ମାନସିକତା ପ୍ରାପ୍ତି ପରେ ପୀଠରେ ମା'ଙ୍କ ଉଦ୍ଦେଶ୍ୟରେ ପଶୁଙ୍କୁ ସମର୍ପଣ କରାଯାଇଥାଏ । ବିଶ୍ଵାସ ରହିଛି ଯେ, ଯେଉଁ ଭକ୍ତ ମାନସିକ କରେ ତା'ର ମାନସିକ ପ୍ରାପ୍ତି ହେବା ପରେ ପଣା ଓ ପଶୁମାନଙ୍କୁ ସମର୍ପଣ କରିବାର ପରମ୍ପରା ରହିଛି । ୨୦ ବର୍ଷ ତଳେ ମା'ଙ୍କ ନିକଟରେ ପଶୁ ବଳି ଦିଆଯାଉଥିଲା ଏବେ କିନ୍ତୁ କଟକଣା ଯୋଗୁଁ ବନ୍ଦ ରହିଛି ।"
ମା'ଙ୍କ କୃପାରୁ ପରିବାରରେ ପ୍ରଥମ ଝିଅ:
ସେହିପରି ଦକ୍ଷିଣକାଳୀ ପୀଠର ମୁଖ୍ଯ ପୂଜକଙ୍କ ଝିଅ ମାନସୀ ଚାଟ୍ଟାଚାର୍ଜୀ କହିଛନ୍ତି, "ମୁଁ ଆମ ପରିବାର ଏକମାତ୍ର ଝିଅ । ଆମ ପରିବାରରେ ଝିଅ ନଥିଲେ । ମା'ଙ୍କ ନିକଟରେ ବାପା-ମାଆ ମାନସିକ କରିବା ପରେ ପରିବାରରେ ମୁଁ ପ୍ରଥମ ଝିଅ ଭାବରେ ଜନ୍ମ ହୋଇଥିଲି । ମା' ଦକ୍ଷିଣ କାଳୀଙ୍କ ମହିମା ଅନେକ । ଯିଏ ଯାହା ଦୁଃଖକଷ୍ଟ ଜଣାଏ ସେ ତା'ର ଦୁଃଖ ଓ କଷ୍ଟ ଲାଘବ କରିଥାନ୍ତି । ବିଭିନ୍ନ ଜିଲ୍ଲାରୁ ଭକ୍ତଙ୍କ ସମାଗମ ହୋଇଥାଏ । ଯିଏ ଯାହା ମାନସିକ କରିଥାନ୍ତି ମା'ଙ୍କ ନିକଟରେ ପଣା ଓ ପଶୁମାନଙ୍କୁ ସମର୍ପଣ କରିବାର ବିଦ୍ଧି ରହିଛି ।"