ଭୁବନେଶ୍ବର: ରାଜ୍ୟରେ ଆହୁରି ବଢିବ ତାତି । କଲବଲ ହେବେ ରାଜ୍ୟବାସୀ । ବଢିବ ତାପମାତ୍ରା, ସିଝିବେ ଲୋକେ । ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ 2ରୁ 3 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି । ତିନିଦିନ ଯାଏଁ ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ । ଆଜି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଆସନ୍ତା 19 ଓ 20 ତାରଖରେ ହାଲୁକା ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆସନ୍ତା 3 ଦିନ ପାଇଁ କୌଣସି ଚେତାବନୀ ଜାରି ହୋଇନାହିଁ ।
19 ଓ 20ରେ ଏହି ସ୍ଥାନରେ ହେବ ବର୍ଷା:

ରାଜ୍ୟରେ କମିବ ତାତି, ହେବ ବର୍ଷା । ଆସନ୍ତା 19 ଓ 20ରେ ରାଜ୍ୟରେ ବର୍ଷା ହେବା ସମ୍ଭାବନା ରହିଛି । 19 ରେ କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ତେଣୁ ଏହି 6 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି 20ରେ ଅନୁଗୋଳ, ଢେଙ୍କାନାଳ, ଯାଜପୁର ,କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଦେଓଗଡ ଓ ସୁନ୍ଦରଗଡ଼ରେ ବିଜୁଳି ଘଡଘଡି ସହ ହାଲକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର ।
ଏହାମଧ୍ୟ ପଢନ୍ତୁ... ତାତିରୁ ମିଳିବ ଆଶ୍ବସ୍ତି, 7 ଜିଲ୍ଲାରେ ବର୍ଷା ସମ୍ଭାବନା |
ବୌଦ୍ଧରେ ସର୍ବାଧିକ ତାପମାତ୍ରା ରେକର୍ଡ:

ଏନେଇ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, ''ଗତ ୨୪ ଘଣ୍ଟାରେ ରାଜ୍ୟର ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହୋଇଛି । ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରିରେ ୭.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ଆଜି ୩୩.୮ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ କଟକରେ ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।''
ଇଟିଭି ଭାରତ, ଭୁବନେଶ୍ବର